Latest Odisha News

BREAKING NEWS

କବିତା : ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ 

ମରିଗଲା ପରେ ମଶାଣିରେ ଜଳି
ଯଦି ମୁଁ ପାଉଁଶ ହୁଏ
ପବନରେ ଉଡ଼ି ତଥାପି କହିବି
ମୁଁ ତୁମକୁ ଭଲ ପାଏ ।।

ଜଳି ଜଳି ଦେହ ପାଉଁଶ ହୋଇବ
ମିଶିଯିବ ଯେବେ ଭୂଇଁରେ
ତଥାପି ଏ ମନ ଝୁରିବ ତୁମକୁ
ପାଇବାକୁ ତା ପାଖରେ ।।

ଦେହ କି ଜଳିଲେ ପ୍ରେମ ସରି ଯାଏ
ସରିବକି ସ୍ନେହ କୁହ ।
ପ୍ରେମ ମୋ ପବିତ୍ର ଶାଶ୍ଵତ ଅମର
ଖୋଜୁଥିବ ଅହରହ ।।

ଦେଖିଲେ ତୁମକୁ ମନ ଭରି ଯାଏ
ଆଉ ମୁଁ ଚାହେଁନା କିଛି
ତୁମ ହସ ଦେଖି ପେଟ ପୁରି ଯାଏ
ତୁମେ ମୋର ସବୁ କିଛି ।।

ମରି ଗଲେ ସିନା ଦେହ ଜଳିଯିବ
ମନ ଥିବ ତୁମ ପାଖରେ
ଏ ସ୍ନେହ ସେମିତି ରହିଥିବ ପଛେ
ନଥାଏ ତୁମ ମୁଁ ସାଥିରେ ।।

ଥମି ଗଲେ ଯିବ ହୃଦୟ ସ୍ପନ୍ଦନ
ନିଃଶ୍ୱାସ ବି ଯାଉ ସରି
ଚାହିଁ ରହି ଥିବି ତୁମ ବାଟ ସାଥୀ
ଏମିତି ଅପେକ୍ଷା କରି ।।

ଆଜି ମୁଁ କହୁଛି କାଲି ବି କହିବି
ମୋ ଶେଷ ନିଃଶ୍ୱାସ ଯାଏଁ
ଏମିତି ସାଥୀ କହୁଥିବି ନିତି
ମୁଁ ତୁମକୁ ଭଲ ପାଏ ।।

ଲକ୍ଷ୍ମୀନାରାୟଣ ପୁର
ପିପିଲି ,ପୁରୀ

Leave A Reply

Your email address will not be published.