Latest Odisha News

BREAKING NEWS

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ 

ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ !
ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ
ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ ।

ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର
ମୋ ଛାତି ଭିତରେ ବାଜି ଉଠୁଛି
ଆଉ ଜଣଙ୍କର ସ୍ଵର,
ତୋ ପରି ସେ ବି କରୁଥିଲା
ଗୁଣୁଗୁଣୁ ସାରା ଦ୍ୱିପହର।

ଭ୍ରମର, ଏ କଳା ଭ୍ରମର, ତୋର ଏ ପ୍ରଗଲ୍ଭ ଧ୍ୱନି
ଶୁଣି ଶୁଣି ମୋ ହୃଦୟର ବ୍ୟଥା
ମୁଁ ସହି ପାରୁନି
ଭଗବାନ କରନ୍ତୁ ମୋର ଏଇ ଯାତନା
ନହେଉ ବିଫଳତାର କହାଣୀ।

ଗତ ବର୍ଷ ସାରା ଜଳିଛି ତୋ ଗୀତର ଅନଳରେ
କୁଆଡ଼େ ଗଲା ସଙ୍ଗୀତର ସାମ୍ରାଜ୍ଞୀ
ଏଇ ଫଗୁଣରେ
ତୋ ଗୀତ ନହେଉ ହାର
ଏତିକି ପ୍ରାର୍ଥନା ହେ ଇଶ୍ୱର।

ଭ୍ରମର ଏ ଭ୍ରମର ଆଜି ମୁଁ ଏକାକୀ
ବୁକୁରୁ ଯେଉଁ କୋହ ଉଠୁଛି
ପାରୁନାହିଁ ତାକୁ ରୋକି
ମୋ ପାଖରେ ତେଣୁ
କରନା ଆଉ ଏତେ ଗୁଣୁ ଗୁଣୁ।
ଭ୍ରମର, ହେ କଳା ଭ୍ରମର
ଫେରି ଆସ ପୁଣି ଆସନ୍ତା ବର୍ଷରେ
ତୁ ଶୁଣିବୁ ଚୁପ୍ ହୋଇ
ଆଉ ଜଣଙ୍କର ସ୍ଵର
ପ୍ରାର୍ଥନା ମୋର। ନିଷ୍ଫଳ ନହେଉ
ହେ ପ୍ରଭୁ ଦିଅ ଏହି ବର ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.