Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟର ଉପାସକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସତ କହ, ଅବା ନ କହ
ସତ୍ୟାନୁଭୂତି ସହ ରହ
ସତ୍ୟକୁ ପାରେ ଯିଏ ସହି
ନିରବ ହୋଇ, ଥାଏ ରହି

ନ କଲେ ସତ୍ୟର ପ୍ରଚାର
ପ୍ରତ୍ୟେକ ବ୍ୟକ୍ତି ଆବିଷ୍କାର
କରିବେ ନିଜ ନିଜ ସତ୍ୟ
ରହିବେ ସତ୍ୟର ସହିତ

ସତ୍ୟ ତ ଏମିତି ଚୁଂବକ
ଟାଣିପାରେ ଅଳପ ଲୋକ
ସେମାନେ ସତ୍ୟର ରକ୍ଷକ
ହୋଇ ରହଂତି ସଦା ମୂକ

ବାଚାଳ, ମୁଖର ଜନତା
ନ ଥିବା ଯୋଗୁଁ ଏକାଗ୍ରତା
ନ ଜାଣି ସତ୍ୟ କେତେ, କ’ଣ
ବିତାଂତି ଜୈବିକ ଜୀବନ

ମନେ ଉଇଁଲେ ସତ୍ୟ ଜ୍ଞାନ
ଭାବନା ହୁଏ ପରିଚ୍ଛନ୍ନ
ସତ୍ୟକୁ ଲୋଡ଼ା ନୁହେ ଠାଣି
ଜାଣିହୁଏନି କଥା ଶୁଣି

ଯେ କରେ ସତ୍ୟର ସଂଧାନ
ଶାଂତ, ସୁସ୍ଥିର ତା’ର ମନ
ଅଳପ କଥା କହି ରହେ
ସତ୍ୟର ଉପାସକ ହୁଏ

ସ୍ବଚ୍ଛ ଭାବନା, ସ୍ପଷ୍ଟ ବାଣୀ
କହି ସତ୍ୟର ବୀଜ ବୁଣି
ମୁଖ୍ଯତଃ ରହିଲେ ନିରବ
ବଢ଼ଇ ସତ୍ୟର ଗୌରବ

କଥା କହିଲେ ବାରଂବାର
ହୁଏ ତା କେବଳ ପ୍ରଚାର
ସତ୍ୟର ନାହିଁ ଚିହ୍ନ, ବର୍ଣ
ହୁଏ ଶାବ୍ଦିକ ଉଚ୍ଚାରଣ

Leave A Reply

Your email address will not be published.