ସୁଜାତା ମିଶ୍ର
ଜୀବନ ରେ!
ରାସ୍ତାରେ ପଡ଼ିଛି କଣ୍ଟା ଓ ପଥର
କରି ନେଲି ସବୁ ଆପଣାର,
କ୍ଳାନ୍ତି ଆଉ ଅବସାଦ ସାଉଁଟିଲି
ଫୁଲ ପରି
ପିନ୍ଧି ନେଲି ବେଣୀରେ
କରି ମୁଁ ଗଜରା ମାଳ..,
ଭଙ୍ଗା ଆଇନାର କାଚ ଖଣ୍ଡରେ
ଦେଖିଲି ମୋ
ସ୍ୱପ୍ନର ଝଲକ,
ଆହତ ପକ୍ଷୀର ଡେଣାରେ
ଆଙ୍କି ଦେଲି
ଲୁହ ବୋଳା ଆଖିର ପଲକ.., ।
ମଳୟର ଶିହରଣେ
ପଣତ ମୋ ଉଡ଼ି ଯାଏ
ଛୁଇଁବାକୁ ମେଘ,
ଘୁଙ୍ଗୁର ମାନେନା ମନା..
ଚଞ୍ଚଳ ପଣର ଛନ୍ଦେ ପରଷି ଯାଏ
ଅନୁରାଗ..,
ଜୀବନର ରସ ଝରେ
ମରଣର ପିଆଲାରେ.. ।
କିଏ ଜଣେ ସାଇତିଛି ଛାତି ତଳେ
ଅୟୂତ ଯୁଗର ତୃଷ୍ଣା,
ଆଦିଗନ୍ତ ସମୁଦ୍ର ଲମ୍ବିଛି..
ନିଃସଙ୍ଗ ଦ୍ଵୀପର ନୀରବତା
ବ୍ୟାପି ଅଛି ସବୁଜ ଅରଣ୍ୟ ଡେଇଁ..,
ଭାସି ଆସେ ଆକୁଳ ବେଦନା ପରି
କେଉଁ ଆଡ଼ୁ
ଅଜଣା ଫୁଲର ମହମହ ବାସ୍ନା!
କସ୍ମୋପଲିସ
ଭୁବନେଶ୍ୱର
Comments are closed.