ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ
କେତେବେଳେ ଯେ ତୁମେ ଆସ
ପାଖକୁ ଆସି ନିରୋଳାରେ ବସ
ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର,
ବ୍ୟାକରଣକୁ ଦୂରେଇ ଦେଇ
ଗୀତ ଗାଇଯାଅ,
ହଠାତ୍ ପୁଣି ହାୱାରେ ମିଳେଇ ଯାଅ
ଜାଣିପାରେ ନାହିଁ।
ଭୋର୍ ସକାଳରେ ଝରକା ପାଖକୁ ଯାଇ
ଜନହୀନ ଗଳିର ରୂପରେ
ମୁଗ୍ଧ ହେଲା ବେଳେ,
ଅଥବା ଦ୍ୱିପହରର ଖରା ବେଳଟାରେ
କିଛି ଚଢ଼େଇ ଖୁବ୍ ନଚା ନଚି କିଚିରି ମିଚିରି କରି
ଆନନ୍ଦ ବିତରିବା ବେଳେ
ଅବା ସନ୍ଧ୍ୟା ସମୟରେ
ବୁଦା ଗଛ ଗହଳିରେ
ଜୁଳୁଜୁଳିଆ ପୋକଙ୍କର
ଆଲୁଅ ଖେଳରେ
କଥା ନାହିଁ, ବାର୍ତ୍ତା ନାହିଁ
ତୁମେ ଆସି ବସିଯାଅ ପାଦକୁ ହଲାଇ
ଲେଖା ଟେବୁଲରେ
କେଉଁ ଏକ କବିତାର ଛନ୍ଦରେ ।
ବହି ଦୋକାନରୁ ବହି କିଣି
ଫେରୁଥିବା ବେଳେ
ହଠାତ୍ ତୁମେ ହାତ ପରେ ହାତ ରଖ
କେବେ କେବେ ଏଇ ଆସିବାଟା ଚାଲିଥାଏ ନିତିଦିନ କେବେ ପୁଣି ହାୟ
ସୁଦୀର୍ଘ ସମୟ ଧରି
ମାୟା ମୃଗ ପରି ତୁମେ
ହୁଅ ଅନ୍ତର୍ଦ୍ଧାନ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.