ରାଜ କିଶୋର ନାୟକ
ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି
ବରଷା ତ ଯେବେ ଆସେ
ବାସ ଚହଟାଇ ସଜ ମଲ୍ଲୀ ଫୁଲେ
ମୌସୁମୀ ଧରାରେ ହସେ (୦)
ଯାଇଛି ନିଦାଘ ଆସିଅଛି ଏବେ
ଆଷାଢ ବରଷା ଟୋପା
ଟୋପା ନୁହେଁ ସେତ ମୁକ୍ତାର ଝଲକ
ଧରା ପୃଷ୍ଠ ଅପରୂପା
ସବୁଜ ଘାସରେ ମୋତି ମାଣିକର
ସତେକି ପସରା ବସେ
ମୌସୁମୀ ଧରାରେ ହସେ ( ୧ )
ମେଘ ବରଷଇ ଟୁପୁରୁ ଟୁପୁରୁ
ଆକାଶେ ରଙ୍ଗ ରୋଷଣୀ
ବିଜୁଳୀ ଚମକେ ଘଡଘଡି ଡାକେ
ସଜାଗ ହୁଏ ମେଦିନୀ
ଦର୍ଦୁର ରଟିଲେ ସମୟ ହୋଇଲେ
ପିକ କୁହୁ ଧ୍ବନି ନାଶେ
ମୌସୁମୀ ଧରାରେ ହସେ ( ୨ )
ଝଡ଼ି ବରଷାର ତମସା ରାତିରେ
ଝିଙ୍କାରୀର ଝିଂ ଝିଂ ସ୍ବରେ
ରାତି ଗାଉ ଥାଏ ପ୍ରଣୟ ଗୀତିକା
ନହୁଲୀ ନଦୀର ତୀରେ
ପ୍ରଥମ ଯୌବନା ନଦୀର ରାଗିଣୀ
ଶୁଣିବାକୁ କେହି ଆସେ
ମୌସୁମୀ ଧରାରେ ହସେ
ମୌସୁମୀ ଧରାରେ ହସେ (୩ )
ତଳବଙ୍ଗାଳ,କୁଶୁବେଣ୍ଟି,
ବ୍ରହ୍ମଗିରି,ପୁରୀ
ଦୂରଭାଷ-୭୦୦୮୫୬୯୯୩୦
Comments are closed.