ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ
ମୁଁ ଯଦି ମରିପାରନ୍ତି
ଏଇ ଶୀତରେ
ଗଛ ଯେମିତି ଶୁଖିଯାଏ
ସାପ ଯେମିତି ଗାତରେ ପଶି ରହେ
ଏଇ ଦୀର୍ଘ ଶୀତ ସମୟରେ।
ଶୀତ ଚାଲିଗଲେ
ଗଛ ନୂଆ ହୋଇ ଗଜରେ
ଚେରରୁ ଉର୍ଦ୍ଧ୍ଵକୁ ଉଠେ
ତରୁଣ ଜୀବନ ରସ
ଚିତ୍କଣ ସବୁଜ ଡାଳ ପତ୍ରରେ
ଅଜସ୍ର ଉଦ୍ଧତ ଫୁଲର ହସ।
ଆଉ ସାପ ଛାଡିଦିଏ ତାର କାତି
ତାର ନୂଆ ଚର୍ମ ଯେମିତି ଶଙ୍ଖ ମର୍ମର
ଜିଭ ତାର ଛୁଟି ବାହାରି ଆସେ
ଅଗ୍ନି ଶିଖା ପରି
ସାରାଟା ଶୀତ ଋତୁରେ
ଯେହେତୁ ତାଙ୍କୁ ଜଣା
ମରଣଟା କଣ ବୋଲି
ଯଦି ମୁଁ ମରିଯାଇ ପାରନ୍ତି
ହୋଇଯାଇ ପାରନ୍ତି
ଏକଦମ୍ ଶୂନ୍ୟ
ବୁଡିଯାଇ ପାରନ୍ତି ଅଥଳ
ନିଦ୍ରାରେ
ହୋଇ ସ୍ମୃତିହୀନ, ସ୍ୱପ୍ନହୀନ
ତାହେଲେ ମତେ ପ୍ରତି ମୁହୂର୍ତ୍ତରେ
ମରିବାକୁ ପଡ଼ନ୍ତାନି
ବଞ୍ଚିବାର ଏଇ ପ୍ରଚେଷ୍ଟାରେ
ଖୁସି କରିବାକୁ
ଭଲ ଲେଖିବାକୁ
ଆଉ ଭଲ ପାଇବାର ଆଶାରେ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.