ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୮
ସତକୁ ସତ ଆମ ପ୍ରିୟ କୁନୁ ମାଉସୀ ବଦଳିଯାଉଥିଲା ଧିରେ ଧିରେ। ମନ କାହାକୁ ଦେବନି ବୋଲି ଯୋଉ ପ୍ରତିଜ୍ଞା ଥିଲା ସେସବୁ ଉଭେଇ ଯାଉଥିଲା ଛାଆଁକୁ ଛାଆଁ। ମନ ପୁଣି କ’ଣ ଯେ ….ଶୂନ୍ୟରୁ ମହାଶୂନ୍ୟକୁ ଉଡାଣ। ପବନକୁ ଗଣ୍ଠି ପକେଇବ କିଏ ସେ ! ମାଆ ହେବାର ପୁଲକ ଏବେ ଦେହମନରେ ବାସ୍ନାୟିତ। ଫୁଲ ଫୁଟିଲେ ବାସେ। ଦିଦିକୁ ଅସହ୍ୟ ଏସବୁ। ଆରମ୍ଭ ହେଲା ଫିଙ୍ଗିବା ତା’ଭାଷାପେଡିରୁ କିଛି କିଛି। ସେ କଦର୍ଯ୍ୟ ଗାଳିକୁ ହଜମ କରିବା ଦୁଷ୍କର। ତା’ ନିଷ୍ଠୁର ପରାମର୍ଶ ଶୁଭିଲାନି ମାଉସୀକୁ। ଦିଦିର ଟଙ୍କା ଦରକାର ।ବହୁଗୁଣିତ କରିବାର କୌଶଳ ତା’କୁ ଶହେରୁ ଶହେ ଜଣା। ଯିଏ ତା’ କାମ ଠିକ୍ ଭାବରେ କରିବ ସେ ପ୍ରିୟ ମଣିଷ ତା’ର ।ବାକି ସବୁ ତୁଚ୍ଛ ତା’ ପାଇଁ। କେବେ କାହାର ଇଚ୍ଛାକୁ ସେ ପ୍ରାଧାନ୍ୟ ଦେଇନି କି ଦବନି ଜାଣି ବସ୍ତିର ଗଛଲତାବି ପାଲଟିଯାଆନ୍ତି ଇଟା, ଗୋଡି , ପଥର।
ଦିନେ ଦେଖିଲାବେଳକୁ କୁନୁମାଉସୀ ନାହିଁ ତା’ଘରେ। ଖୋଜା ଖୋଜି ସହ ତନାଘନା ଚାଲିଲା। ନଜର କୋଉଠି ଆଉ ତୀର କୁଆଡେ ଗଲାଣି । ଡକାହେଲା ମକବୁଲ ଭାଇକୁ। ସେ ହିଁ ନବା ଆଣିବା କରେ। ଅଶ୍ରାବ୍ୟ ଭାଷାରେ ଗାଳି ପଡିଲା ତା’ ଉପରେ। କାମରେ ଖଇଚା ମାନେ ଚାଚା ବିଦାରିଦବ। ଭାଇ କିଛି ଜାଣେନି ବୋଲି କହିହେଲା ବାରମ୍ବାର। ନିରୀହ ଆଖିତଳେ ସୈତାନି ବୁଦ୍ଧି ଲୁଚିଥିଲା କହି ଦିଦି ଗାଳିଦେଉଥାଏ ତା’ ଢଙ୍ଗରେ। କିଏ ଏ ବସ୍ତିର ଝିଅକୁ ସମ୍ମାନ ଦିଏ…ନିଜର କରେ ମ। ଅନ୍ଧାରରେ ଟୋପାଏ ସିନ୍ଦୂର ଲୁଚେଇକି ଦେଲେ କ’ଣ ନିଜର ହୋଇଯାଏ? ଦିନରେ ପରା ଜଳକା ପ୍ରାୟ ଚିହ୍ନି ପାରନ୍ତିନି । ଅଛପା ତ ନୁହେଁ ଏକଥା। ବୁଦ୍ଧି ହଜିଗଲା କି ଆଉ। ମୁଖା ବିନା ଗତି ନାହିଁ ଯୋଉମାନଙ୍କର, ସେମାନଙ୍କୁ କି ବିଶ୍ବାସ କରିହୁଏ ? ଅସଂଖ୍ୟ ପ୍ରଶ୍ନବାଣ ..। ଟିକିଏ ସରଳ ହେଲେ ଆଗ ହଣାଖାଇବା ସ୍ଥିର ନିଶ୍ଚିତ। ସିନ୍ଦୂର ମୋହ ଭୀଷଣ କଷ୍ଟ ଦିଏ ଝିଅଙ୍କୁ । ଶ୍ୟାମଙ୍କୁ ବରିଥିବା ପ୍ରାଣ ଆଉ କୋଉଠି କାହିଁକି ମନ ଦିଏ ଯେ! ମାଉସୀର ମନ ଗଛ କୋରଡରେ ଥିଲା , ସେଇଠୁ ସେ ବେତାଳ ହୋଇଗଲା। ପାରିବକି ସେ ପହଁରି , ପାରିବକି ସାଧାରଣ ଜୀବଟିଏ ହୋଇ,ପାରିବକି ଧରି , କେଜାଣି ..।
ସ୍ବପ୍ନସବୁ ଝଡ ଆଗରେ ମଥା ପାତନ୍ତି। ଧ୍ବସ୍ତ ବିଧ୍ବସ୍ତ ହେବାପରେ ପୁଣି ,କଅଁଳିବାର ଆଶା ରଖନ୍ତି। ଇଚ୍ଛା…ପ୍ରବୃତ୍ତି …ଲଢେଇ ଅନବରତ ‘ମୁଁ’ ସହିତ। ମେଘରେ ମେଘ ଧକ୍କା ହେଲେ ବର୍ଷା ଅନିବାର୍ଯ୍ୟ। ଆଉ ଧକ୍କା ସହିପାରିଲେ ହେବ ସିନା। ଧକ୍କା ସହିବାକୁ ଦମ୍ଭିଲା ମନ କାହିଁ ? ଆଉ ଧୋକା ଦେଉଥିବା ଲୋକର କ’ଣ ବେଶି ଦମ୍ଭ ! କେମିତି ମ ଧକ୍କା ପରେ …ଧୋକା … ସହିବ ବୋଲି କେତେ ସହିବ।
ରାତି ଦିନ ସେଇ ଗୋଟିଏ କଥା। ସ୍ବପ୍ନ ଦେଖ। ଆଶା ରଖ ।ଆଗକୁ ଯାଅ। ସ୍ବପ୍ନ ଦେଖିଥିବା ଆଖି ସମୁଦ୍ରକୁ ଯେତିକି ଜାଣିଚି, ନଈ,ଝରଣାକୁବି ସେତିକି ଚିହ୍ନିଚି। ସାକାର କରିବାର ପ୍ରଯତ୍ନ ନିଶ୍ଚୟ କରିବ ସିଏ।
ଢୋଲ ,ମହୁରୀ ,ଫୁଲମାଳ ସହିତ ବାହା ହୋଇଗଲା ଆମ ମାଉସୀ। ଲୁଚେଇଦେଲେ ଘରଲୋକମାନଙ୍କୁ ଏକଥା ଛୋଟରାୟ ବାବୁ। ହୋଟେଲ,ଡାକବଙ୍ଗଳା ପରେ କଲିକତା, ସେଇଠୁ ଦାର୍ଜିଲିଂ ଦେଇ ସିମଳା। ପୂରା ସିନେମା ଗପ ଭଳି ଲାଗୁଥିଲା ରୁବିର କଥା। ବିଶ୍ବାସ କମ୍ ଅବିିଶ୍ବାସ ବେଶି ଲାଗୁୁୁୁଥିଲା ଏସବୁ ଶୁଣିି।
ପ୍ରକୃତି ସହ ଏକାତ୍ମ ସେସମୟ। ମନ ସହ ମନର ମିଳନ। ଘର ଲୋକେ ବ୍ୟସ୍ତ ହେଲେ , ଖୋଜିଲେ,ଫୋନକଲେ। ବଡ କରୁଣ ସ୍ବରରେ ମହାଶୟ ‘ବ୍ୟସ୍ତ ରହୁଛି’ ବୋଲି ପ୍ରତିଥର ଜଣାଇଲେ। ଘରେ ଧୈର୍ଯ୍ୟହରା ମଣିଷ, ଆଉ ସେ ଦୁହେଁ ମସଗୁଲ ତାଙ୍କ ଭାବନାରେ। ମାଆ ଡାକର ମୋହ ଅନ୍ଧକରେ ମଣିଷକୁ। ଘର ଦେଖିନଥିବା ଝିଅ ‘ଘରଘର’ ବୋଲି କହି ହେଲା। ନୂଆବୋହୁ ହବାର ସ୍ବପ୍ନ ଆଖିରେ କଜଳ ହୋଇ ଝୁଲିଥିଲା। ମନରେ ଆଙ୍କିଥିବା ଚିତ୍ରକୁ ସତ କରିବାକୁ ଆପ୍ରାଣ ଚେଷ୍ଟା କଲା। ସେ ସୁଖ ନିଆରା ଜାଣିବି ହାତ ଦେଲା ସେଇଠି। ହାତ ପୋଡୁକି ରହୁ , ଚିନ୍ତା ଦକ ନାହିଁ। ତେଣିକି ଯାହା ହବ ହଉ।