ଅନୁବାଦ କବିତା : ଏଥର କବିତା ଲେଖି
ସୁନୀଲ ଗଙ୍ଗୋପାଧ୍ୟାୟ ବର୍ତ୍ତମାନ ବାଂଲାଦେଶର ଫରିଦପୁରରେ ୧୯୩୪ ମସିହା ସେପ୍ଟେମ୍ବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସୁନୀଲ କୋଲକାତା ବିଶ୍ୱ ବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ଲେଖାଲେଖିରେ ମନୋନିବେଶ କରିଥିଲେ। ବଙ୍ଗଳା ସାହିତ୍ୟରେ ରବୀନ୍ଦ୍ରନାଥଙ୍କ ପରବର୍ତ୍ତୀ କାଳର ଜଣେ ଅତ୍ୟନ୍ତ ଲୋକପ୍ରିୟ ଓ ସୃଜନଶୀଳ କବି, ଗାଳ୍ପିକ, ଉପନ୍ୟାସିକ ଓ ଐତିହାସିକ ରୂପେ ପ୍ରତିଷ୍ଠିତ ଓ ଦୁଇଶହରୁ ଅଧୁକ ପୁସ୍ତକର ଲେଖକ। ୧୯୮୫ ରେ 'ସେଇ ସମୟ' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୨ ମସିହା ଅକ୍ଟୋବର ୨୩ ତାରିଖରେ ଏହି ମହାନ ଲେଖକଙ୍କ ପରଲୋକ ଘଟିଥିଲା।
ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ
ଏଥର କବିତା ଲେଖି
ମୁଁ ଏକ ରାଜ ପ୍ରସାଦ ବନେଇବି,
ମୋର ଇଚ୍ଛା ଏଥର କବିତା ଲେଖି
ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି
ମୁଁ ଠିକ ରାଷ୍ଟ୍ରପତି ନହେଲେ ବି
ତିନି ପାଦ ଭୂମି ପାଇଁ
ପାଦ ଟେକି ରଖିବି।
ମେଷ ପାଳକର ଗୀତରେ
ଏ ପୃଥିବୀ ଋଣୀ ବହୁଦିନ
ମୁଁ କବିତା ଲେଖିଛି
ତେଣୁ ମୋର ଲୋଡ଼ା
ସ୍କଚ, ଧଳା ଘୋଡ଼ା
ଅସଲି ଦେଶୀ ଘିଅରେ ରନ୍ଧା
କୁକୁଡ଼ାର ଦୁଇଟି ଲେଗପିସ
ବାକି ମାଂସ ମୋର ଲୋଡ଼ା ନାହିଁ।
କବିତା ଲେଖିଛି ତେଣୁ
ମତେ ଦିଅ ସହସ୍ର କ୍ରୀତଦାସୀ
ଅଥବା ଗୋଟିଏ ସୁନ୍ଦରୀ ନାରୀ
ଗୋପନରେ ନୁହେଁ
ପ୍ରକାଶ୍ୟରେ , ରାଜରାସ୍ତା ପରେ
ମୁଁ ତାର ଜଙ୍ଘ ଧରି ଦୟା ଚାହିଁପାରେ।
ବୁଲା କୁକୁର ପରି ମୁଁ ଅନ୍ୟର
ପାଦ ଧୂଳିରେ ଗଡ଼ି ଗଡ଼ି ଆସିଛି
ହାଡ଼ରୁ ରକ୍ତ ନିଗାଡ଼ି
ଏବେ ବି ଠିଆ ହୋଇଛି
ଭିକ୍ଷା ମାଗି ମଣିଷର ମାନବତା ଖୋଲି
କପାଳରେ ଜ୍ଵର, ଛେପ ଥୁକା , ଶ୍ଵାସ କଷ୍ଟରୁ
ଉଠି ଆସିଛି କବିତା ପାଇଁ।
ମାତାଲ , ଚଣ୍ଡାଳ ହୋଇ
ନିଜକୁ ଜଳାଇ ପାଉଁଶ କରି
ନିଜର ନିଃସଙ୍ଗ ଘରର ଅସହାୟତାର
ହାହାକାର ଭିତରୁ ମୁଁ ଜାଗି ଉଠିଛି
କବିତା ଲେଖାର ସବୁ ପ୍ରତିଶୋଧ ନେବାକୁ
ମୁଁ ଅଣ୍ଟା ସଲଖି ଛିଡ଼ା ହୋଇଛି।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.