Latest Odisha News

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ 

ଆକାଶରେ ମେଘ ଭର୍ତ୍ତି
ଜନଶୂନ୍ୟ ରାସ୍ତା ଘାଟ
ଚାରିଦିଗ ନୀରବ ନିଥର
ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର
ନିଦ୍ରିତ ସହର।

ମୋ ଦେହରେ କ୍ଳାନ୍ତି ଭରା
ଅସୁମାରି ନିଦ ମୋ ଆଖିରେ
ଚାଲିଚାଲି ଫେରୁଛି ଘରକୁ
ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର
ପହୁଣ୍ଡ ମୋ ପଡୁଛି ଜୋରରେ।

ହଠାତ୍ ଦେଖିଲି ପାଖଘର
ତଳ ମହଲାର ଝରକା ଦେଇ
ଇଷତ ନୀଳ ବିଜୁଳି ଆଲୁଅର
ଚମକ ଆସୁଛି ଆଖି ଝଲସାଇ।

ସାରା ସହର ନିର୍ଜନ ଓ ଅନ୍ଧକାର
ହେଲେ ଏଇଠି କେବଳ ଆଲୋକ
ପାଖକୁ ଯାଇ ଯେମିତି ଅନାଇଲି
ଧଡ୍ କିନା ବନ୍ଦ ହୋଇଗଲା ଗବାକ୍ଷ।
ପଲକରେ ଦେଖିନେଲି
ଗୋରା ହାତଟିଏ
ଝରକାର ଦୁଇ କବାଟ
ବନ୍ଦ ହେଉ ହେଉ।

ଧଳା ହାତଟିଏ, କେତୋଟି ଆଙ୍ଗୁଳି
ମୁଦିଟିରେ ହୀରାର ଝଲକ
ମଣିବନ୍ଧରେ ସରୁ ଚେନ
ମ୍ଲାନ ନୀଳାଲୋକ
ଆଖିର ଗୋଟିଏ ପଲକ।

ମାଡ଼ି ଆସୁଥିବା ମୋର ଦୁଇ ଆଖିରେ
ଗହନ ନିଦର ଭାର
ସାରା ବିଶ୍ବଟା ଅନ୍ଧାର
ହାତଟା କାହାର ଜାଣିବା ଆଗରୁ
ହୁଏତ ମରଣ ହେବ ମୋର।

ପହଞ୍ଚିଲି ନିଜ ଘରେ
ବର୍ଷା ବି ପଡୁଛି ଜୋରରେ
ପବନର ତୀବ୍ର ଚିତ୍କାର
ହାତଟି ଯାହାର, କାଲିଯଦି
ମୁହଁ ଦେଖେ ତାର
ଚିହ୍ନିବାଟା ହେବତ ଦୁଷ୍କର!

ଶୋଇ ଅଛି ବିଛଣାରେ
ନିଦ କିନ୍ତୁ ଗଲା ତ ପଳାଇ
ଜଣାନାହିଁ କେତେ ରାତି ଏବେ
କେବେ ଯଦି ଛୁଏଁ ସେଇ ହାତ
ପାରିବିନି ଜାଣି, ଏଇ ହାତ
ସେଇ ହାତ ବୋଲି।

ଅନୁବାଦ:ମନୋରଞ୍ଜନ ହୋତା

Leave A Reply

Your email address will not be published.