Latest Odisha News

ଗଳ୍ପ : ଟିକେ ଆଧୁନିକା

ଅଳକା ମହାପାତ୍ର 

ଝିଅ ମୋର , ଉଚ୍ଚ ଶିକ୍ଷିତ ମଲ୍ଟି ନେସନାଲ କମ୍ପାନୀରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ମନ ଲାଖି ବର ନିଜେ ପସନ୍ଦ କରି ବାହା ହେଇଛି । ଜ୍ବାଇଁ ବାବୁ, ଭାରି ଭଲ ପାଆନ୍ତି ମୋ ଝିଅକୁ । ତା ଇଶାରାରେ ଉଠ ବସ ହୁଅନ୍ତି । ମେଡ ସର୍ଭେଣ୍ଟ କିମ୍ବା କୁକ୍ ଠିକ୍ ସମୟରେ ନ ପହଞ୍ଚିଲେ ବା ଛୁଟି ନେଲେ, ଜ୍ବାଇଁବାବୁ ଘରର ସବୁ ବ୍ୟବସ୍ଥା ସମ୍ଭାଳି ନିଅନ୍ତି । ଝିଅ ପାଖକୁ ଠିକ୍ ସମୟରେ ଚା ପାଣି ପହଞ୍ଚିଯାଏ । ଝିଅ ଅଫିସରେ ବହୁତ କାମ । ତାକୁ ଟିକିଏ ବି ଫୁରସତ ନାହିଁ । ସକାଳରେ କ’ଣ ଟିକେ ଖାଇ ଦେଇ ଦୁଇ ଢ଼ୋକା ମୃଦୁ ପାନୀୟ ପିଇ ଦେଇ ଆସିଥାଏ । ରାତ୍ରି ଭୋଜନ କରିବାକୁ ତାର ଆଉ ମନ ହୁଏନା । ଗୁଡ଼ନାଇଟ କହି ଅବସ ଶରୀରକୁ ଲୋଟାଇଦିଏ ବିଛଣା ଉପରେ । ବିଚାରି ଖଟି ଖଟି ଭୋକ ଉପାସରେ ଶୋଇପଡେ । ଜ୍ବାଇଁଟା ଭାରି ଅବୁଝା ଲୋକ ଜାଣିଶୁଣି ସବୁ ଦିନ ଅପେକ୍ଷା କରିଥିବେ ଝିଅକୁ ।

ଝିଅ ଜ୍ବାଇଁ ଦୁହେଁ ରୁହନ୍ତି ବାଙ୍ଗାଲୋରରେ । ଜ୍ବାଇଁ ବାବୁ ବି ସେଠାରେ ଅନ୍ୟ ଏକ କମ୍ପାନୀରେ କାମ କରନ୍ତି । ହେଲେ ଝିଅର ପ୍ରଖର ବୁଦ୍ଧିମତ୍ତା ଏବଂ କାର୍ଯ୍ୟ ଦକ୍ଷତା ଯୋଗୁଁ ତାର ପ୍ରମୋସନ ପରେ ପ୍ରମୋସନ ହୋଇ ଚାଲିଥାଏ ।

ଝିଅର ବିଧବା ଶାଶୁ ରୁହନ୍ତି ବଲାଙ୍ଗୀରରେ । ହଠାତ୍ ଦିନେ ସେ ହୃତଘାତରେ ସେ ଚାଲିଗଲେ । ବାଧ୍ୟହୋଇ ଆସିବାକୁ ପଡ଼ିଲା ଝିଅ ଜ୍ବାଇଁଙ୍କୁ । ଝିଅ ଚାହୁଁ ନ ଥିଲା ଆସିବାକୁ ପୁଣି ଭାବିଲା । ଶାଶୁଙ୍କ ଅନେକ ଗୁଡ଼ିଏ ଗହଣାଗାଣ୍ଠି ଅଛି ଟଙ୍କା ପଇସା ବି ଥିବ । ସେ ନ ଆସିଲେ ସେସବୁର ତଦାରଖ କିଏ ବା କରିବ ? ତେଣୁ ବାଧ୍ୟ ହୋଇ ଆସିବାକୁ ପଡିଲା । ଜ୍ବାଇଁ ବାବୁ ତାଙ୍କ ମା ଙ୍କ କ୍ରିୟା କର୍ମ ସବୁ ସୁଚାରୁ ରୂପେ କରୁଛନ୍ତି । କିନ୍ତୁ କଣ କହିବ ଏ ଜ୍ବାଇଁ ବାବୁଙ୍କୁ ? ବହୁତ ଗୁଡ଼ାଏ ପଇସା ପତ୍ର ଖର୍ଚ୍ଚ କରି ଦେଉଛନ୍ତି । ଝିଅର ମାସକର ପାର୍ଲର ଖର୍ଚ୍ଚ ସହ ସମାନ ହୋଇ ଯାଉଛି ଶୁଦ୍ଧିକ୍ରିୟାର ଖର୍ଚ୍ଚ । ମଲା ଲୋକଙ୍କ ପାଇଁ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରିବା କଣ ବୁଦ୍ଧିମାନର କାମ ? ଝିଅ ମୋର ଭାରି ଉଦାର ମନୋବୃତ୍ତିର କହିଲା ଯାହା ଖର୍ଚ୍ଚ କରୁଛନ୍ତି କରନ୍ତୁ । ଗୋଟିଏ ଥର ତ ଖର୍ଚ୍ଚ କରିବେ ।

ମା’ ଙ୍କ ଶ୍ରାଦ୍ଧ ପିଣ୍ଡଦାନରେ ବ୍ୟସ୍ତ ଅଛନ୍ତି ଜ୍ବାଇଁ ବାବୁ । ମନ୍ତ୍ର ଉଚ୍ଚାରଣ ଚାଲିଛି । ଝିଅ ଶୋଇକି ଉଠିବାରେ ଟିକେ ଡେରି ହୁଏ ଚା ପାଣି ନ ପିଇ ବସିଛି । ସେହି ସମୟରେ ଝିଅର ପିଉସୀ ଶାଶୁ କହୁଛନ୍ତି । ବୋହୂ ମୋ ପାଇଁ ଚା କପଟେ ତିଆରି କରି ପାରିବୁ କି ? ଚମକି ଉଠିଲା ଝିଅ ! ମୁଁ ଏତେ ପାଠ ସାଠ ପଢ଼ିଛି , କ’ଣ ଚା ବନେଇବା ପାଇଁ ? ମୁଁ ରୋଷେଇ ଘରକୁ ଜମା ଯାଇ ପାରିବି ନାହିଁ । ମୁଁ ନିଜେ ପରା ଚା ନ ପିଇ ଅପେକ୍ଷା କରିଛି । ତମ ପୁଅ ମୋତେ ଚା ନ ଦେଇ ପୂଜାରେ ବସିଗଲେ । କ’ଣ ହୋଇଗଲା ମୋ ଉଠିବାରେ ବିଳମ୍ବ ହେଲା ଯେ ,ବଞ୍ଚିବା ଲୋକକୁ ଚା ପାଣି ନ ଦେଇ ବସି ଯାଇଛନ୍ତି ପିଣ୍ଡଦାନରେ । ପାଞ୍ଚ ଦଶ ମିନିଟ ପାଇଁ ପୂଜାରୁ ଉଠି ଚା ପାଣି ଦେଇ ପୁଣି ପୂଜାରେ ବସିଲେ ହୁଅନ୍ତା ନାହିଁ। ସତରେ ଜ୍ବାଇଁ ବାବୁଟା ଭାରି ଅଵୁଝା । ଏଣେ ଝିଅର ଉଠୁ ଉଠୁ ଚା ନହେଲେ ମୁଣ୍ଡ ଧରେ । ବିଚାରି କେତେ କଷ୍ଟ ଆଉ ସହିବ ।

ମୋ ଝିଅର ବେଶପୋଷାକକୁ କିଛି ନିନ୍ଦୁକ ନାକ ଟେକନ୍ତି । ଆରେ ଶିକ୍ଷିତ, ଆଧୁନିକ ପୁଣି ସ୍ବାବଲମ୍ବୀ । ଯୁଗ ଜାଣି ଲୁଗା ପିନ୍ଧିବ ନା ନାହିଁ ? ହଟ ପ୍ୟାଣ୍ଟ୍, ସ୍ଲିଭଲେସ ଟପ୍ ପିନ୍ଧିଲା ତ କୋଉ ପୋଥି ଅଶୁଦ୍ଧ ହୋଇଗଲା ? ବରଂ ଜ୍ୱାଇଁ ବାବୁଙ୍କୁ ସୁବିଧା । କମ ଲୁଗା ଧୋଇବାକୁ ପଡୁଛି ! ବାହା ହୋଇଗଲା ବୋଲି କଣ ତାର ମନ ମୁତାବକ ଲୁଗା ପିନ୍ଧିବାର ବି ଅଧିକାର ନାହିଁ ? ପୁଣି କହିବେ ସିନ୍ଥିରେ ସିନ୍ଦୂର ନାହିଁ ହାତରେ ଚୁଡ଼ି ନାହିଁ , ବେକରେ ମଙ୍ଗଳ ସୂତ୍ର ନାହିଁ ? ଆରେ ବାହା ହୋଇଛି ବୋଲି ଦୁନିଆ ସାରା ଡିଣ୍ଡିମ ପିଟିବା କଣ ଦରକାର ? ଜାଣିବା ଲୋକ ତ ଜାଣୁଛନ୍ତି ନା । ଝିଅ ଟା ମୋର ଭାରି ଭଲ ମ , ଟିକେ ଆଧୁନିକା । ଲୋକେ ଜଳୁଛନ୍ତି ସହି ପାରୁ ନାହାଁନ୍ତି !

ସମ୍ବଲପୁର

Comments are closed.