ମଧୁମିତା ମିଶ୍ର
ପେଟର ଭୋକକୁ ଖାଦ୍ୟ ହିଁ ମିଟାଏ ଜ୍ଵଳନ ଯେ ଶାନ୍ତହୁଏ
ପଡ଼ିଗଲେ ଗଣ୍ଡେ ପଖାଳ ପେଟରେ ତୃପ୍ତି କେତେ ଆସିଥାଏ।
ପେଟର ଜ୍ୱାଳାକୁ କିଏ ସହେ କୁହ ପଶୁ ହେଉ କି ମାନବ
କ୍ଷୁଧାତୁର ହେଲେ ଭୁଲେ ପେଟାଧାରୀ ଆପଣା ପରର ଭାବ।
ଖରା ଗରମରେ ଶୁଖିଗଲେ ଓଠ ଆଖି ପାଣି ଖୋଜୁଥାଏ
ଓଦା ହେଇଗଲେ ତଣ୍ଟି ସେତେବେଳେ ଆର୍ତ୍ତ ମନ ଖୁସିହୁଏ।
ଖୋଜେନା ସର୍ବତ ଲେମ୍ବୁ ଦହିପଣା ଶୋଷ ହେଉଥିଲା ବେଳେ
ଟୋପାଏ ଜଳରେ ଜୀବନ ବଞ୍ଚାଇ ବଞ୍ଚେ କଳେ କଉଶଳେ ।
ଦେହର ଭୋକ ତ ଜାଣେନାହିଁ କିଛି ବିବେକ ଶୂନ୍ୟ କରାଏ
ସ୍ଥାନ କାଳ ପାତ୍ର ସବୁ ଭୁଲିଯାଇ ଲୋକହସା ହୋଇଥାଏ
ଜ୍ଵାଳା ପ୍ରଶମନ ନ ଜାଣି ପାରିଲେ ମଣିଷ ପଶୁ ହୁଅଇ
ବିବେକ ହରେଇ ଜଳି ଓ ଜଳେଇ ନର୍କ ଯନ୍ତ୍ରଣା ଭୋଗଇ
ମନର ଭୋକ ଯେ ପ୍ରେମ ସ୍ନେହ ଖୋଜେ ଦି ପଦ ମିଠା କଥାକୁ
ବିବେକର ଭୋକ ଜ୍ଞାନ ବୁଦ୍ଧି ଖୋଜେ ଇଶ୍ୱରଙ୍କର ସତ୍ତାକୁ।
ଭୁବନେଶ୍ଵର