କବିତା : ଏମିତି ଏକ ଦେଶ

ଲକ୍ଷ୍ମୀପ୍ରିୟା ଓଝା 

ଏମିତି ଏକ ଦେଶ
ଯେଉଁଠି ନବେ ଭାଗ ଜମି ବଞ୍ଜର,
ଦଶ ଭାଗରେ ହସୁଥାଏ ସଫେଦ ଜହର ।
ପ୍ରକୃତି ଘୋଡେଇ ହେଇଥାଏ
ପାହାଡ଼ ଓ ବାଲିର ଚାଦର,
ଯେଉଁଠି ଭୋକ ଆଉ ଭୋକ,
ଜ୍ଞାନ, କୌଶଳର ଅଭାବରେ
ମୂଲ୍ୟହୀନ କୋଳର ଖଣିଜ ଖଦାନ ।

ଏମିତି ଏକ ଦେଶ
ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିବା
ମାତ୍ର ବାରବର୍ଷ ଝିଅର ଆଖି ଦେଖୁଥାଏ
ନରଭୁକଙ୍କ ହାତରେ ବ୍ୟବଛେଦ ହେଉଥିବା
ନିଜ ଶରୀରର ଚିତ୍ର ।
ନୃତ୍ୟାଙ୍ଗନାର ପାଦରେ ନୁହେଁ
ମୁଣ୍ଡ ଉପରେ ଅନବରତ ନାଚୁଥାଏ
ମୃତ୍ୟୁର ଘୁଙ୍ଗୁର ।
ମା ଟିଏ କ୍ଷଣ ମାତ୍ର ବିଳମ୍ବ ନକରି
ଅଜଣା ସୈନିକ ହାତରେ ଟେକିଦିଏ
ବଞ୍ଚିଯିବାର ମୋହ ନେଇ
ନିଜର ସନ୍ତାନ |

ଏମିତି ଏକ ଦେଶ
ଯାହା ପାଇଁ
ବିଶ୍ୱ ସଙ୍ଗଠନ ଚୁପ,
ମହିଳା ସଙ୍ଗଠନ ଚୁପ,
ମାନବ ଅଧିକାର ସଂସ୍ଥା ଚୁପ,
ଶକ୍ତିଶାଳୀ ଦେଶମାନେ ଚୁପ,
ରାଷ୍ଟ୍ର ନାୟକ ମାନେ ଚୁପ ।

ଏମିତି ଏକ ଦେଶ
ଯେଉଁଠି ଧର୍ମ ପାଖରେ ହାରୁଥାଏ
ଦେଶ, ଦେଶପ୍ରେମ, ମାନବିକତା, ମମତ୍ୱ ।
ଜୀବନ ନୁହେଁ, ସମୃଦ୍ଧି ନୁହେଁ,
ସମ୍ମାନଜନକ ମୃତ୍ୟୁ ପାଇଁ
ପ୍ରାଥନାରତ ଏଠି କୋଟି କୋଟି ହାତ ।
ଏମିତି ଏକ ଦେଶ ।

ବରୋଦା, ଗୁଜରାଟ ।