Latest Odisha News

କବିତା : ନଈ ସେପାରି ଗାଁ

ରାଜ କିଶୋର ନାୟକ 

ନଈ ସେପାରି ଗାଁ
ସେ ଗାଁ ଉପରେ ସବୁଜ ପତରେ
ଲେଖା ମୋ ପ୍ରିୟାର ନାଁ (୦)

ଅଳସୀ ନଈର ସୁନେଲୀ ଢେଉରେ
ପ୍ରିୟା ମୋ ଦେଖଇ ମୁହଁ
ନିର୍ମଳ ଶରତେ ଅନାଵିଳ ଜଳେ
ପଖାଳେ ତା ଗୋରା ଦେହ
କାଶତଣ୍ଡୀ ବଣେ ପାଦ ଥାପି ଥାପି
ଖେଳେ କନକ କନିଆଁ
ନଈ ସେପାରି ଗାଁ …….l୧l

ନଈ ସେପାରିରୁ ଫୁଲ ସଞ ବେଳେ
ଶୁଭେ ଖିଲି ଖିଲି ହସ
ଅଧୀର ପବନ ପହଞ୍ଚାଇ ଦିଏ
ମୋ ପ୍ରିୟା ଦେହ ସୁବାସ
ସେ ମଧୁର ଵାସ୍ନା ଵୋଳିହୋଇଗଲେ
ଦେହରେ ଲାଗଇ ନିଆଁ
ନଈ ସେପାରି ଗାଁ………..l୨l

ବରଷା ଆସିଲେ କାଗଜ ଡଙ୍ଗାରେ
ଲେପି ପ୍ରୀତିର ମହକ
ନଈର ଧାରରେ ଭସାଇ ଦିଏ ସେ
ନିଛକ ପ୍ରେମ ସନ୍ତକ
ଗଭୀର ଗଣ୍ଡରେ ଭଉଁରି ସୁଅରେ
ଡୁବେ ନାହିଁ ସେହି ନାଆ
ନଈ ସେପାରି ଗାଁ……….l୩l

ତଳବଙ୍ଗାଳ,କୁଶୁବେଣ୍ଟି,ବ୍ରହ୍ମଗିରି,
ପୁରୀ ,
ମୋ- ୭୦୦୮୫୬୯୯୩୦

Leave A Reply

Your email address will not be published.