ସ୍ଵାଗତିକା ସାହୁ
ଉତ୍କଳ ମୋହର ବୀର ପ୍ରସବିନି
ମାଟି ପାଣି ତାର ବାସ୍ନା
ସେ ବାସ୍ନାରେ ଥରେ ବିମୋହିତ ପରେ
ଭୁଲିଯାଅ ଯାହା ଚିହ୍ନା ।
ସେଇ ବାସ୍ନାରେ ବିମୋହିତ ହୋଇ
ଦେଖିଥିଲ କେତେ ସ୍ବପ୍ନ
ମଧୁ ବାବୁ ତୁମ ସେଇ ସ୍ବପ୍ନ ସବୁ
ସାକାର ହେଲାକି କ୍ଷୁର୍ଣ୍ଣ ?
ମାତୃଭାଷା ପାଇଁ କରିଲ ଲଢେଇ
ସ୍ୱତନ୍ତ୍ର ଭାଷାର ଲାଗି
ସମ୍ମାନ ବଢିବ ଉତ୍କଳ ହସିବ
କେତେକଥା ମନେ ଭାବି ।
ସେଇ ସ୍ବପ୍ନ ସବୁ ବାସ୍ତବତା ରୂପେ
ଆଶାକୁ ସଞ୍ଚି ମନରେ
ଉତ୍କଳ ଦିବସ ପାଳନ କରିଲେ
ସଚେତନତାର ସୁରେ ।
ଦେଖିଆସ ଥରେ ଏବେ ଏଇ ପୁରେ
ଜାଣିବ ଉତ୍କଳ ଦୁଃଖ
ମାତୃଭାଷା ମାନ କେତେ ରହିଅଛି
କଣ ଅଛି ତାର ଭେକ ।
ରାଜନୀତି ଆଜି ଗ୍ରାସ କରିଅଛି
ଓଡିଆ, ଓଡିଶା ଜାତି
ଭାଷା ସାହିତ୍ୟର ଦୁର୍ଦ୍ଦଶା ବଢିଛି
ଶୁଣିଲେ ସହୁନି ଛାତି ।
କାନ୍ତ କବି ଆଜି କଣ୍ଠ କବି ହୁଏ
ସାହିତ୍ୟିକ ପରିଚୟ
ନୁହେଁ ଏକି ସତେ ଘୋର ଅପମାନ
ମାତୃଭାଷାର ବିଲୟ..?
ମାତୃଭାଷା ଟେକ ପାଇଁକି ସାହିତ୍ୟ
ନେଇଛି ଧରାରେ ଜନ୍ମ
ହେଲେ ଆଜି କାଲି ଦେଖିବାକୁ ମିଳେ
ନୂଆ ସାହିତ୍ୟିକ ସମ ||
ଟଙ୍କା ଫୋପାଡିଲେ ମାନପତ୍ର ମିଳେ
ମିଳେ ସିଲ ବଡ଼ ବଡ଼
ସମ୍ମାନ ପଛରେ ଗୋଡ଼ାଇ ଗୋଡ଼ାଇ
ସାହିତ୍ୟିକର ପ୍ରଚାର ।
କୁହ ମଧୁବାବୁ ନୁହେଁ କି ଅସହ୍ୟ
ମାତୃଭାଷା ଅପମାନ
ସମ୍ମାନ ପାଆନ୍ତି ଗର୍ବ ଦେଖାଇକି
କେଉଁ ଭଳି ଏଇ ଜନ ।
ମୁଣ୍ଡ ପାଇଁ ଟୋପି ଭୁଲି ଯାଇଥାନ୍ତି
ଟୋପି ପଛେ ମୁଣ୍ଡ ଗୁଞ୍ଜି
ଏଇ ଭାବନାରେ ସ୍ୱାଭିମାନ ହାରେ
ଦିଅନ୍ତି ମନରୁ ହେଜି ।
ଉତ୍କଳ ଅବସ୍ଥା ଶୋଚନୀୟ ଆଜି
ମେରୁଦଣ୍ଡ ଭାଙ୍ଗିଅଛୁ
ଓହ୍ଲାଇ ଆସ ହେ ବାରିଷ୍ଟର ବାବୁ
ସଜଳେ ଚାହିଁ ରହିଛୁ ।
Comments are closed.