ରଶ୍ମିତା ଦାସ
ସେଦିନ ରାତିରେ ହଠାତ୍ ନିଦରେ ଏମିତି ଏକ ସ୍ଵପ୍ନ ଦେଖି ଚମକି ପଡ଼ିଲା ସ୍ଵାତୀ…. ବିଛଣାରୁ ଉଠି ବସି ପଡିଲା ମାତ୍ରକେ ସ୍ବାମୀ ଅରୁଣଙ୍କ ନିଦ ମଧ୍ୟ ଭାଙ୍ଗିଗଲା ଓ ଉଠି ପଚାରିଲେ… “କଣ ହେଲା, କାହିଁକି ଏମିତି ଉଠିଲ,କିଛି ଖରାପ ସ୍ବପ୍ନ ଦେଖିଲ କି?
ଦେହ ତାର ଥରୁଥିଲା ଓ ସେ କିଛି ଖୋଜିବା ମୁଦ୍ରାରେ ଏଣେତେଣେ ଚାହିଁ ହେଉଥିଲା” ହେଲେ କେହିତ କୁଆଡେ ନଥିଲେ….!!
ଅରୁଣ ସ୍ଵାତୀକୁ ପାଣି ଗ୍ଲାସଟା ବଢେଇ ଦେଇ କହିଲେ “ନିଅ ପାଣି ଟିକେ ପିଇ ଦେଲ ଆଶ୍ୱସ୍ତି ଲାଗିବ” ।
ମୁହୂର୍ତ୍ତେ ଛାଡ଼ି ପୁଣି କହିଲେ କୁହତ କଣ ସ୍ବପ୍ନ ଦେଖିଲ? ସ୍ଵାତୀ ପାଣିପିଇ କିଛି ସମୟ ଗୁମ ହେଇ ବସି ରହିଲା । ତା’ ପରେ ଧିରେ ଧିରେ ନିଜ ସ୍ୱରୁପକୁ ଫେରି ଅରୁଣକୁ କହିଲା…. ଏଇ କିଛି ସମୟ ପୂର୍ବରୁ ମୁଁ ଏକ ଅଦ୍ଭୁତ ସ୍ବପ୍ନ ଦେଖିଲି । ମୋ ସ୍ଵପ୍ନରେ ମୋ ବାପା ବୋଉ ଦୁହେଁ ଏକସଙ୍ଗେ ଆସିଥିଲେ । ସ୍ଵାତୀ ତାଙ୍କର ସାନ ଝିଅ ସେମାନେ ସ୍ଵାତୀର ବିବାହ ପୂର୍ବରୁ ଦୁହେଁ ଏକା ସାଙ୍ଗରେ ଅଳ୍ପ ମାସ ବ୍ୟବଧାନରେ ଚାଲି ଯାଇଥିଲେ । ସେ ଦିନୁ ସ୍ଵାତୀ ବାପା ମାଆକୁ ହରେଇବାକୁ ନେଇ ଅନେକ ଦୁଃଖ । ବହୁତ୍ ସମୟରେ ସେ କେତେ କଥା ଭାବି ଆଖିରୁ ଗଡାଉଥିବାର ଅରୁଣ ଦେଖିଛନ୍ତି । ଆଜି ତାର କେଡେ ଭାଗ୍ୟ କେଜାଣି…!!
ସ୍ଵାତୀର ବାପା ରୋଗରେ ପଡ଼ିଥିବା ବେଳେ ତାର ପିଉସୀ ଆସିଥିଲେ ଓ ସ୍ଵାତୀର ପିତାଙ୍କ ସେବା କରୁଥିବା ଦେଖି ଖୁସି ହେଇ କହିଲେ “ମାଆ ଲୋ ତୋତେ ଦେଖି ମନେ ହୁଏ ତୋତେ ଈଶ୍ୱର ଭଲ ଶାଶୁ ଶଶୂର ନିଶ୍ଚିତ ଦେବେ ଏମିତି ଝିଅକୁ ଭଲ ଘରଟିଏ ନିଶ୍ଚିତ ମିଳେ” । ତୋ ଜୀବନ ସୁଖମୟ ହେଉ” ।
ବାପା ମାଆଙ୍କ ଗଲା ପରେ ଭାଇ ଭାଉଜମାନେ ମିଶି ସ୍ଵାତୀକୁ ବିବାହ ଦେଲେ । ସେତେବେଳେ ଅରୁଣ ଏକ ଲିମିଟେଡ୍ କମ୍ପାନୀରେ ଚାକିରି କରୁଥିଲେ ।
ସେମାନେ ବିବାହ ପରଠାରୁ ଦଶ ବର୍ଷ ଧରି ବାହାରେ ଏକାସାଙ୍ଗରେ ରହି ଆସୁଛନ୍ତି ଖୁବ୍ ଖୁସିରେ… ଅରୁଣ ଜଣେ ଶାନ୍ତ ଓ ସ୍ଵଭାବିକ ପ୍ରକୃତିର ମଣିଷ । ସ୍ତ୍ରୀ ପିଲାକୁ ଧରି ଛୁଟିହେଲେ ଯାଇ ଗାଁ ଆଡୁ ବୁଲି ଆସନ୍ତି,ସମସ୍ତଙ୍କ ସୁଖ ଦୁଃଖ ମଧ୍ୟ ବୁଝନ୍ତି ।ଏ ଭିତରେ ତାଙ୍କର ଝିଅ ଟିଏ… ଖୁବ୍ ଚପଳ ଓ ବିଦ୍ୟା ବୁଦ୍ଧିରେ ମଧ୍ୟ ବିଚକ୍ଷଣ ।
ଅରୁଣ ଙ୍କ ବାପା ଗତ ଚାରି ବର୍ଷ ହେଲା ଗଲେଣି ଆର ପାରିକୁ ।ଏବେ ମାଆ ବଡ ଭାଇ ଆଉ ଭାଉଜଙ୍କ ସହ ଗାଁ ରେ ରହନ୍ତି । ଅବଶ୍ୟ ଅରୁଣ ମାଆ ଙ୍କୁ ଆଣି ଏଠାରୁ ବହୁତ୍ ଥର ବୁଲେଇ ନେଲଣି ।ହେଲେ ବେଶୀଦିନ ଗାଁ ଛାଡି ରହିବାକୁ ଇଛା କରନ୍ତିନି ସେ… ସହରକୁ ଆସିଲେ ସ୍ଵାତୀ ତାଙ୍କର ଖୁବ୍ ଆଦର ଯତ୍ନ କରେ । ସେଥିପାଇଁ ଓ ସାନ ବହୂ ହିସାବରେ ସ୍ଵାତୀ କୁ ସେ ଖୁବ୍ ଆଦର କରନ୍ତି ।ପ୍ରେଗନେଟ ଥିବା ସମୟରେ ଶାଶୁ ତାର ଯତ୍ନ ବି ଖୁବ୍ ଭଲରେ ନେଇଥିଲେ । ଏମିତି ତ “ଝିଅଟି ମାଆ ହେବା ବେଳେ ତା ମାଆ ର ଉପସ୍ଥିତି ଖୁବ୍ ଆବଶ୍ୟକ କରେ “….
ସେ ହିସାବରେ ମାଆ ଛେଉଣ୍ଡ ଝିଅଟା ତା’ ମାଆର ଅନୁପସ୍ଥିତି ଉପଲବ୍ଧି ନକରୁ ଏ କଥାର ଖିଆଲ ବହୁତ୍ ଭଲରେ ରଖିଥିଲେ ସେ….
ଏବେ ସେ ବିଛଣା ଶଯ୍ୟା ନିଜ କାମ ନିଜେ କରିବାର ଶକ୍ତି ନାହିଁ ଆଉ ।ତାଙ୍କ ଯତ୍ନ ନେବାରେ ଜଣେ ନିରୁତା ମଣିଷ ଦରକାର । ଘରେ ବଡ ବୋହୂ ଏକା… ଘରର ଅପରିଯ୍ୟାପ୍ତ କାମ ,ପିଲାଙ୍କ ଯତ୍ନ । ଗାଁରେ ବlଡିଘର ଚାଷ ଏମିତି କେତେ କଣ…. ଏକା ଏତେ ସବୁ ସମ୍ଭାଳିବା ଆସହଜ । ସବୁ ଶୁଣି ଅରୁଣ ସ୍ଵାତୀ ସହ କଥାବାର୍ତ୍ତା ହେଲେ “ଘରେ ତ ଏମିତି ଅସୁବିଧା ଚାଲ ଗୋଟେ କାମ କରିବା ଆମେ କିଛି ଦିନ ଯାଇ ଗାଁ ରେ ରହିଯିବା । ଟିକେ ମାଆର ସେବା ବି ହେବ । ମୋର ତ ୱର୍କ ଫ୍ରମ ହୋମ୍ ଚାଲିଛି ।ଝିଅର ସ୍କୁଲ ବି ଅନଲାଇନ୍ । ସବୁ କାମରେ ସୁବିଧା ହେବ ।
ଏକଥା ଶୁଣି ସ୍ଵାତୀକୁ ଶହେ ଚାରି ଜ୍ଵର…। ସହରରେ ଏତେ ବର୍ଷ ରହି ଆସିବା ପରେ ସ୍ଵାତୀକୁ ଗାଁକୁ ଯିବାରେ ପ୍ରବଳ କୁଣ୍ଠା ବୋଧ… ଗାଁରେ ପାଣି,ଇଲେକ୍ଟ୍ରୀ ସବୁ ରେ ଅସୁବିଧା ,ଅନ୍ୟ ସୁଖ ସୁବିଧା ବି ଗାଁ ପରି ନାହିଁ ।
“ଟାଉନରେ ରହି ଯୋଉ ଅଭ୍ୟାସ ସବୁ ହେଇ ଗଲାଣି ସେମିତି ଗାଁରେ ଯାଇ ଚାଲିବା ମୋ ଦେଇ ସମ୍ଭବ ହେବନି” ପୁଣି ଝିଅ ଗାଁରେ ଯାଇ ଗାଁ ପିଲାଙ୍କ ସହ ମିଶି ତା ଅଭ୍ୟାସ ବି ଖରାପ ହେଇ ଯିବ “….।
ତୁମେ ତୁମର ଯିବତ ଯାଅ ଆମେ ମାଆ ଝିଅ ଏଇଠି ରହିବୁ… ଅରୁଣଙ୍କ ଲକ୍ଷେ ପ୍ରୟାସ ହାର ମାନିଗଲା ପରେ ସେ ଚୁପ୍ ରହିଲେ ଓ ଏକା ବାହାରିଲେ ଗାଁକୁ ଯିବାକୁ । ରାତିରେ ସବୁ ପ୍ୟାକିଂ କରି ରଖିଥାନ୍ତି ମନରେ ଅଜସ୍ର ଦୁଃଖ …. ରାତିରେ ସମସ୍ତେ ଖାଇ ଶୋଇଲେ ସକାଳେ ଶୀଘ୍ର ଉଠି ଅରୁଣ ଗାଁକୁ ଯିବେ… ସେହି ରାତିରେ ସ୍ଵାତୀ ର ବାପା ମାଆ ସ୍ବପ୍ନ ରେ ଆସି ସ୍ଵାତୀକୁ ବୁଝାଇଲେ….।
“ମାଆରେ ଶାଶୁ ଶଶୁର ପିଲାମାନଙ୍କ ପାଇଁ ଈଶ୍ୱର ହେଇଥାନ୍ତି । ତାଙ୍କର ମନଲାଖି ସେବା କଲେ ପୂଣ୍ୟ ମିଳିବ, ତୋ ଶାଶୁ ତ ବହୁତ୍ ଭଲ । ତା’ ଛଡା ତୋ ବାପା ରୋଗରେ ପଡ଼ିଥିବା ବେଳେ ତୋ ଭାଇ ଭାଉଜ ମାନଙ୍କ ଅନୁପସ୍ଥିତିରେ ତୁ ତାଙ୍କର କେତେ ସେବା କରିଥିଲୁ ସେଥିପାଇଁ ତୋ ପିଉସୀ କହିବା ଅନୁଯାୟୀ ତୋତେ କେତେ ଭଲ ଶାଶୁ ଘର ମିଳିଛି । ଏବେ ତୋ ଶାଶୁ ବି ରୋଗାକ୍ରାନ୍ତ ତୋ ସେବା ତାଙ୍କୁ ଏକ ନୂଆ ଜୀବନ ଦେଇପାରେ… । ତୁ କର୍ତ୍ତବ୍ୟ ରେ ଅବହେଳା କଲେ ଆମେ ସ୍ବର୍ଗ ରେ ଶାନ୍ତିରେ ରହି ପାରିବୁନି… ତୁ ଗାଁକୁ ଯାଇ ତୋ ଶାଶୁଙ୍କର ଯଥେଷ୍ଟ ସେବା କର ମାଆ “ଯତ୍ନ କଲେ ରତ୍ନ ନିଶ୍ଚୟ ମିଳିବ”….।
ସ୍ବପ୍ନରେ ବାପା ମାଆ ଙ୍କ କଥା ଶୁଣି ସ୍ଵାତୀ ମନରେ ଏକ ନିର୍ଦ୍ଦିଷ୍ଟ ଚେତନା ଆସିଲା ସେ ସାଙ୍ଗେ ସାଙ୍ଗେ ବିଛଣାରୁ ଉଠି ଗାଁକୁ ଯିବା ପାଇଁ ପ୍ରସ୍ତୁତ ହେଲା… ସ୍ଵାତୀର ଆଚରଣ ଦେଖି ଅରୁଣ ଭିତରେ ଭିତରେ ଖୁସିରେ ଫାଟି ପଡୁଥିଲେ…. ।
ହାଇଦ୍ରାବାଦ୍
Comments are closed.