Latest Odisha News

BREAKING NEWS

କବିତା : ସ୍ୱଗତୋକ୍ତି

ସୁଷମା ପରିଜା 

ଧୁ ଧୁ ଖରାରେ ଥୁଣ୍ଟା ହୋଇ
ଏକଲା ଠିଆ ହୋଇଥିବା
କଲେଜ୍ ହତା ଭିତରର
ପୁରୁଣା କୃଷ୍ଣଚୂଡା ଗଛଟିଏ ମୁଁ,
ଆଜି ଅଣ୍ଡାଳି ଅଣ୍ଡାଳି ଖୋଜୁଛି,
ଝୁରି ହେଉଛି,ଦିନେ ମୋ ଦେହରେ
ଖୁନ୍ଦି ହୋଇ ରହିଥିବା ନବପଲ୍ଲକୁ
ଲାଲ୍ ଟୁକ୍ ଟୁକ୍ ଫୁଲର ସମ୍ଭାରକୁ,
ଶୀତ ସକାଳର କାକରଭିଜା
ପ୍ରେମୀ ଯୁଗଳଙ୍କର
ମୋ ଦେହକୁ ଆଉଜି
କଥା କହୁଥିବା ଆଖିମାନଙ୍କୁ ।

ସେମାନଙ୍କୁ ଚୁପ ଚୁପ କଥା,
ଆଉ ଫିକ୍ ଫିକ୍ ହସକୁ,
ଗୋଧୂଳିର ଲଗ୍ନରେ
ମୋ ଡାଳରେ ବସା ବାନ୍ଧିଥିବା
ମା’ ଘରଚଟିଆ ଟିର
ନୀଡ ଫେରା ସ୍ନେହୀଳ ଅପତ୍ୟକୁ।

ନିଦାଘର କ୍ଲାନ୍ତ ଅପରାହ୍ନରେ
ମୋ ଦେହକୁ ଆଉଜି ଶୋଇଥିବା
ଥକ୍କା ମରା ବୁଲା ବିକାଳିକୁ,
କଲେଜ ପିରିୟଡ଼ ଶେଷରେ,
ମୋ ଛାଇରେ ସାଇକେଲକୁ ଡେରି ଦେଇ,
ଠିଆ ହୋଇଥିବା ଦହିବରା ବାଲାର ଚାରିପଟେ
ବେଢ଼ି ଥିବା ଝିଅ ଦଳଙ୍କ କୋଳାହଳକୁ।

କିଛି ଆଉ ନାହିଁ, ସବୁ ତ ବିଲୀନ ହୋଇଛି
କାଳର କରାଳ ଗହ୍ୱରରେ,
ଏବେ ଖାଲି ପ୍ରତୀକ୍ଷା କରିବାକୁ ହେଵ
ପଞ୍ଚ ଭୁତରେ ଲୀନ ହୋଇ ଯିବାର
ସେଇ ଚରମ ମୁହୂର୍ତ୍ତକୁ,
ସୃଷ୍ଟି ଥିଲେ ବିଲୟ ବି ଅଛି
ଏହା ହିଁ ଚିରନ୍ତନ ସତ୍ୟ।।

 ନୂଆବଜାର,କଟକ

Leave A Reply

Your email address will not be published.