Latest Odisha News

BREAKING NEWS

କିଏ ଏହି ଶାୟନୀ ଘୋଷ ?

କାହିଁକି ଏହି ଫାୟାରବ୍ରାଣ୍ଡ୍ ନେତ୍ରୀଙ୍କୁ ନେଇ ଚର୍ଚ୍ଚା ?

କୋଲକାତା: ସାରା ଦେଶରେ ଶାୟନୀ ଘୋଷଙ୍କୁ ନେଇ ଜୋରଦାର ଚର୍ଚ୍ଚା। ପରାଜୟର ଶକ୍ତ ଧକ୍କା ପରେ ଏବେ ତୃଣମୂଳ କଂଗ୍ରେସ ଭିତରେ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ସବୁଠାରୁ ବିଶ୍ୱସ୍ତ ତଥା ଦଳର ଫାୟାରବ୍ରାଣ୍ଡ୍ ନେତ୍ରୀ ତଥା ଯାଦବପୁର ସାଂସଦ ଶାୟନୀ ଘୋଷ ଏବେ ଦଳର ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ରାଜନୀତିକୁ ଆସିବା ପୂର୍ବରୁ ଶାୟନୀ ଘୋଷ ବେଙ୍ଗଲୀ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ଚଳଚ୍ଚିତ୍ର, ଟେଲିଭିଜନ ଏବଂ ୱେବ୍ ସିରିଜ୍‌ରେ କାମ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଟିଏମସିରେ ଯୋଗ ଦେଇଥିଲେ ଏବଂ ନିଜର ଆକ୍ରାମକ ଭାଷଣ ପାଇଁ ଖୁବ୍ ଶୀଘ୍ର ମମତା ବାନାର୍ଜୀଙ୍କ ପ୍ରିୟ ପାତ୍ର ହୋଇଯାଇଥିଲେ। ନିକଟରେ ତାଙ୍କୁ ତୃଣମୂଳ ଯୁବ କଂଗ୍ରେସର ସଭାପତି ଭାବେ ପୁନଃ ନିଯୁକ୍ତି ମଧ୍ୟ ମିଳିଥିଲା।

ଏକ ନିର୍ବାଚନୀ ସଭାରେ ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା କରିବାକୁ ଯାଇ ସେ କହିଥିଲେ—”ମେରେ ଦିଲ୍ ମେଁ ହୈ କାବା, ଆଉର ମେରେ ଆଙ୍ଖୋଁ ମେଁ ମଦିନା”। ତାଙ୍କର ଏହି ସ୍ଲୋଗାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଟିଏମସି ଭିତରେ ଅସନ୍ତୋଷ: ବିଦ୍ରୋହୀ କ୍ୟାମ୍ପରେ ଶାୟନୀ !

ଚଳିତ ନିର୍ବାଚନରେ ବିଜେପି ବିରୋଧରେ ସବୁଠାରୁ ଟାଣୁଆ ସ୍ୱର ସାଜିଥିବା ଶାୟନୀ ଘୋଷ ଏବେ ନିଜେ ଦଳ ଛାଡ଼ି ବିଦ୍ରୋହୀ ଗୋଷ୍ଠୀ ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ହେଉଛି। ଯଦିଓ ସେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି, ତେବେ ସେ ଦିଦିଙ୍କ କ୍ୟାମ୍ପ ଛାଡ଼ି ବିଦ୍ରୋହୀ ଗୋଷ୍ଠୀ ସହ ହାତ ମିଳାଇ ସାରିଛନ୍ତି ବୋଲି କୁହାଯାଉଛି।

ବଡ଼ କଥା ହେଉଛି, କିଛି ଦିନ ପୂର୍ବରୁ ସୋନାରପୁରରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ସେ ଟ୍ୱିଟ୍ କରି କଡ଼ା ନିନ୍ଦା କରିଥିଲେ। କିନ୍ତୁ ଏହାର କିଛି ଦିନ ମଧ୍ୟରେ ତାଙ୍କର ଏଭଳି ଆଭିମୁଖ୍ୟ ବଦଳିବା ସମସ୍ତଙ୍କୁ ଚକିତ କରିଛି।

ରାଘବ ଚଢ଼ାଙ୍କ ସମ୍ପର୍କରେ ଚର୍ଚ୍ଚିତ ବୟାନ

ଶାୟନୀ ଘୋଷ ନିଜର ରୋକଠୋକ୍ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଗତ ଏପ୍ରିଲ ମାସରେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ବିଜେପିରେ ସାମିଲ ହେବା ପରେ ଶାୟନୀ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ—”ଚଢ଼ା ଚଡ୍ଡି ହୋଇପାରନ୍ତି, କିନ୍ତୁ ଶାୟନୀ କେବେ ଚଡ୍ଡି ହେବ ନାହିଁ। ତାଙ୍କର ଏହି ବୟାନକୁ ନେଇ ବିଜେପି ତାଙ୍କୁ ଘେରିବା ସହ ଖୁବ୍ ସମାଲୋଚନା କରିଥିଲା। କିନ୍ତୁ ଆଜି ସେହି ଉଗ୍ର ବିଜେପି ବିରୋଧୀ ସ୍ୱର ଏନଡିଏକୁ ସମର୍ଥନ କରୁଥିବା ଗୋଷ୍ଠୀ ଆଡ଼କୁ ମୁହାଁଇବା ରାଜନୀତିର ଏକ ବଡ଼ ଓଲଟପାଲଟ ବୋଲି କୁହାଯାଉଛି।

ପଶ୍ଚିମବଙ୍ଗ ରାଜନୀତି: ନମ୍ବର ଗେମ୍ ଏବଂ ବଡ଼ ବିପର୍ଯ୍ୟୟ

୫୮ଜଣ ବିଧାୟକଙ୍କ ବିଦ୍ରୋହ: ଦଳର ୮୦ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଖୋଲାଖୋଲି ବିଦ୍ରୋହ କରିଛନ୍ତି ଏବଂ ତାଙ୍କୁ ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ନେତା ମାନ୍ୟତା ମିଳିଛି।

ସାଂସଦଙ୍କ ମଧ୍ୟରେ ଫାଟ: ସାଂସଦ କାକୋଲି ଘୋଷ ଦାବି କରିଛନ୍ତି ଯେ ୧୯ ଜଣ ସାଂସଦଙ୍କ ସମର୍ଥନରେ ସେ ଏନଡିଏକୁ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଏହି ତାଲିକାରେ ଶାୟନୀ ଘୋଷଙ୍କ ନାମ ମଧ୍ୟ ରହିଛି।

ହାଇପ୍ରୋଫାଇଲ୍ ଇସ୍ତଫା: ସୁସ୍ମିତା ଦେବ ଏବଂ ସୁଖେନ୍ଦୁ ଶେଖର ରାୟଙ୍କ ଭଳି ବଡ଼ ନେତାମାନେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଦଳ ଛାଡ଼ି ସାରିଛନ୍ତି।

ତୃଣମୂଳ କଂଗ୍ରେସ ପ୍ରତିଷ୍ଠା ହେବା ଦିନଠାରୁ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ସଙ୍କଟ। କଣ ମମତା ବାନାର୍ଜୀ ନିଜର ଦଳକୁ ବଞ୍ଚାଇ ପାରିବେ ? ଶାୟନୀ ଘୋଷଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply

Your email address will not be published.