ଅନୁବାଦ ଗଳ୍ପ : ଭୁଷିକଟା କଳ

ହିନ୍ଦୀ ସାହିତ୍ୟର ଜଣେ ମୁର୍ଦ୍ଧନ୍ୟ ସ୍ରଷ୍ଟା ଭାବେ ଉପନ୍ଦ୍ରେନାଥ ଅସ୍କ ବେଶ୍‍ ସୁପରିଚିତ । ଦେଶ ବିଭାଜନ ଓ ଏହାର କରାଳ ରୂପକୁ ସ୍ୱଚକ୍ଷୁରେ ଦେଖିଥିବା ଶ୍ରୀ ଅସ୍କ ସ୍ୱାଧୀନତା ପୂର୍ବ ଓ ପରେ ବିଭାଜନ ହିଂସାର ଶିକାର ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ସ୍ୱଚକ୍ଷୁରେ ଦେଖିଥିଲେ । ଏହି ଘଟଣାକୁ ନେଇ ସେ ଅନେକ କାଳଜୟୀ କାହାଣୀ ରଚନା କରିଥିଲେ । ‘ଭୁଷିକଟା କଳ’ ସେଥିରୁ ଅନ୍ୟତମ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫ 

ମୂଳ ହିନ୍ଦୀ: ଉପେନ୍ଦ୍ରନାଥ ଅସ୍କ                                                                             ଇସଲାମାବାଦ ସହରର ଯେଉଁ ମୁସଲମାନ ସମ୍ପ୍ରଦାୟର ଲୋକ ରେଳଲାଇନ ଆରପଟେ ବସବାସ କରି ରହୁଥିଲେ, ସେମାନେ ନିଜ ପ୍ରାଣ ବଞ୍ଚାଇବା ଲାଗି ଘରଦ୍ୱାର, ଧନସମ୍ପତ୍ତି ସବୁଛାଡ଼ି ସେତେବେଳକୁ ପଳାଇଥିଲେ । ଆମ ପଡ଼ୋଶୀ ଲେହନା ସିଂହର ସ୍ତ୍ରୀଲାଗି ଏ ଘଟଣାଟି ଏକ ନୂଆ ସୁଯୋଗ ସୃଷ୍ଟି କରିଥିଲା । ସେ ନିଜ ସ୍ୱାମୀ ଲେହନା ସିଂହକୁ ଛିଗୁଲେଇଲା ପରି ପଚାରିଲା, ‘ମାଇଚିଆ, ଅଣପୁରୁଷାଙ୍କ ପରି ଆଉ ଘରଟା ଭିତରେ କେତେ ସମୟ ବସିରହିବ ? ଅନ୍ୟ ଲୋକମାନେ କିଏ କେତେ ଧନ ଦଉଲତ ବୁହାଇ ଆଣୁଚନ୍ତି । ବଡ଼ ବଡ଼ କୋଠାଘର ଅକ୍ତିଆର କରି ନେଉଛନ୍ତି । ’

ଲେହନା ସିଂହ ତା’ ସ୍ତ୍ରୀର ସବୁପ୍ରକାର ଗାଳିଗୁଲଜକୁ ସହ୍ୟ କରିପାରେ, କିନ୍ତୁ ଏଇ ‘ଅଣପୁରୁଷା’ ଗାଳିଟାକୁ ସେ ଆଦୌ ବରଦାସ୍ତ କରିପାରେନି । ତେଣୁ ସ୍ତ୍ରୀର ଏପରି ଟାଣକଥା ଶୁଣି ସେ ମୁଣ୍ଡର ପଗଡ଼ିଟାକୁ ଆଉଥରେ ଭଲକରି ଭିଡ଼ିନେଲା, ତେହେମଦଟାକୁ ଖୋସିଦେଲା ଓ କୃପାଣଟାର ଧାରକୁ ପୁଣି ଥରେ ପରଖିନେଇ ଖଟ ଉପରୁ ଓହ୍ଲେଇ ପଡ଼ିଲା । ଇସଲାମାବାଦର ଗୋଟାଏ ଭଲ କୋଠାଘର ଅକ୍ତିଆର କରିବା ହେଲା ତା’ର ଉଦ୍ଦେଶ୍ୟ । ଅଗଣାରେ ପହଞ୍ଚିଛନ୍ତି କି ନାହିଁ, ପଛରୁ ସର୍ଦ୍ଦାରନୀ ଦୌଡ଼ିଦୌଡ଼ି ଆସି ତା’ ହାତରେ ବଡ଼ ତାଲାଟାଏ ଧରେଇଦେଇ କହିଲା, ‘ତୁମେ ଘରଟାକୁ ଅକ୍ତିଆର କଲ ବୋଲି ଅନ୍ୟମାନଙ୍କୁ କେମିତି ଜଣେଇବ ? ଏଇ ତାଲାଟାକୁ ନିଅ । ସେ ଘରେ ପକେଇଦେବ ।’ ଗୋଟିଏ ହାତରେ ତାଲାଚାବି ଓ ଅନ୍ୟ ହାତରେ ଧାରୁଆ କୃପାଣଟିକୁ ଧରି ଲେହନା ସିଂହ ସହରର ରାଜରାସ୍ତାର ଉପରେ ଏକମୁହାଁ ଚାଲିବାରେ ଲାଗିଲା ।

ଆମେ ସେତେବେଳେ ଅମୃତସର ସହରର ଖାଲସା ରୋଡ଼ରେ ଥିବା ପୁତଲୀଘର ପାଖରେ ରହୁଥିଲୁ । ଆମ ଘର ପାଖକୁ ଲାଗି ଗୋଟିଏ ବଡ଼ ଖୋଲାସ୍ଥାନ ଥିଲା । ସେଇଠି ବସି ଲେହନା ସିଂହ ଭୁଷିକଟା କଳ ବିକ୍ରି କରେ । ଅଗଣାର ଗୋଟିଏ କୋଣକୁ କେଇଟା ଅନ୍ଧାରୁଆ ଘର । ଅମୃତସର ସହରରେ ଭଡ଼ାଘରଟିଏ ପାଇବା ସେତେବେଳେ ସହଜ ନଥିଲା । ତେଣୁ ସେଇ ଅନ୍ଧାରୁଆ ଘରଗୁଡ଼ିକରୁ ଗୋଟିଏ ଘରେ ସର୍ଦ୍ଦାର ଲେହନା ସିଂହ ରହୁଥିଲା । ପ୍ରଥମେ ସର୍ଦ୍ଦାରଜୀ ଭୁଷିକଟା କଳ ବେପାରରେ ଦୁଇହଜାର ଟଙ୍କା ଖଟେଇଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ କୃଷକମାନଙ୍କ ଆର୍ଥିକ ଅବସ୍ଥାରେ ଢେର୍‌ ଉନ୍ନତି ଘଟେଇବା ଯୋଗୁ ଲେହନା ସିଂହର ବେପାର ବି ସେଇ ଅନୁପାତରେ ବଢ଼ି ଯାଇଥିଲା । ଲୋକଙ୍କ ହାତରେ ଟଙ୍କା ପଡ଼ିବା ମାତ୍ରେ ସେମାନେ ଘରକରଣା ଚିଜ କିଣିବାରେ ତାକୁ ଖର୍ଚ୍ଚ କରିବାକୁ ସତେ ଯେମିତି ଗୋଡ଼ ଟେକି ବସିଥାନ୍ତି । ସେମାନଙ୍କ ଆଶା ଆକାଂକ୍ଷା ସବୁ ବଢ଼ି ଯାଇଥିଲା । ଲେହନା ସିଂହର ବେପାର ଚାହୁଁ ଚାହୁଁ ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା । ପ୍ରଥମେ ପ୍ରଥମେ ସେ ଓ ତା’ ସ୍ତ୍ରୀ ସେଇ ଅନ୍ଧାରୁଆ କୋଠରୀ ଓ ଗନ୍ଧିଆ ଅଗଣାରେ ଖୁବ୍ ଖୁସିରେ ଚଳୁଥିଲେ । କିନ୍ତୁ ବେପାରରେ ମୁନାଫା ହାତକୁ ଆସିବାପରେ ଲେହନା ସିଂହର ସ୍ତ୍ରୀ ଆଉ ସେଠାରେ ରହିବାକୁ ପସନ୍ଦ କଲାନି । ଏବେ ସମସ୍ତେ ତାକୁ ‘ସର୍ଦ୍ଦାରନୀ’ବୋଲି ଡାକୁଥିଲେ । ତେଣୁ ଭଲ ଘରଟିଏ ନେଇ ଅନ୍ୟ କେଉଁଠି ରହିବା ଲାଗି ସେ ସଦାବେଳେ ସର୍ଦ୍ଦାରଜୀ ପଛରେ ପଡ଼ିଥିଲା ।

ଭୁଷିକଟା କଳଟିର କାର୍ଯ୍ୟଦକ୍ଷତା ବିଷୟରେ ସର୍ଦ୍ଦାରଜୀ ଅଗଣାରେ ଗ୍ରାହକମାନଙ୍କୁ ବୁଝାନ୍ତି । ବେଳେବେଳେ ସେମାନଙ୍କ ସାମ୍ନାରେ ଭୁଷିକାଟି ଦେଖାନ୍ତି । ଅଗଣାରେ ଧାଡ଼ିବାନ୍ଧି ସେ କଳଗୁଡ଼ିକ ଥୁଆ ହୋଇଥାଏ । ସେଥିରେ ଲାଗିଥିବା ଧାରୁଆ ଛୁରୀରେ ଦିନସାରା ଘାସ,କୁଟା ଓ ନଡ଼ା କଟା ଚାଲେ । ଲେହନା ସିଂହର ସ୍ତ୍ରୀ ସେସବୁ କଳମାନଙ୍କ ଗର୍ଜନରେ ବେଳେବେଳେ ଅତିଷ୍ଠ ହୋଇ ପଡ଼ୁଥିଲା । ତେଣୁ ସେସବୁ ଶବ୍ଦ ଅଗଣାସାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଘାସ ଓ ନଡ଼ାକୁ ସେ ଆଉ ବରଦାସ୍ତ କରିବାକୁ ପ୍ରସ୍ତୁତ ନଥିଲା ।

ହେଲେ ବ୍ୟବସାୟ ବଢ଼ିଲେ ସୁଦ୍ଧା ଲେହନା ସିଂହ କିନ୍ତୁ ମୋଟେ ବଦଳି ନଥିଲା । ଅବଶ୍ୟ ତା’ ବେଶପୋଷାକରେ କିଛିଟା ପରିବର୍ତ୍ତନ ଘଟିଥିଲା । ମୁଣ୍ଡରେ ସିଲ୍କ ପଗଡ଼ି, ସିଲ୍କ ତେହମଦ୍ ସାଙ୍ଗକୁ ସେ ଢ଼ିଲା ପଞ୍ଜାବୀ ପିନ୍ଧିବାକୁ ଆରମ୍ଭ କରିଥିଲା । ଆଗରୁ ସେ ଲୁଙ୍ଗି ସାଙ୍ଗକୁ ସୂତା ସାର୍ଟ ଖଣ୍ଡିଏ ପିନ୍ଧୁଥିଲା । କିନ୍ତୁ, ସେ ଅନ୍ଧାରୁଆ ଘର କି ଆବର୍ଜନାମୟ ଅଗଣା ପ୍ରତି ତା’ମନରେ କିଛି ଘୃଣା ନଥିଲା । ବିଡ଼ାବିଡ଼ା ଘାସ, ଭୁଷିକଟା କଳର ଶବ୍ଦ ସହ ସେ ବେଶ୍‍ ଅଭ୍ୟସ୍ତ ଥିଲା । ସେଇ ତ ତା’ର ବେଉସା । ତା’ଘର ଆଗରେ, ଅଗଣାରେ ଏତେସବୁ ଜିନିଷପତ୍ର ଦେଖି ସେ ମନେମନେ ଖୁବ୍ ଖୁସି ହେଉଥିଲା । ସେଇଥିଲାଗି ତ ଶିଖମାନଙ୍କ ତୁଣ୍ଡରେ ପ୍ରବାଦଟିଏ ଶୁଣାଯାଏ, ‘ପରିସ୍ଥିତି କି ପରିବେଶ ଯାହା ହୋଇଥାଉ ନା କାହିଁକି, ଶିଖ୍‌ଟିଏ ସଦାବେଳେ ସେଇ ଶିଖ୍ ହୋଇ ରହିଥିବ ।’

ସେକଥା ନୁହେଁ ଯେ ଲେହନା ସିଂହ ଦୁର୍ବଳ କି ପତଳା ଥିଲା । ଦେଖିବାକୁ ଯେମିତି ସୁସ୍ଥସବଳ ସେମିତି ସାହସୀ । ପାଞ୍ଚପାଞ୍ଚଟା ପିଲାର ବାପ । ପିଲା ପାଞ୍ଚଟାଯାକ ସଦାବେଳେ ସର୍ଦ୍ଦାରନୀ ପଛେ ପଛେ ଚାଲିଥିବେ । ପାଞ୍ଚଟା ପିଲାର ବାପ ବୋଲି ଲେହନା ସିଂହ ବେଳେ ବେଳେ ନିଜର ମୋଟା ନିଶକୁ ସାଉଁଳେଇ ଗର୍ବ ଅନୁଭବ କରେ । କିନ୍ତୁ ଲେହନା ସିଂହକୁ କୌଣସି କାମ ପାଇଁ ହଠାତ୍ ଉତ୍ତେଜିତ କରିବାର ସହଜ ସୂତ୍ରଟି ସର୍ଦ୍ଦାରନୀକୁ ଭଲଭାବେ ଜଣାଥିଲା । ‘ଅଣପୁରୁଷା’, ‘ମାଇଚିଆ’ ବୋଲି କହିଦେଲ କଥା ସରିଲା । ଲେହନା ସିଂହ ତତକ୍ଷଣାତ୍ ସେ କାମଟି କରିବାକୁ ବାହାରିପଡ଼େ । ଯଦି ଭାବିଚିନ୍ତି କିଛି କାର୍ଯ୍ୟ କରିବା ଦରକାର ଥାଏ, ତା’ହେଲେ ସର୍ଦ୍ଦାରନୀ ଅଣପୁରୁଷା ନକହି ‘ବୋକା’ ବୋଲି ସମ୍ବୋଧନ କରେ । ଆଉ ଯଦି କେତେବେଳେ କିଛି ଶାରୀରିକ ପରିଶ୍ରମ କରିବାକୁ ଥାଏ, ସେତେବେଳେ ସର୍ଦ୍ଦାରନୀ ‘କାପୁରୁଷ’, ‘କାମଚୋର’ ବୋଳି କୁହାଟଟିଏ ଛାଡ଼େ । ବାସ୍‌, ସବୁ କାମ ନିମିଷକ ଭିତରେ ଶେଷ ।

ସାଇପଡ଼ିଶା ଲୋକେ ଅବଶ୍ୟ ଏକଥାରେ ନିଃସନ୍ଦେହ ଥିଲେଯେ, ସର୍ଦ୍ଦାରନୀଟା ନିପଟ ମଫସଲୀ ଓ କଳିହୁଡ଼ୀ । ସିଏ କେବଳ ଟଙ୍କା ଆଉ ଭଲ ପୋଷାକପତ୍ରକୁ ଚିହ୍ନେ । ହେଲେ କେବଳ ଭଲ ପୋଷାକପତ୍ର ପିନ୍ଧି, ଟଙ୍କା ଅଣ୍ଟାରେ ଖୋସିଲେ କ’ଣ ମଣିଷ ସଭ୍ୟ ହୋଇଯିବ! ସେଥିପ୍ରତି କିନ୍ତୁ ସର୍ଦ୍ଦାରନୀର ଖାତିର ନଥାଏ । କିଏ ତାକୁ ଅପାଠୋଇ କହୁ କି କଳିହୁଡ଼ୀ କହୁ, ତା’ ଟଙ୍କାପଇସା, ଧନ ଦଉଲତ ଭଲ ତ ସିଏ ଭଲ । ସେଇ ଧନକୁ ନେଇ ତା’ ମନ ସଦାବେଳେ କୁଣ୍ଢେମୋଟ ଥାଏ । ଲେହନା ସିଂହ ଯେଉଁଦିନ ଇସଲାମାବାଦରେ ପହଞ୍ଚିଥିଲା, ଦଙ୍ଗାଫସାଦ୍ କରୁଥିବା ପଞ୍ଝାଏ ଲୋକ ହଠାତ୍‍ ତାକୁ ଘେରି ଯାଇଥିଲେ । ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମର ଲୋକଙ୍କୁ କତଲ୍‌ କରି ଚାଲିଥିଲେ । ଲେହନା ସିଂହକୁ ଲାଗିଲା ତା’ ଭୁଷିକଟା ଯନ୍ତ୍ରଟା ଯେମିତି ଘାସକୁଟା ନଡ଼ା କାଟିଚାଲେ ସେମିତି ପଞ୍ଝାଏ ଲୋକ ଯନ୍ତ୍ରବତ୍ ଆଉ ପଞ୍ଝାଏ ଲୋକଙ୍କୁ ହାଣି ଖଣ୍ଡ ଖଣ୍ଡ କରି ଚାଲିଛନ୍ତି ।

ଏକଥା ଦେଖି ସର୍ଦ୍ଦାର ଲେହନା ସିଂହର ରକ୍ତ ବି ଟକମକ ହୋଇ ଫୁଟି ଉଠିଲା । ସେ ତା’ର କୃପାଣଟିକୁ ଉଞ୍ଚାଇ ଧରିଲା । ତା’ସାମ୍ନାରେ ପଡ଼ିବା ପ୍ରଥମ ମୁସଲମାନ ଲୋକଟାକୁ ସେ କାଟି ଦି’ଗଡ଼ କରିଦେବ ବୋଲି ମନେମନେ ସ୍ଥିର କଲା । ଯେତେହେଲେ ସିଏ ବି ପୁରୁଷ ପୁଙ୍ଗବ । ହେଲେ ସେ କାହାକୁ ମାରି ପାରିଲା ନାହିଁ । କାରଣ, ତା’ସାମ୍ନାରେ ଜଣେ ହେଲେ ମୁସଲମାନ ପଡ଼ିଲେନାହିଁ । ରାସ୍ତାଘାଟ କିନ୍ତୁ ସେତେବେଳକୁ ରକ୍ତରେ ଲାଲ୍ ହୋଇସାରିଥିଲା । ଚାରିଆଡ଼େ ଅସହାୟ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଭୁଥିଲା । ଲେହନା ସିଂହ ହାତରେ କୃପାଣଟା ଧରି ରାସ୍ତାରେ ଘୂରି ବୁଲୁଥିବାବେଳେ ତା’ର ନଜର ପଡ଼ିଲା ତା’ସାଙ୍ଗ ଗୁରୁଦିଆଲ ସିଂହ ଉପରେ । ଗୁରଦିଆଲ ସିଂହ ହଠାତ୍ ଗୋଟିଏ ଘର ଆଡ଼କୁ ଦୌଡ଼ିଗଲା । ଆଶ୍ଚର୍ଯ୍ୟଚକିତ ହୋଇ ଲେହନା ସିଂହ ସେଇଠି ଠିଆ ହୋଇ ଚାହିଁରହିଲା । ତା’ର ଭାରି ଇଚ୍ଛା ହେଲା, ଗୁରଦିଆଲ ସିଂହ କ’ଣ କରୁଛି ତାହା ଦେଖିବା ଲାଗି । ଗୁରଦିଆଲ ସିଂହ ବି ଲେହନାକୁ ଦେଖି ସାରିଥିଲା । ସେ ଘର ଭିତରୁ ଡାକ ଛାଡ଼ିଲା, ‘ଆରେ ମୁଁ ଏ ଘରଟାକୁ କବ୍‍ଜା କରିନେଉଛି ।

ଏତିକି କହି ସେ ଘରର ସାମ୍ନା ଦରଜାରେ ଲାଗିଥିବା ତାଲାଟାକୁ ଭାଙ୍ଗିଚାଲିଲା । ଲେହନା ସିଂହ ପଗଡ଼ିର ଗୋଟିଏ ମୁଣ୍ଡକୁ ଦାନ୍ତରେ ଭିଡ଼ିଧରି ଆବାକାବା ହୋଇ ଚାହିଁ ରହିଥାଏ ଗୁରଦିଆଲ ସିଂହକୁ । ଗୁରଦିଆଲ ସିଂହ ସେ ଘରର ତାଲା ଭାଙ୍ଗି ତା’ ଭିତରେ ପଶିଲା ଓ ଘରଟି ଉପରେ ନିଜର ସମ୍ପୂର୍ଣ୍ଣ ଅଧିକାର ଜାହିର କରିନେଲା । ହଠାତ୍ ଲେହନା ସିଂହର ମନେ ପଡ଼ିଗଲା- ତାକୁ ବି ଏଇଭଳି ଗୋଟିଏ କୋଠାଘର ଅକ୍ତିଆର କରିବାକୁ ପଡ଼ିବ । ସେ ତରତର ହୋଇ ଆଗକୁ ପାଦ ବଢ଼ାଇଲା । ଅଳ୍ପ ବାଟ ଯାଇଛି କି ନାହିଁ ଗୋଟିଏ ବଡ଼ ଓ ସୁନ୍ଦର କୋଠାଘର ଉପରେ ତା’ର ନଜର ପଡ଼ିଲା । ସେ ଘରଟି ଗୁରଦିଆଲ ଅକ୍ତିଆର କରିଥିବା ଘରଠାରୁ ଢେର୍ ବଡ଼ ଓ ଆହୁରି ନୂଆ ଲାଗୁଥାଏ । ଘର ସାମ୍ନାରେ ବଡ଼ ତାଲାଟିଏ ଝୁଲୁଥାଏ । ଆଉ ଗୋଟିଏ ମୁହୂର୍ତ୍ତ ଅପେକ୍ଷା ନକରି ସେ ରାସ୍ତାକଡ଼େ ପଡ଼ିଥିବା ଖଣ୍ଡେ ପଥର ଉଠାଇ ତାଲାଟା ଉପରେ କେଇଥର ଛେଚିଦେଲା । ଅଳ୍ପ ସମୟ ଭିତରେ ତାଲାଟା କୁନ୍ଦାରୁ ଖୋଲିଗଲା ।

ଘରଟା ବାହାରୁ ଯେତିକି ବଡ଼ ଲାଗୁଥିଲା ବାସ୍ତବରେ ସେତିକି ବଡ଼ ନଥିଲା । କିନ୍ତୁ ଲେହନା ସିଂହ ଯେଉଁ ଅନ୍ଧାରୁଆ ଗନ୍ଧିଆ କୋଠରୀରେ ରହୁଥିଲା ତା’ତୁଳନାରେ ସେ ଘରଟା ଯଥେଷ୍ଟ ଭଲ ଓ ପ୍ରଶସ୍ତ ଲାଗୁଥିଲା । ହୁଏତ କୌଣସି ଜଣେ କିରାଣୀ ଶ୍ରେଣୀର ଲୋକଟିର ଏ ଘରଟା ହୋଇଥିବ! ଘର ଭିତରେ ଛୋଟ ରେଡ଼ିଓ ସେଟ୍ ଓ ଗ୍ରାମୋଫୋନ ସେଟ୍‌ଟିଏ ସୁନ୍ଦର ଭାବେ ସଜା ହୋଇଥିଲା । କିନ୍ତୁ ବେଞ୍ଚ୍ ଉପରେ ଥୁଆ ହୋଇଥିବା ଟ୍ରଙ୍କ୍‌ଗୁଡ଼ିକ ଖୋଲା ପଡ଼ିଥିଲା । ସେଥିରେ ସୁନାରୂପା ଅଳଙ୍କାର କିମ୍ବା ଲୁଗାପଟା କିଛି ନଥିଲା । ସମ୍ଭବତଃ ଘର ମାଲିକ ନିଜ ପରିବାର ସହ କୌଣସି ଶରଣାର୍ଥୀ ଶିବିରକୁ ପଳାଇବା ପୂର୍ବରୁ ସେସବୁ ଅଳଙ୍କାରପତ୍ର ସାଙ୍ଗରେ ନେଇ ପଳାଇଥିଲେ । ଦଙ୍ଗା ଓ ଲୁଟପାଟ ଆରମ୍ଭ ହେବା ପୂର୍ବରୁ ସେ ଏ ସ୍ଥାନ ଛାଡ଼ି ପଳାଇଥିବା ପରି ଲାଗୁଥିଲା । ତଥାପି ଘରେ ଅନେକ କିଛି ଦାମୀ ଚିଜ ରହିଥିଲା । ସେସବୁ ଆସବାବପତ୍ର ଦେଖି ଲେହନା ସିଂହ ଏତେ ଖୁସି ହୋଇଯାଇଥିଲା ଯେ ସେ ତା’ପାଟିରେ ନେଡ଼ି ଜାକି ହଠାତ୍ ଚିତ୍କାର ଛାଡ଼ିଲା । ତା’ର ଏ ଚିତ୍କାର ବୋଦାଟିଏ ରଡ଼ିଛାଡ଼ିବା ପରି ଶୁଭିଲା । ଏଥର ସେ ନିଜର ତେହମଦ୍‍ଟାକୁ ଆଉ ଥରେ ଭଲଭାବେ ଭିଡ଼ି ଘରର ସବୁ ଜିନଷପତ୍ରକୁ ଏକାଠି ରୁଣ୍ଡେଇବାରେ ଲାଗିଗଲା ।

କିଛି ସମୟ ପରେ ସେ ଘରର ସବୁ ଜିନିଷପତ୍ର ସଜାଡ଼ିନେଲା । ଦରକାରୀ ଚିଜ ଗୋଟିଏ ପଟେ ରଖି ଅନ୍ୟ ଅଦରକାରୀ ଜିନିଷସବୁକୁ ଆରକଡ଼କୁ ଆଉଜେଇ ଦେଲା । ତା’ପରେ ଘରୁ ଆଣିଥିବା ବଡ଼ ତାଲାଟି ଦାଣ୍ଡ କବାଟରେ ଠୁଙ୍କିଦେଲା । ରାସ୍ତାରେ ଗୁରଦିଆଲ ସିଂହକୁ ଭେଟି ତା’ ଘର ଉପରେ ନଜର ରଖିବାକୁ ଅନୁରୋଧ କଲା । ଏଥର ନିଜ ଘରର ଜିନିଷପତ୍ର ଆଣିବାକୁ ଖୁସି ମନରେ ସେ ଘରମୁହାଁ ଧାଇଁଲା ।

ଘରେ ପହଞ୍ଚିବା ପରେ ତା’ର ମନେପଡ଼ିଲା, ଏତେଗୁଡ଼ିଏ ଜିନିଷପତ୍ରକୁ ନେଇଯିବା ଲାଗି ତା’ପାଖରେ କିଛି ଟାଙ୍ଗା କି ରିକ୍ସାଖଣ୍ଡେ ନାହିଁ । ଏ ଗଣ୍ଡଗୋଳ ବେଳେ ଅବା ସିଏ ଟାଙ୍ଗାଟିଏ ଯୋଗାଡ଼ କରିବ କେଉଁଠୁ ? ତେଣୁ ନିଜ ସାଇକେଲଟାରେ ଚଢ଼ି ସେ ଚାଲିଲା ରାମଧନ ଘରଆଡ଼େ । ରାମଧନ କ୍ଷୀରବାଲା ତା’ ଘରେ କ୍ଷୀର ତିଏ । ଆଗରୁ ଅନେକଥର ସେ ରାମଧନଠାରୁ ତା’ଶଗଡ଼ଟା ଭଡ଼ାରେ ଆଣିଚି । ସେଥିରେ ତା’ଭୁଷିକଟା ଯନ୍ତ୍ରସବୁ ନେବା ଆଣିବା କରିଚି । ରାମଧନକୁ ଅଧିକ ଭଡ଼ା ଦେବ ବୋଲି ଫୁସୁଲେଇ ଫାସୁଲେଇ ନେହୁରା ହେଲା । ଶେଷରେ ରାମଧନ ତା’ ଶଗଡ଼ଟା ବାହାର କରିବାକୁ ରାଜିହେଲା । କିନ୍ତୁ ତା’ ବଦଳରେ ସେ ଦୁଇଗୁଣ ଅଧିକ ଭଡ଼ା ନେବ ବୋଲି ଦାବିକଲା । ଜିନିଷପତ୍ର ସବୁ ଶଗଡ଼ରେ ଲଦାହେଲା । ଲେହନା ସିଂହ ତା’ର ନୂଆଘର ଅଭିମୁଖେ ଯାତ୍ରା ଆରମ୍ଭ କଲା ବେଳକୁ ସର୍ଦ୍ଦାରନୀ ଅଡ଼ି ବସିଲାଯେ ସେ ବି ନୂଆ ଘରକୁ ଯିବ । ଲେହନା ସିଂହ ଯେତେ ବୁଝେଇଲେ ସୁଦ୍ଧା ସେ ବୁଝିବାକୁ ଅମଙ୍ଗ । ଅନ୍ୟ ସର୍ଦ୍ଦାରମାନେ ସେମାନଙ୍କର ପିଲାଛୁଆଙ୍କୁ ନେଇ ସେ ଇଲାକାକୁ ଯିବାପରେ ସର୍ଦ୍ଦାରନୀକୁ ସେଠାକୁ ନେଇଯିବ ବୋଲି ଲେହନା କହିଲା । ଏବେ ସେ ଇଲାକାରେ ଦଙ୍ଗାଫସାଦ୍ ଚାଲିଛି । ହାଣକାଟରେ ଲୋକ ମରୁଛନ୍ତି । ସ୍ତ୍ରୀଲୋକମାନଙ୍କ ପ୍ରତି ବଳାତ୍କାର କରାଯାଉଛି । ତେଣୁ
ଏବେ ସେଠାକୁ ଯିବାରେ ବିପଦ ଅଛି । ଆମ ପରି ଲକ୍ଷ ଲକ୍ଷ ସର୍ଦ୍ଦାର ଘରସବୁ ଅକ୍ତିଆର କରିଛନ୍ତି । ସେମାନେ ଯାଇ ସେଠାରେ ରହନ୍ତୁ । ତା’ପରେ ଆମେ ଯିବା । ପୁଣି ଏବେ ଏଠାରୁ ଚାଲିଗଲେ ଅଗଣାରେ ଥୁଆ ହୋଇଥିବା ଭୁଷିକଟା ମେସିନଗୁଡ଼ାକ ଚୋରି ହୋଇଯିବ । ପ୍ରତିଦିନ ହଜାର ହଜାର ଶରଣାର୍ଥୀ ଆସି ଏଠାରେ ପହଞ୍ଚୁଛନ୍ତି ।’

ଲେହନା ସିଂହ ଏମିତି ଢେର୍ କଥା କହିଚାଲିଲା । ଶେଷରେ ସର୍ଦ୍ଦାରନୀ ରାଜିହେଲା । କିନ୍ତୁ ମାଲ୍ ବୋଝେଇ ଶଗଡ଼ ଧରି ସର୍ଦ୍ଦାରଜୀ ବାହାରିଲା ବେଳକୁ ସର୍ଦ୍ଦାରନୀ ପୁଣି ଜିଦ୍ ଧରିବିଲା ଯେ ସିଏ ସାଙ୍ଗରେ ଗୋଟିଏ ଭୁଷିକଟା କଳ ନେଇଯାଉ । ତା’ହେଲେ ଆଉ କାହା ମନରେ ସନ୍ଦେହ ରହିବନାହିଁ ଯେ ସେ ଘରଟା ସର୍ଦ୍ଦାର ଲେହନା ସିଂହର । କାରଣ, ସେ ଥିଲା ଭୁଷିକଟା ଯନ୍ତ୍ରର ସେ ସହରର ଏକମାତ୍ର ଡିଲର୍ ।

ସର୍ଦ୍ଦାରନୀର ଏ ପ୍ରସ୍ତାବଟା ଲେହନା ସିଂହର ମନକୁ ପାଇଲା । ତେଣୁ ସେ ଗୋଟିଏ ଭୁଷିକଟା ଯନ୍ତ୍ର ନେଇ ଶଗଡ଼ରେ ଲଦିଲା । ଶଗଡ଼ଟା ସେତେବେଳକୁ ଜିନିଷପତ୍ର ବୋଝେଇ ହୋଇ ଏକ ବିରାଟକାୟ ସ୍ତୂପ ପରି ଦିଶୁଥାଏ । କାଳେ ବାଟରେ ଗଲା ବେଳେ ପଡ଼ିଯିବ ସେଇ ଆଶଙ୍କାରେ ସେ ଯନ୍ତ୍ରଟିକୁ ମୋଟା ରସିରେ ଚୌକସ କରି ବାନ୍ଧିଦେଲା ।

ମାତ୍ର କେଇ ମିନିଟ ଭିତରେ ଲେହନା ସିଂହ ନୂଆ ଘରଟି ସାମ୍ନାରେ ପହଞ୍ଚି ଗଲା । ବାଟରେ ଗଲାବେଳେ, ସେ ଲକ୍ଷ୍ୟକଲା, ଗୁରଦିଆଲ ସିଂହ ତା’ଜିନିଷପତ୍ର ଓ ପିଲାଛୁଆଙ୍କୁ ଧରି ନୂଆ ଘରକୁ ଆସି ସାରିଥିଲା । ନୂଆ ଘରେ ତା’ ପିଲା ଛୁଆମାନେ ଖେଳୁଥିଲେ । ତାକୁ ଲାଗିଲା, ସେ ଯେପରି ଏକ ମସ୍ତବଡ଼ ଭୁଲ୍‌ କରିଦେଇଛି । ସିଏ ବି ସର୍ଦ୍ଦାରନୀ ଓ ପିଲାଛୁଆଙ୍କୁ ଧରି ଆସିଥିଲେ ଭଲ ହୋଇଥାନ୍ତା । ଗୁରଦିଆଲ ସିଂହ ଭଳିଆ ଦୁର୍ବଳ ଲୋକଟା ତ ପୁଣି ତା’ ପିଲାଛୁଆଙ୍କୁ ଆଣି ନୂଆ ଘରେ ରଖି ପାରିଛି ।

ଏପରି ଚିନ୍ତା ତା’ମନକୁ ଆସିବା ମାତ୍ରେ ସେ ନିଜର ନୂଆଘର ସାମ୍ନାରେ ଜିନିଷପତ୍ର ଓହ୍ଲେଇଦେଇ ପ୍ରଥମେ ଗୁରଦିଆଲ ସିଂହକୁ ଡାକି କହିଲା, ‘ଭାଇ, ମୋ ଜିନିଷପତ୍ର ଉପରେ ଟିକେ ନିଘା ରଖିଥା’ । ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ସର୍ଦ୍ଦାରନୀ ଓ ପିଲାଛୁଆଙ୍କୁ ଧରି ଫେରିଆସୁଚି । ମୋ ପିଲାମାନେ ଆସିଲେ ଆମେ ଦି’ଜଣ ପଡ଼ୋଶୀ ହୋଇ ରହିପାରିବା । ତା’ଛଡ଼ା ଦୁଇ ସର୍ଦ୍ଦାରନୀ ସାଙ୍ଗସାଥୀ ହୋଇ ଚଳିବେ ।’

ଲେହନା ସିଂହ ଶଗଡ଼ଟା ବୁଲେଇ ପୁଣିଥରେ ତା’ ପୁରୁଣା ଘରଆଡ଼େ ଚାଲିଲା । ଘରେ ପହଞ୍ଚି ସର୍ଦ୍ଦାରନୀକୁ ଡାକଛାଡ଼ିଲା- ‘ଜଲଦି ଜଲଦି ବାହାରିପଡ । ଆମେ ସମସ୍ତେ ନୂଆଘରକୁ ଚାଲିଯିବା ।’

ମାତ୍ର ଦେଢ଼ଘଣ୍ଟା ଭିତରେ ଲେହନା ସିଂହ ପିଲାଛୁଆଙ୍କୁ ଧରି ଆସି ନୂଆ ଘର ପାଖରେ ପହଞ୍ଚିଗଲା । କିନ୍ତୁ ଇଏ କ’ଣ? ତା’ ନୂଆ ଘର ଦରଜାରେ ଲାଗିଥିବା ତାଲାଟିକୁ କିଏ ଭାଙ୍ଗିଦେଇଚି! ଘର ସାମ୍ନାରେ ତା’ର କୌଣସି ଜିିନିଷପତ୍ର ନାହିଁ । କେବଳ ସେ ଭୁଷିକଟା ଯନ୍ତ୍ରଟା ବିଶ୍ୱସ୍ତ ଦରୱାନଟିଏ ପରି ସେଇଠି ଥୁଆ ହୋଇଛି ! ବ୍ୟସ୍ତ ବିବ୍ରତ ହୋଇ ଲେହନା ସିଂହ ଗୁରଦିଆଲ ସିଂହର ଘରଆଡ଼େ ଦୌଡ଼ିଗଲା । ହେଲେ ତା’ଘରୁ ଆଉ ଜଣେ ନୂଆ ସର୍ଦ୍ଦା ବାହାରିଲେ । ତା’ଠାରୁ ଲେହନା ସିଂହ ଜାଣିବାକୁ ପାଇଲା ଯେ ଗୁରଦିଆଲ ସିଂହ ଏଇ ଆରପାଖ ଗଳିରେ ଆଉ ଗୋଟିଏ ଭଲ ଘର ସନ୍ଧାନ ପାଇ ସେଠାକୁ ଚାଲିଯାଇଛି । ଲେହନା ସିଂହ ରାଗରେ ଦାନ୍ତ କଡ଼ମଡ଼ କଲା, ରକ୍ତ ଚାଉଳ ଚୋବେଇହେଲା । ସେ ଖୋଳ ଭିତରୁ କୃପାଣଟିକୁ କାଢ଼ି ନିଜ ନୂଆ ଘର ଆଡ଼େ ପୁଣି ଦୌଡ଼ିଲା । କିଏ ତା’ଜିନିଷପତ୍ର ଲୁଟ କରିଚି ସେକଥା ଜାଣିବା ଲାଗି ବେଳକୁ ବେଳ ତା’ମନ ଅସ୍ଥିର ହୋଇ ଉଠୁଥାଏ । ଲେହନା ସିଂହ ନିଜର ନୂଆଘର ବାରଣ୍ଡା ଉପରକୁ ଉଠିବା ଲାଗି ଉଦ୍ୟତ ହେବାମାତ୍ରେ ଦି’ଜଣ ମୋଟାସୋଟା ଶିଖ୍‌ଲୋକ ତାକୁ ବାଧାଦେଲେ । ସେମାନେ ଶଗଡ଼ରେ ବସିଥିବା ତା’ର ସ୍ତ୍ରୀପିଲାଙ୍କ ଆଡ଼େ ଦେଖାଇ କହିଲେ ଯେ ଏ ଘର କି ଇଲାକା ଶରଣାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ‘ଏ ଘରଟା ହେଲା ସର୍ଦ୍ଦାର ବଲୱନ୍ତ ସିଂହ’ର । ଲେହନା ସିଂହ କାନରେ ଏଇ ନାଁଟି ପଡ଼ିବା ମାତ୍ରେ ତା’ ଛାତି ଭିତରଟା ଥରି ଉଠିଲା । କୃପାଣଟା ପୁଣି ଆପେ ଆପେ ଖୋଳ ଭିତରେ ଭର୍ତ୍ତି ହୋଇଗଲା ଓ ମୁଣ୍ଡର ପଗଡ଼ିଟା ଢ଼ିଲା ଲାଗିଲା । କାରଣ, ସର୍ଦ୍ଦାର ବଲୱନ୍ତ ସିଂହ ହେଲା ଥାନା ଅଧିକାରୀ ।

ଲେହନା ସିଂହ ବେଶ୍ ଧୀର ନରମ ସ୍ୱରରେ କହିଲା, ‘ହଜୁର୍‌, କିଛି ସମୟ ଆଗରୁ ମୁଁ ଏଇ ଘର ଦରଜାରେ ମୋ ତାଲାଟା ପକେଇ ଯାଇଥିଲି ।’ ‘ଭଲରେ କହୁଚି, ଏଠାରୁ ପଳା । ତୋର ଯଦି କିଛି କହିବାର ଅଛି, ତା’ହେଲେ କୋର୍ଟରେ ଯାଇ ମୋ ନାଁରେ ନାଲିସ୍ କର୍ । ଅନ୍ୟର ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ତୋର ସାହସ ହେଲା କେମିତି?’

ଭେଣ୍ଡା ଶିଖ୍ ଦି’ଜଣ ସର୍ଦ୍ଦାର ଲେହନା ସିଂହକୁ ବାରଣ୍ଡା ଉପରୁ ତଳକୁ ଧକ୍କାଟିଏ ଦେଲେ । ସେତିକି ବେଳେ ଲେହନାର ନଜର ପଡ଼ିଲା ତା ଭୁଷିକଟା ଯନ୍ତ୍ରଟା ଉପରେ । ସେ ମନେମନେ ଆଶ୍ଚର୍ଯ୍ୟ ହୋଇ କହିଲା, ‘ଏଇ ଦେଖ, ମୋ ଭୁଷିକଟା ଯନ୍ତ୍ରଟା ବି ଏଇଠି ଥୁଆ ହୋଇଛି । ତୁମେ ଯାହାକୁ ପଚାର, ସେମାନେ ଏ ମେସିନଟା ମୋର ବୋଲି କହିବେ ।’ କିନ୍ତୁ ଲେହନା ସିଂହ ଲକ୍ଷ୍ୟକଲା, ସେ ଘର ଭିତରୁ ଅନ୍ୟ ଯେଉଁ ଶିଖ୍ ଲୋକ ଓ ପିଲାମାନେ ବାହାରିଲେ ସେମାନଙ୍କୁ କାହାରିକୁ ସେ ଚିହ୍ନିନଥିଲା ।

ଜଣେ ଶିଖ୍ ଲେହନା ସିଂହକୁ ଚାହିଁ କହିଲା, ‘ଆରେ, ତୋର ଯଦି ଏ ଭୁଷିକଟା ଯନ୍ତ୍ରଟା ଦରକାର ତା’ହେଲେ ତୁ ସେଇଆ ସିଧାସଳଖ କହ ।’ ଏତିକି କହି ସେ ଆର ଶିଖ୍‌ ଲୋକଟି ଆଡ଼େ ଚାହିଁ କହିଲା, ‘କର୍ତ୍ତାର ସିଂହେ, ସେ ମେସିନଟାକୁ ଫିଙ୍ଗି ଦେ’ । ଏଗୁଡ଼ାକ ଦରିଦ୍ର ଶରଣାର୍ଥୀ । ଏ ଭୁଷକଟା ଯନ୍ତ୍ରଟା ନେଇ ଅବା ଆମର କ’ଣ ହେବ? ସେମାନେ କାହାଘରେ ଭୁଷିକାଟି ସେଇଥିରେ ଚଳିଯିବେ । ଏତିକି କହି ଦୁହେଁ ଭୁଷିକଟା ଯନ୍ତ୍ରଟାକୁ ଟେକି ରାସ୍ତା ଉପରକୁ ଫିଙ୍ଗିଦେଲେ । ଲେହନା ସିଂହ କେଇ ଘଣ୍ଟା ଧରି ସେ ଗଳିସାରା ନିଜର ଜିନିଷପତ୍ର ଖୋଜି ବୁଲିଲା । କିନ୍ତୁ ତା’ର ସନ୍ଧାନ ମିଳିଲାନି । ଶେଷରେ ହତାଶ ହୋଇ ସେ ନିଜ ପୁରୁଣା ଘର ଆଡ଼େ ଚାଲିଲା । ତା’ ପଛେ ପଛେ ସର୍ଦ୍ଦାରନୀ ଓ ପିଲାଛୁଆ ଚାଲିଥାନ୍ତି । ଭୁଷିକଟା ଯନ୍ତ୍ରଟା ଶଗଡ଼ରେ ଲଦା ହୋଇ ସେମାନଙ୍କ ପିଛା କରୁଥାଏ ।

ଅନୁସୃଜନ: ସୁଭାଷ ଶତପଥୀ