କାହା ଡାକରେ ଉଚ୍ଚାଟ ହେଉଛି ମନ
ବେଳକୁ ବେଳ, ଥରକୁ ଥର
ଭାଙ୍ଗି ଯାଉଛି ସଂକଳ୍ପ
ସଂଯମତାର କଠୋର ବ୍ରତ ।
ଅନୁଭବ କରିପାରୁଚି ଏବେ ମୁଁ
ମୋ ଆଖିର ଆଢୁଆଳେ
କେଉଁଠି ବର୍ଷା ହେଉଚି !
ସାମ୍ନାରେ ଠିଆ ହୋଇଚି କିଏ ଜଣେ
ପ୍ରଶ୍ନମାନଙ୍କର ସମାହିତ ଛାୟା
ଯଶୋଧାରା, ଗୌତମୀ, ଗୋପା କି ଆମ୍ରପଲୀ ପରି ଏକ
ସୁନ୍ଦରୀ ତରୁଣୀର ଆବେଶରେ ।
କାହାର ଡାକରେ ଆଜି ଉଚ୍ଚାଟିତ ମନ
କେଉଁଠି ଝରୁଛି ଲୁହ?
ପବନରେ ଚହଟି ଯାଉଚି
ନାଁ ମନେ ନ ଥିବା
କେଉଁ ଗୋଟେ ଫୁଲର ସୁବାସ
ଭୁଲାଇ ଦେଇଚି ଯିଏ, ମନ୍ତ୍ରଫନ୍ତ୍ର
କାମନାର ବିନାଶରେ ଦୁଃଖର ବିନାଶ
ମନେ ପଡି ଯାଉଚି
ଦେଇଥିବା ପ୍ରତିଶ୍ରୁତି କାହାକୁ,
ଅବୋଧ ଶିଶୁ ପରି କଅଁଳ ସ୍ମୃତିର ମୁହଁ
ପ୍ରତୀକ୍ଷା ଥିବା ଗୋଟେ
ପଣତର ମୁହଁ ।
ବୋଧିଦ୍ରୁମ ରହି ଯାଇଚି ଅନେକ ଦୂରରେ
ମୋତେ ଅବୁଦ୍ଧ କରି
ଅଧବାଟରୁ ଫେରାଇ ଆଣିଚି
କାହାର ସେ ଡାକ
ମନ୍ତ୍ର ଫୁଙ୍କିଲା ପରି କାନରେ କହିଚି
ନିର୍ବାଣ ଜୀବନର ଶେଷ କଥା ନୁହଁ ।
Comments are closed.