ମୂଳ ବଙ୍ଗଳା: ଆଲ୍ ମାହମୁଦ୍
ମୁଁ ପ୍ରକୃତିର ଭାଷା ବୁଝେ
ଶବ୍ଦହୀନତା ମଧ୍ୟ ମୋ ପାଖରେ
ବେଳେ ବେଳେ ବାଂମୟ
ପିଲାଦିନେ ଗଛ, ମାଛ, ଚଢ଼େଇ,
ଏବଂ ପତଙ୍ଗ ସହିତ କଥାବାର୍ତ୍ତା
କରିବାରେ ମୁଁ ଅଭ୍ୟସ୍ତ
ଓ ସେଇଟା ମୋର ଖୁବ୍ ପ୍ରିୟ।
କିନ୍ତୁ ଅସୁବିଧା ହେଉଛି ମଣିଷକୁ ନେଇ
ମୋର ଧାରଣା ଯେହେତୁ ମୁଁ ମଣିଷ,
ମଣିଷ ଘରେ ଜନ୍ମ, ତେଣୁ ପୃଥିବୀର
ସବୁ ଲୋକଙ୍କ ଭାଷା ବୁଝିବାରେ
ନ ରହିବା କଥା କିଛି ବି କ୍ଳେଶ।
କେତେ ଅନାୟସରେ ମୁଁ ଉଡାଜାହାଜରେ
ଝରକା ଦେଇ, ମେଘ ସହିତ କଥା କହି କହି
ଆଟ୍ ଲାଣ୍ଟିକ ମହାସାଗର ପାର ହୋଇ ପଡ଼େ
ବ୍ରାସେଲସରେ ଆସି ପ୍ରବଳ ଧାରା ବର୍ଷଣରେ
ମୁଁ ବର୍ଷାର ଭାଷା ବୁଝିପାରେ।
ବର୍ଷା ମୋତେ ଆହୁରି ସିକ୍ତ ହୋଇ
ଏକ ଭିଜା ବିଲେଇର ଚେହେରା ନେଇ
ପ୍ରତିବାଦହୀନ କବିତାର ଗୁଢ଼ ରହସ୍ୟ
ସୃଷ୍ଟିର କଥା କହେ।
ମୁଁ ମୁଚୁକି ହସି, କଫି କାଉଣ୍ଟରକୁ ଆସି
କୋଳାହଳ ମୁଖର ଆକାଶ ଯାତ୍ରୀଙ୍କର
ମୁଖ ନିସୃତ ଧ୍ଵନି ତରଙ୍ଗରେ
ମୁଁ ଆକ୍ତାମାକ୍ତା ହୋଇଯାଏ।
ମଣିଷ ଯେଉଁ ଶବ୍ଦଟି ସବୁଠୁ ବେଶି
ଉଚ୍ଚାରଣ କରେ , ସେଇଟା ହେଲା ଭଲ ପାଇବା।
ଭଲ ପାଇବା ଅର୍ଥ ହିଁ ହେଲା ମୃତ୍ୟୁ, ହତ୍ୟା,
ଓ ପ୍ରତିପକ୍ଷର ସର୍ବନାଶ
ମଣିଷ କେବେ ବି ଠିକ୍ ଶବ୍ଦଟି
କରେ ନାହିଁ ଉଚ୍ଚାରଣ
ସେ ପ୍ରତିହିଂସାକୁ ଲୁଚାଇବା ପାଇଁ
ବ୍ୟବହାର କରୁଥିବା କଥାଟି “ପ୍ରେମ”
ପ୍ରେମ ମାନେ ହିଁ ଗୋପନରେ
ହତ୍ୟାର ଆୟୋଜନ।
ମୋତେ କବି ହେବାକୁ ହେଲେ
ମଣିଷର ଭାଷା ବୁଝିବାକୁ ହିଁ ହେବ
ମୁଁ କଣ ଜାଣିଥିଲି ପ୍ରିୟଜନଙ୍କ ଦ୍ଵାରା
ଉଚ୍ଚାରିତ “ପ୍ରିୟତମ” ର ଅର୍ଥ
ଘୁଷୁରୀର ଶାବକ?
ମୋତେ ଶିଖିବାକୁ ପଡ଼ିିବ।
ଯେମିତି ମୁଁ ଏକଦା ଗଛର ଧ୍ବନିରୁ
ଅର୍ଥ ବାହାର କରି ପାରୁଥିଲି
ନଦୀ ପାଖରେ ବସି ତରଙ୍ଗର ଭାଷାକୁ
ସହଜରେ ଅକ୍ତିଆର କରିବା ଶିଖିଥିଲି
ଗୋଖର ସାପର ହିସ୍ ହିସ୍ ଭିତରେ ବି
କିଛି ଜଟିଳତା ଥିବାର ଦେଖି ନଥିଲି।
କିନ୍ତୁ ମଣିଷ ଯେତେ ବେଳେ ରାଜନୀତି,
ମାନବ କଲ୍ୟାଣ ଓ ଗଣତନ୍ତ୍ରର କଥା କହେ
ସେତେବେଳେ ମୋର ମନେ ହୁଏ
କିଛି ଦୁରାଚାରୀ ପିଶାଚ
ଏକ ଶାନ୍ତ, ସୁନ୍ଦର , ଠିକ୍ ଦେଶଟାକୁ
ଛାରଖାର କରିବାକୁ ଉଦ୍ୟମରତ!
ମଣିଷର ଭାଷାପରି ଦୁର୍ବୋଧ୍ୟ
ପୃଥିବୀରେ ଆଉ କିଛି ବି ନାହିଁ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.