ଅମ୍ବିକେଶ ରାଉତ
ତୁମେ ହସ
କେବେ ଲୁହ
କେବେ ସମୁଦ୍ରଏ କୋହ
ତ ପୁଣି କେବେ ମୋ ବଞ୍ଚିବାର ମୋହ ।
ମୁଁ ଭାଙ୍ଗେ ତୁମକୁ
ତୁମେ କିନ୍ତୁ ଗଢିଛ
ଗଢି ଚାଲିଛ ଅହରହ ।
ମୁଁ ଡରେ, ଡରାଏ
ତୁମେ କିନ୍ତୁ ବୁଝ, ବୁଝାଅ
କେବେ ମୁଁ ନିଆଁ ହେଲେ, ତୁମେ ଜଳ
ମୁଁ ତ ଅବୁଝା , ତୁମେ ବି ହେଲ ।
ତୁମେ କୁହ, ଚାଲ ବଞ୍ଚିଯିବା ବାକିତକ ଜୀବନ
ମୁଁ କିନ୍ତୁ ଦୂରତା ତିଆରେ ବାରମ୍ବାର
ତୁମେ ଅଭିମାନ କର..
ପ୍ରତୀକ୍ଷାର ପ୍ରତ୍ୟାଶାରେ ଜର୍ଜରିତ ହୁଅ
ତଥାପି ମୁଁ ଚୁପ
ମୁଁ କୁହେ ପ୍ରାପ୍ତିରେ ପ୍ରେମ
ଅପ୍ରାପ୍ତିରେ ଅବଶୋଷ
ତୁମେ ବୁଝାଅ, ପ୍ରେମ ତ ଆଞ୍ଜୁଳାଏ ଆବେଗ
ଗୋଟେ ସତେଜ ଫୁଲର ବାସ୍ନା
ଦୂରଦିଗବଳୟକୁ ବହି ଯାଉଥିବା ଏକ ଅମାନିଆ ନଈ
ଝିଲମିଲ ତାରାଙ୍କ ମେଳରେ ଝଲସି ଉଠୁଥିବା ଏକ ମତୁଆଲା ସନ୍ଧ୍ୟା
ହେଲେ ଏସବୁ ନିରର୍ଥକ ହୁଏ ମୋ ପାଇଁ
ତୁମ ଉପସ୍ଥିତି ଜୀବନର ପ୍ରତିଟି ବସନ୍ତକୁ ପୁଲକିତ କରୁଥାଉ।
Comments are closed.