ସଚ୍ଚିଦାନନ୍ଦ କର
ସମୟ ବିଦ୍ରୁପ କରୁଥିଲା।
ବାରଣ୍ଡା ଗ୍ରୀଲ୍ ପାଖରୁ ପଛକୁ ଫେରିଲା ସେ।ସମୟକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲା।
– ” ବାପା ! ଆଜି ଯେମିତି ହେଲେ ମୋ ପାଇଁ ଖେଳଣା ଆଣିଦବ। ” ଝିଅ କହିଲା।
ହଠାତ୍ ବାପାର ମନରେ ଖୁସିର କ୍ଷୀଣ ରେଖାଟିଏ ଝଲସି ଉଠିଲା।- ” ବଜାର ବନ୍ଦ।ଦୋକାନ ବନ୍ଦ।କେଉଁଠୁ ତୋ ପାଇଁ ଖେଳନା ଆଣିବି ? ” ସେ କହିଲା।
– ” ସବୁବେଳେ ତ ତୁମେ ସେଇକଥା କହୁଛ। ” ଝିଅ ବିରକ୍ତିରେ କହିଲା।ସୁଁ ସୁଁ ହୋଇ କାନ୍ଦିଲା।
ଝିଅକୁ ସାଙ୍ଗରେ ନେଇ ଦେଖେଇ ଦେବାକୁ ଇଚ୍ଛା କଲା ବାପା।ଲକ୍ ଡାଉନ୍।ଝିଅ ଆଡୁ ମୁହଁ ଫେରାଇ ସେ ପଛକୁ ବୁଲି ଚାହିଁଲା।
ସମୟ ବିଦ୍ରୁପ କରୁଥିଲା।
ସେ ପୁଣି ବୁଲିପଡି ଝିଅର ମୁହଁକୁ ଚାହିଁଲା।ଝିଅର ଆଖିରେ ତା’ର କଥା ସବୁ ମିଛ ସାବ୍ୟସ୍ତ ହୋଇ ସାରିଥିଲା।
ଏବେ ତା’ର ମୁହଁରେ ଛଳଛଳ ନୀରବତା ହିଁ ଥିଲା।
– ” ମୋର ଆଜି ଖେଳନା ଦରକାର। ” ଝିଅ ପୁଣି କହିଲା।ବ୍ୟସ୍ତ ସ୍ବରରେ।
– ” ବାହାରେ ବାୟା ବୁଲୁଛି।ଛୋଟ ବଡ,ଧନୀ ଗରିବ, ଜାତି ଅଜାତି – କିଛି ମାନୁନି ସେ।କ’ଣ କରିବି ତୁ କହ ? ” ସେ କହିଲା।ବୁଝାଇବା ଭଙ୍ଗୀରେ।
– ” କ’ଣ ସେ ବାୟାର ନାଁ ? ” ସାମାନ୍ୟ ରାଗିଯାଇ ପଚାରିଲା ଝିଅ।
– ” କରୋନା। ” ବାପା ଉତ୍ତର ଦେଲା।
– ” ମିଛ କହୁଛ ତୁମେ।ଏ ପୁଣି ନୂଆ ବାୟା ଆସିଲା କୁଆଡୁ ?ତୁମେ ତ ମୋତେ କକ ବାୟା, ନାନା ବାୟା,କୋକୁଆ ବାୟା କଥା କୁହ।ଏସବୁ ତୁମର ମୋତେ ଖେଳଣା ନ ଦେବାର ଫନ୍ଦି ଫିକର।ମୁଁ ଜାଣେ। ” ଝିଅ ରୋକଠୋକ ଶୁଣେଇ ଦେଲା।
ବାପାର ଅକଲ ଗୁଡୁମ୍।ଅସହାୟତା ଝୁଣି ଖାଇଲା।ଝିଅ ଆଡୁ ମୁହଁ ଫେରାଇ ସେ ପଛକୁ ବୁଲି ଚାହିଁଲା ପୁଣି।
ସମୟ ବିଦ୍ରୁପ କରୁଥିଲା।
ଏ ହେଉଛି ଦିନ ମଜୁରିଆ ହେବାର ଅଭିଶାପ।ସେ ମନକୁମନ କହିଲା।ତା’ର ମନେହେଲା ସମୟ ହାତରେ ସେ ଖେଳନା ପାଲଟି ଯାଇଛି।ତା’ ଆଖିରେ ଲୁହ ଆସିଗଲା।ଏକଥା ସଙ୍ଗେସଙ୍ଗେ ସେ ଝିଅକୁ କହିଦେବାକୁ ଚାହିଁଲା।ହେଲେ କହି ପାରିଲାନି।
– ” ତୁମେ ମିଛ କହୁଛ,ବାପା।ତୁମେ ମିଛୁଆ। ” ଆଗତୁରା କହିଦେଲା ଝିଅ।
ଦିନ ମଜୁରିଆ ଜଣେ ତା’ର ଝିଅକୁ କେବେ ସତ କହିପାରେ କ’ଣ !
– ” ଘରେ ରୁହନ୍ତୁ – – – – – ସୁରକ୍ଷିତ ରୁହନ୍ତୁ। ”
ଟିଭିରୁ ଭାସି ଆସୁଥିଲା ଏଇ ସ୍ବର।ସେଆଡକୁ ଚାହିଁ ଅନ୍ୟମନସ୍କ ହୋଇଗଲା ଝିଅ।
ମନକୁ ସାନ୍ତ୍ବନା ଦେଇ ପଛକୁ ବୁଲି ଚାହିଁଲା ବାପା।
– ” ହା – ହା – ହା – । ” ସମୟ ବିଦ୍ରୁପ କରୁଥିଲା।
” ନିର୍ମାଲ୍ୟ “
ନୂଆପଡ଼ା, ନୟାବଜାର, କଟକ – ୦୪
ମୋ . – ୯୮୬୧୨୧୧୦୫୧
Comments are closed.