ସୁପ୍ରିୟା ପଣ୍ଡା
(୧)
ଉତ୍କଳ ଦିବସ ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ ଉଚ୍ଚପଦସ୍ଥ ଅଣ ଓଡ଼ିଆ ଅଫିସରଙ୍କୁ ଡାକିବାପାଇଁ ସ୍ଥିର କରାଗଲା। ଅନୁଷ୍ଠାନର ବୁଦ୍ଧିଜୀବୀଙ୍କ ମତରେ ଓଡ଼ିଆ ନ ହୁଅନ୍ତୁ ପଛେ ସରକାରୀ କାମ ପଡ଼ିଲେ, କାମରେ ଆସିବେ ତ !
(୨)
ମାର୍ଚ୍ଚ ପନ୍ଦର ବି ଯାଇନି ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ମହାପାତ୍ର ନିଜ ପଡ଼ୋଶୀ ଓଡ଼ିଆ ଅଧ୍ୟାପକ ରାମକୃଷ୍ଣ ବାବୁଙ୍କଠାରୁ ଉତ୍କଳ ଦିବସର ବିଶେଷତ୍ୱ ଉପରେ ତିନିପୃଷ୍ଠାର ଭାଷଣ ଲେଖାଇ ଆଣି ମୁଖସ୍ଥ କରିବା ଆରମ୍ଭ କରିଦେଲେ। ଏବେ ଯେଉଁ ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ ଆସିଲେ ବି ଆଉ ଅସୁବିଧା ନାହିଁ । ନହେଲେ ଦୁଇବର୍ଷ ତଳେ ଯେଉଁ ହଇରାଣ ହୋଇଥିଲେ ସେକଥା ମନେ ନ ପକାଇବା ଭଲ ।
(୩)
ସହରର ସ୍ୱନାମଧନ୍ୟ ମହିଳା ସଙ୍ଗଠନ ଦ୍ୱାରା ସବୁବର୍ଷ ଧୁମଧାମରେ ଉତ୍କଳ ଦିବସ ପାଳନ କରାଯାଏ। ହେଲେ ଗତବର୍ଷ ଲକଡାଉନରେ ଉତ୍କଳଦିବସ ପାଳନ ଫିକା ପଡ଼ି ଯାଇଥିଲା। ସେଥିପାଇଁ ଏ ବର୍ଷ ମହିଳା ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଅଧିକ ଆଗ୍ରହରେ ଆରମ୍ଭ ହୋଇ ଯାଇଛି। ଯେମିତିକି ସମସ୍ତେ ଶାଢ଼ୀ ତ ପିନ୍ଧିବେ, କିନ୍ତୁ ଏକା ରଙ୍ଗର ହେବା କଥା । ସମସ୍ତଙ୍କ ଓଡ଼ିଆଣି ପରି ବେଶ ହେବା ଆବଶ୍ୟକ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା କେକ ବଦଳରେ ଗୋଟା ଛେନାପୋଡ଼ କଟାହେବ। ଯାହା ହେଲେ ବି ଉତ୍କଳ ଦିବସ ପାଳନର କଥା । କିଛି ତ ଓଡ଼ିଆ ପଣ ନିହାତି ରହିବା ଦରକାର।
(୪)
ଆପାର୍ଟମେଣ୍ଟର ସୋସାଇଟି ମିଟିଂରେ ଉତ୍କଳ ଦିବସ ପାଳନ କରାଯିବା ନିଷ୍ପତ୍ତି ହେଲା ପରେ ସବୁଠୁ ବିଳାସପୂର୍ଣ୍ଣ ଫ୍ଲାଟରେ ରହୁଥିବା ମିଶ୍ରବାବୁ ବଜାର ଯାଇ ଗୋଟେ ସୁପର ଫାଇନ ଧୋତି ଓ ଧଳା ପଞ୍ଜାବୀ କିଣି ଆଣିଲେ। ତାପରଠୁ ରୀତିମତ ୟୁଟ୍ୟୁବରୁ ଧୋତି ପିନ୍ଧା ଶିଖୁଛନ୍ତି । ଅସଲରେ ଧର୍ମପତ୍ନୀଙ୍କ ପରାମର୍ଶରେ ଗୋଟେ ପୁରୁଣା ଶାଢ଼ୀ ଧରି ଚେଷ୍ଟା ଚଲେଇଛନ୍ତି । ନହେଲେ ନୂଆ ଧୋତିର ଭାଙ୍ଗ ଖରାପ ହୋଇଯିବ। ଆଉ ଉତ୍କଳ ଦିବସରେ ପିନ୍ଧିବେ କ’ଣ?
(୫)
ଉତ୍କଳ ଦିବସ ପାଳନ ପାଇଁ ପିଲାଙ୍କୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଶିଖେଇବା ଦାୟିତ୍ୱ ପ୍ରଭାକୁ ଦିଆଯାଇଛି। ହେଲେ ପିଲାଙ୍କୁ ଶିଖେଇ ଶିଖେଇ ବିରକ୍ତ ହୋଇ ଗଲାଣି ପ୍ରଭା। ବଡ଼ ବିରକ୍ତିକର ଏ ସବୁ । ଉଚ୍ଚାରଣ ଗୁଡ଼ିକ ପାଟିରେ ପଶୁନି। ପିଲା ତ ଓଡ଼ିଆ ପଢ଼ି ପାରିବେନି, ନହେଲେ ଗୋଟେ ଗୋଟେ କାଗଜ ଧରେଇ ଦେଇଥିଲେ କାମ ସରିଥାନ୍ତା। ଆଉ ପିଲାମାନେ ବି କମ୍ ନୁହଁନ୍ତି । ପ୍ରତିଟି ପଦର ପ୍ରତିଟି ଶବ୍ଦର ଅର୍ଥ ପଚାରୁଛନ୍ତି। ଯେମିତିକି ପୂତ , ପୟୌଧି , ବିଧୌତ ଇତ୍ୟାଦି ଇତ୍ୟାଦି। ଏସବୁ ଶବ୍ଦର ଅର୍ଥ ପ୍ରଭାକୁ ଜଣା ନାହିଁ କି ଗୁଗୁଲରେ ବି ମିଳୁନାହିଁ । ଓଡ଼ିଆ ପଢ଼ିବା ବୁଝିବା କେତେ କଷ୍ଟ ତାହା କେବଳ ପ୍ରଭା ହିଁ ବୁଝିପାରୁଛି !
ରସୁଲଗଡ଼, ଭୁବନେଶ୍ୱର
Comments are closed.