ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୦
ମୂଳ ଇଂରାଜୀ: କେ ଏ ଆବ୍ବାସ
ମୋ ନାଁ ଶେଖ ବୁରହାନୁଦ୍ଦିନ୍ । ଯେତେବେଳେ ଦିଲ୍ଲୀ ସହରକୁ ଦଙ୍ଗା ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିଗଲା ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସୁଅ ରାସ୍ତା ଉପରେ ଛୁଟିଲା, ଜଣେ ଶିଖ ଲୋକର ପଡ଼ିଶା ହୋଇ ରହିଥିବାରୁ ମୋ ଭାଗ୍ୟକୁ
ମୁଁ ମନେ ମନେ ଧିକ୍କାର କଲି । ମୋର ଏଭଳି ଦୁର୍ଦ୍ଦିନରେ ପଡ଼ୋଶୀ ହିସାବରେ ସେ ମୋର ସହାୟତା କରିବା କଥା ତ ମୋ ମୁଣ୍ଡକୁ କେବେ ଢୁକି ନ ଥିଲା । ବରଂ ସଦାବେଳେ ମେ ମନରେ ଗୋଟିଏ ଭୟ ବସା ବାନ୍ଧିଥିଲା; କେଉଁ ମୁହୂର୍ତ୍ତରେ ମୋର ସେଇ ଶିଖ ପଡ଼ୋଶୀଜଣକ ତା’ର ଧାରୁଆ କୃପାଣଟି ମୋ ପେଟରେ ଭୁଷିଦେବ! ସତ କହିଲେ ଆଜି ପର୍ଯ୍ୟନ୍ତ ଶିଖ ଲୋକଗୁଡ଼ାକୁ ଦେଖିଲେ ମୋତେ ଭାରି ହସ ମାଡ଼େ । ଠେକା ପଗଡ଼ି ପିନ୍ଧି ସେମାନେ ଭାରି କୌତୁକିଆ ଦିଶନ୍ତି । ଆଉ କାହିଁକି କେଜାଣି ସେମାନଙ୍କ ପ୍ରତି ମୋ ମନରେ ଏକପ୍ରକାର ଘୃଣା ଭାବ ଥିଲା । ଭୟ ବି । ଯେଉଁଦିନ ପ୍ରଥମ କରି ମୋ ଆଖିରେ ଜଣେ ଶିଖ ଲୋକଟି ପଡ଼ିଲା ସେଇଦିନଠାରୁ ସେ ଲୋକଗୁଡ଼ାକ ପ୍ରତି ମୋ ମନରେ ବିତୃଷ୍ଣା ଭାବ ଜନ୍ମ ନେଇଥିଲା । ମୋତେ ସେତେବେଳକୁ ବୋଧେ ଛଅ ବର୍ଷରୁ ଅଧିକ ହୋଇ ନ ଥିବ । ଦିନେ ମୋ ଆଖିରେ ପଡ଼ିଲା ଶିଖ ଲୋକଟିଏ ଖରାରେ ବସି ତା’ ମୁଣ୍ଡର ଲମ୍ବା ବାଳକୁ ପାନିଆରେ କୁଣ୍ଡାଉଚି । ମୁଁ ହଠାତ୍ କୁରୁଳି ଉଠି ବଡ଼ପାଟିରେ ଚିତ୍କାର ଛାଡ଼ିଲି,‘ଦେଖ, ଦେଖ । ଜଣେ ସ୍ତ୍ରୀ ଲୋକର କେଡ଼େ କେଡ଼େ ଦାଢ଼ି!’ ବୟସ ବଢ଼ିବା ସହିତ ୟେ’ ଲୋକଗୁଡ଼ାଙ୍କ ପ୍ରତି ମୋ ମନରେ ଥିବା ଅସୂୟା ଭାବ କ୍ରମେ ଘୃଣାରେ ପରିଣତ ହୋଇଗଲା । ସେତେବେଳେ ଆମ ଇଲାକାରେ ଏଇଟା ଗୋଟିଏ ସାଧାରଣ କଥା ଥିଲା ଯେ ଯେକୌଣସି ପ୍ରକାର ଦୋଷତ୍ରୁଟି କିମ୍ବା ଅନ୍ୟ କୌଣସି ପ୍ରକାର ଅପବାଦ ସବୁ ନିଜ ଶତ୍ରୁ ଲୋକଙ୍କ ମୁଣ୍ଡରେ କୁଢ଼େଇପକେଇବା ।
ଧରାଯାଉ, ପଡ଼ିଶାଘରେ କେଉଁ ଶିଶୁଟିକୁ ଯଦି ନିମୋନିଆ ଜର ହେଲା କିମ୍ବା ତା’ ଗୋଡ଼ ଭାଙ୍ଗିଗଲା, ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକ ନିଶ୍ଚୟ କହିବେ ଯେ ଅନେକ ଦିନ ତଳେ ଜଣେ ଶିଖ ଲୋକର (କିମ୍ବା ଜଣେ ଫିରିଙ୍ଗି ଲୋକର) ପିଲାକୁ ଏମିତିକିଆ ନିମୋନିଆ ଧରିଥିଲା କି ତା’ ଗୋଡ଼ ଭାଙ୍ଗି ଯାଇଥିଲା । ବଡ଼ ହେଲା ପରେ ମୁଁ ଅନୁଧ୍ୟାନ କରି ଜାଣିଲି ଯେ ୧୮୫୭ ମସିହାର ଶିଖ ରାଜାମାନେ କାଳେ ହିନ୍ଦୁ ଓ ମୁସଲମାନମାନଙ୍କୁ ହରେଇବା ଲାଗି ଫିରିଙ୍ଗିମାନଙ୍କୁ ସାହାଯ୍ୟ କରିଥିଲେ । ମୋ କହିବା ମତଲବ ନୁହେଁ ଯେ ମୁଁ ଏଠାରେ କୌଣସି ଐତିହାସିକ ସତ୍ୟକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । କେବଳ ଆମ ଇଲାକାର ଲୋକମାନଙ୍କ ମନର ଥିବା ଧାରଣା ସମ୍ପର୍କରେ ହିଁ ମୋର ଏଭଳି ମନ୍ତବ୍ୟ । ସେଇଥିପାଇଁ ମୋ ମନରେ ଫିରିଙ୍ଗି ଆଉ ଶିଖ ଲୋକଗୁଡ଼ାଙ୍କ ପ୍ରତି ସନ୍ଦେହ ଓ ଘୃଣା ଭାବ ବେଶ୍ ଜମାଟ ବାନ୍ଧିଥିଲା । କିନ୍ତୁ ଶିଖ ଲୋକମାନଙ୍କ ଅପେକ୍ଷା ଗୋରାମାନଙ୍କ ପ୍ରତି ମୋ ମନର ଭୟ ଯଥେଷ୍ଟ ବେଶୀ ଥିଲା ।
ମତେ ଯେତେବେଳେ ଦଶବର୍ଷ ହୋଇଥିଲା, ଥରେ ମୁଁ ଦିଲ୍ଲୀରୁ ଆଲିଗଡ଼ ଯାଉଥିଲି । ଟ୍ରେନରେ ପ୍ରାୟ ଅଧିକାଂଶ ସମୟରେ ମୁଁ ତୃତୀୟ ଶ୍ରେଣୀରେ ହିଁ ଯା’ଆସ କରେ । କେତେବେଳେ କେମମିତି ତା’ ଉପର କ୍ଲାସ ( ଇଣ୍ଟର ରମିଡିଏଟ୍ କ୍ଲାସ)ରେ ।
ସେଥର ମୋ ମନକୁ କି ଧାରଣା ଢୁକିଲା କେଜାଣି, ଭାବିଲି ଅନ୍ତତଃ ପକ୍ଷେ ଜୀବନରେ ଥରେ ଦ୍ୱିତୀୟ ଶ୍ରେଣୀ ବଗିରେ ବସି ଯାତ୍ରା କରିବି । କେମିତି ଲାଗୁଛି ଅନୁଭବ କରିବି । ଟିକଟ କିଣି ଆସି ଦ୍ୱିତୀୟ ଶ୍ରେଣୀ ଡବାରେ ପହଞ୍ଚିଲା ବେଳକୁଦେଖିଲି ସେ କମ୍ପାର୍ଟମେଣ୍ଟଟା ସାରା ଖାଲି । ମୋ ମନ କୁଣ୍ଢେ ମୋଟ ହୋଇଗଲା । ସାଙ୍ଗେ ସାଙ୍ଗେ ଗୋଟିଏ ଲମ୍ବା ସିଟ୍ ଉପରକୁ ଡେଇଁ ପଡ଼ିଲି । ତା’ପରେ ବାଥ୍ରୁମ ଭିତରେ ପଶି ସେଠାରେ ଲାଗିଥିବା ସଫା ଆଇନାରେ ମୋ ମୁହଁକୁ ଥରେ ଭଲ କରି ଚାହିଁଲି । ସେଠାରୁ ବାହାରି ଆସି ପୂରା ଡବାଟା ଯାକର ସବୁ ଫ୍ୟାନଗୁଡ଼ାକର ସୁଇଚ୍ ଟିପିଦେଲି । ଟ୍ରେନ୍ ଛାଡ଼ିବାକୁ ଆଇ ମାତ୍ର କେଇଟା ମିନିଟ ବାକିଥାଏ ।
ଏତିକିବେଳେ କୁଆଡେ ଥିଲେ କେଜାଣି ଚାରିଟା ଗୋରା ଲୋକ କମ୍ପାର୍ଟମେଣ୍ଟ ଭିତରକୁ ପଶି ଆସିଲେ । ତାଙ୍କ ମୁହଁରୁ ଅଶ୍ରାବ୍ୟ ଭାଷାର ଉଦ୍ଗୀରଣ ଚାଲିଥିଲା ସତେକି ! ହରେକ କଥାରେ ‘ବ୍ଲଡି’ ନହେଲେ ‘ଡାମ୍’ । ଥରେ ସେମାନଙ୍କ ମୁହଁ ଉପରେ ଆଖି ଘୂରେଇନେବା ପରେ ଦ୍ୱିତୀୟ ଶ୍ରେଣୀ ବଗିରେ ଯାତ୍ରା କରିବାର ସବୁ ସରାଗ ମୋ ମନରୁ ହଠାତ୍ କାହିଁକି କେଜାଣି ମିଳେଇଗଲା ।
ସୁଟକେଶଟିକୁ ହାତରେ ଧରି ଏକମୁହାଁ ମୁଁ ସେ କମ୍ପାର୍ଟମେଣ୍ଟରୁ ବାହାରିଆସି ଧଇଁସଇଁ ହୋଇ ପଶିଗଲି ପାଖ ତୃତୀୟ ଶ୍ରେଣୀ ଡବା ଭିତରେ । ଚାରିଆଡ଼େ ମେତେ ଏବେ ଦେଶୀ ଲୋକଙ୍କ ମୁହଁ ଦିଶିଲା । ଅପରିଚିତ ହେଲେ ବି ଏମାନଙ୍କ ମୁହଁ ମତେ ପରିଚିତ ମନେ ହେଉଥିଲା । ହେଲେ ଭାଗ୍ୟ ଖରାପ ।
ଏବେ ନିରୀକ୍ଷଣ କରି ଦେଖିଲି, ଡବାର ଅଧିକାଂଶ ଲୋକ ଶିଖ । ପ୍ରାୟ ସମସ୍ତଙ୍କ ମୁହଁରେ ଲମ୍ବା ଦାଢ଼ି ନାହି ପର୍ଯ୍ୟନ୍ତ ଲମ୍ବିଛି । ଦେହରେ ପୋଷାକ କହିଲେ ଖଣ୍ଡିଏ ଖଣ୍ଡିଏ ଅଣ୍ଡରୱିଅର । ଏମାନଙ୍କ ଠାରୁ ଏବେ ନିସ୍ତାର ନାହିଁ । ମହରଗରୁ ଆସି ମଣିଷ କାନ୍ତାରରେ ପଡ଼ିବା ଭଳି କଥା ହେଲା । ହେଲେ ମୁଁ ଯେତେଦୂର ସମ୍ଭବ ସେ ଲୋକମାନଙ୍କ ଠାରୁ ଦୂରେଇ ବସିଲି । ଯଦିଓ ଶିଖ ଲୋକମାନଙ୍କ ଅପେକ୍ଷା ଗୋରା ଲୋକଙ୍କ ପ୍ରତି ମୋ ମନରେ ଅଧିକ ଭୟ ଥିଲା, ତଥାପି ସେମାନେ ଶିଖଗୁଡ଼ାକ ଅପେକ୍ଷା ଅଧିକ ସଭ୍ୟ, ଭଦ୍ର ବି । ଗୋରାଲୋକ ଓ ମୋ ପୋଷାକ ଭିତରେ ବେଶୀ କିଛି ତଫାତ ନଥିଲା । ମୋ ମନ ବି ହେଉଥାଏ ହରେକ କଥାରେ ସାହାବୀ ଢଙ୍ଗରେ ‘ଡାମ୍’ କି‘ବ୍ଲଡି ଫୁଲ୍’ ଯୋଡ଼ି କହିବାକୁ । ପୁଣି ଏମାନଙ୍କ ଭଳି ମୁଁ ବି ସାହାବୀ ଢଙ୍ଗରେ ହାକିମପଣିଆ ଦେଖେଇ ହେବାକୁ ମନ ହେଉଥିଲା । ବେଳେବେଳେ ଗୋରା ଲୋକଙ୍କ ଭଳି କଣ୍ଟା ଚାମଚରେ ଖାଇବାକୁ ମୋର ଭାରି ଇଚ୍ଛା ହୁଏ । ତା’ହେଲେ ଦେଶୀ ଲୋକମାନେ ମୋତେ ବେଶୀ ପାଠୁଆ ଓ ଭଦ୍ର ବୋଲି ଭାବିବେ ।
ହେଲେ ମୋ ମନରେ ଥିବା ଶିଖ-ବିରୋଧୀ ଭାବନାଟିର ଜନ୍ମ ନେବାର କାରଣ ସମ୍ପୂର୍ଣ୍ଣ ନିଆରା । ମୋ ଭିତରେ ଏଭଳି ଭାବନା କେବେ ଓ କାହିଁକି ଜନ୍ମ ନେଲା ସେକଥା ମୁଁ ନିଜେ ବି ଜାଣିନି । ବେଳେବେଳେ ମୋ ମନରେ ପ୍ରଶ୍ନ ଉଠେ, ୟେ’ ଶିଖ ଲୋକଗୁଡ଼ାଙ୍କ ମନକୁ ମୁଣ୍ଡରେ ସ୍ତ୍ରୀ ଲୋକଙ୍କ ଭଳି ଲମ୍ବା କେଶ ବଢ଼େଇବାକୁ ଏମିତିକା ବିଚିତ୍ର ଖିଆଲ ପଶିଲା କାହିଁକି? ସତ କହିଲେ, ମୋ ନିଜ ମୁଣ୍ଡର ବାଳ ଛୋଟ ଛୋଟ କରି କାଟିବାକୁ ମୁଁ ମଧ୍ୟ ଚାହେଁନି । ହେଲେ ମୋ ବାପାଙ୍କର ହୁକୁମ ଭିନ୍ନ । ପ୍ରତି ଶୁକବାର ଦିନ ନାପିତ ଦୋକାନକୁ ବାଳ କାଟିବାକୁ ଗଲାବେଳେ ମୁଁ ତାକୁ ତାଗିତ କରେ ବାଳକୁ ବେଶୀ ନ ଛୋଟେଇବାକୁ । ମୁଣ୍ଡରେ ଲମ୍ବା ଲମ୍ବା ବାଳ ରହିଲେ ଫୁଟବଲ କି ହକି ଖେଳିଲାବେଳେ ପବନରେ ସେସବୁ ଠିକ୍ ଫିରିଙ୍ଗି ଖେଳାଳୀଙ୍କ ଭଳିଆ ଫୁରୁଫୁରୁ ହୋଇ ଉଡିବ । ମତେ ଏମିତିକା ଫୁରୁଫୁରୁ ବାଳ ଉଡ଼ା ଭାରି ଭଲଲାଗେ ।
କିନ୍ତୁ ବାପା ବେଳେବେଳେ ବିରକ୍ତ ହୋଇ କହନ୍ତି, ‘ଆଚ୍ଛା, ମୁଣ୍ଡରେ ସ୍ତ୍ରୀ ଲୋକଙ୍କ ଭଳିଆ ବାଳ କାହିଁକ ବଢ଼େଇଛୁ ଶୁଣେ?’ ବାପାଙ୍କ ଏଇ ମରହଟ୍ଟିଆ ଥଟ୍ଟା ପ୍ରତି ମୁଁ ଆଦୌ ଧ୍ୟାନ ଦିଏନି । ତାଙ୍କ ହାତରେ ଯଦି ଗୋଟିଏ କ୍ଷୁର ଧରେଇ ଦିଆଯାଏ ତେବେ ସିଏ ତ ସବୁ ଟୋକାଙ୍କୁ ଲଣ୍ଡା କରି ଛାଡ଼ିଦେବେ ଓ ସମସ୍ତଙ୍କ ଓଠତଳେ ନକଲି ଦାଢ଼ି ଲଗେଇଦେବେ ।
ହଁ, ଶିଖମାନଙ୍କ ପ୍ରତି ମୋ ମନରେ ଥିବା ଘୃଣାର ଦ୍ୱିତୀୟ କାରଣଟି ହେଲା ସେମାନଙ୍କର ଲମ୍ବା ଦାଢ଼ି । ଏଇ ଦାଢ଼ିଟି ବେଳେବେଳେ ସେମାନଙ୍କୁ ଅତି ଭୟଙ୍କର ବନେଇଦିଏ । ମୁହଁସାରା ଦାଢ଼ି ସାଲୁବାଲୁ । ମୋ ବାପା ବି ଦାଢ଼ି ରଖିଛନ୍ତି । କେଡ଼େ ସୁନ୍ଦର ଲାଗେ ତାଙ୍କ ମୁହଁକୁ ସେ ଦାଢ଼ି! ଫ୍ରେଞ୍ଚ୍ ଷ୍ଟାଇଲର ଦାଢ଼ିକୁ ସିଏ ସବୁଦିନ ସାଇଜ୍ କରିନିଆନ୍ତି । ମୋ ଦାଦା ବି ଦାଢ଼ି ରଖିଚନ୍ତି । ଚିବୁକ ତଳେ ତାଙ୍କ ଦାଢ଼ିଟି ବେଶ୍ ଲମ୍ବିଥିବ । ହେଲେ ଏମିତିକା କଇଁଚି ଛୁଆଁ ହୋଇନଥିବା ଦାଢ଼ିକୁ ଦେଖିଲେ ତ ନିଶ୍ଚୟ ଡର ମାଡ଼ିବ । ବୁଦାଏ ଅରମା ଘାସ ଭଳିଆ ସେ ଦାଢ଼ି ବଢ଼ିଥିବ ଓ ବଢ଼ି ଚାଲିଥିବ- ତା’ ଦେହରେ ପିଡ଼ିଆ ଦିଆହେଲା ଭଳିଆ ତେଲ ବି ମରା ହେଉଥିବ । ପୁଣି ଆହୁରି କେତେ କ’ଣ ମାଲିସ୍ ହେଉଥିବ । ସେ ଦାଢ଼ି କେଇ ଫୁଟଯାଏ ଲମ୍ବିଗଲା ପରେ ସ୍ତ୍ରୀ ଲୋକ ମୁଣ୍ଡ କୁଣ୍ଡେଇଲା ପରି ତାକୁ ସେମାନେ କୁଣ୍ଡାଉଥିବେ । ମୋ ଜେଜେବାପାଙ୍କର ବି ଲମ୍ବା ଦାଢ଼ି ଥିଲା ଓ ସିଏ ବି ତାକୁ ପାନିଆ ଧରି କୁଣ୍ଡେଇ ସାଇଜ୍ କରୁଥିଲେ । କିନ୍ତୁ ମୋ ଜେଜେବାପା ମୋ ବାପା ଓ ଜଣେ ଶିଖ ଶିଖ ।
ମାଟ୍ରିକ୍ ପରୀକ୍ଷାରେ ପାସ୍ କଲାପରେ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପଢ଼ିବାଲାଗି ମତେ ପଠେଇ ଦିଆଗଲା । ଆମେ ଦିଲ୍ଲୀ ଓ ସେଣ୍ଟ୍ରାଲ ପ୍ରୋଭିନ୍ସରୁ ଆସିଥିବା ପିଲାମାନେ ପଞ୍ଜାବରୁ ଆସିଥିବା ପିଲାଙ୍କୁ ଦେଖିଲେ ନାକ ଟେକୁ । ସେଗୁଡ଼ାକ ନିପଟ ମଫୁ । କଥାବାର୍ତ୍ତାର ଢଙ୍ଗରଙ୍ଗ ସେମାନଙ୍କୁ ଜଣା ନଥିଲା । ଖାଇବା ଟେବୁଲରେ ବସି କେମିତି କଥାବାର୍ତ୍ତା କରିବ, ଅନ୍ୟବେଳେ କେମିତି ବ୍ୟବହାର କରିବ ସେସବୁ ସେମାନଙ୍କୁ ମାଲୁମ ନଥିଲା । ସେମାନଙ୍କୁ କେବଳ ଜଣା ବଡ଼ ବଡ଼ ଗ୍ଲାସରେ ଲସି ପିଇବା । ସିଏ ଲସି ଉପରେ ରଙ୍ଗରଙ୍ଗିଆ ବାସ୍ନା ପାଣି ଛିଞ୍ଚା ହୋଇଥିବ । ହେଲେ ଲିପଟନ ଚା’ କ’ଣ ସେମାନଙ୍କୁ ପଚାରିଲେ କେହି କହି ପାରିବେନି । ଆଉ ସେମାନଙ୍କ ଭାଷା, ଓଃ ଭୟଙ୍କର । ସେମାନେ ହସିଖୁସି କଥାବାର୍ତ୍ତା ହେଉଥିଲାବେଳେ ବି ଝଗଡ଼ା ଲାଗିଲାପରି ଲାଗେ । କଥା କଥାକେ, ଉସି, ତୁସି,ସଡ୍ଡେ, ତ୍ୱାଡ୍ଡେ’ ବୋଲି ସେମାନଙ୍କ ତୁଣ୍ଡରୁ ବାହାରୁଥିବ । ସେଇଥିଲାଗି ତ ସଦାବେଳେ ମୁଁ ନିଜକୁ ସେମାନଙ୍କଠାରୁ ଦୂରେଇ ରଖୁଥିଲି ।
ହେଲେ ମୋର ଦୁର୍ଭାଗ୍ୟ, ଆମ ହଷ୍ଟେଲ ୱାର୍ଡେନ ଜଣେ ପଞ୍ଜାବୀ ପିଲାକୁ ମୋ ରୁମ୍ମେଟ୍ ଭାବେ ଜୁଟେଇଦେଲେ । ମୁଁ ଯେତେବେଳେ ଦେଖିଲି ଏଥିରୁ ଖସିବା ମୁସ୍କିଲ୍, ବାଧ୍ୟ ହୋଇ ତା’ ସାଥିରେ ଚଳିବାକୁ ମନେ ମନେ ସ୍ଥିର କଲି । ମୁହଁରେ ତା’ ସାଙ୍ଗରେ ଦୋସ୍ତି ଜମେଇଲି । ଆମ ସାଥିରେ ଗୁଲାମ ରସୁଲ ବୋଲି ଆଉ ଗୋଟିଏ ପିଲା ପଢ଼ୁଥିଲା । ତାଙ୍କ ଘର ରାୱଲପିଣ୍ଡିରେ । ସେ ଭାରି ମଜା ମଜା କଥା କହେ । ତା’ ତୁଣ୍ଡରୁ ବିଭିନ୍ନ ଜାତିର ବିଶେଷ ଗୁଣ ସମ୍ପର୍କରେ ମୁଁ ଢେର୍ ନୂଆ ନୂଆ କଥା ଜାଣିବାକୁ ପାଇଲି । ତା’ଛଡ଼ା ସେମାନଙ୍କ ସମ୍ପ୍ରଦାୟର ବିଚିତ୍ର ପରମ୍ପରା, ପ୍ରଥା, ରୀତିନୀତି ଇତ୍ୟାଦି ସେ ଖୁସି ମନରେ ଗପେ । ତା’ ମତରେ ଶିଖମାନଙ୍କ ମୁଖ୍ୟ ବୈଶିଷ୍ଟ୍ୟ ହେଲା ଏମିତି: ସବୁଗୁଡ଼ାକ ଶିଖଲୋକ ଗୋଟାପଣେ ବୋକା ଓ ମୂର୍ଖ । ଖରାବେବେ ସେମାନେ ନିଜର କାଣ୍ଡଜ୍ଞାନ ହରାଇ ବସନ୍ତି ।
ଏକଥା ଅନେକବାର ପ୍ରମାଣିତ ହୋଇସାରିଛି ।
ଥରେ କ’ଣ ହେଇଛି , ଦିନ ପ୍ରାୟ ବାରଟା ବେଳ ହେବ । ଅମୃତସର ହଲ୍ ବଜାର ଦେଇ ଶିଖ ଲୋକଟିଏ ସାଇକେଲ ଚଢ଼ି ଯାଉଥିଲା । ଏତିକିବେଳେ ଆଉ ଜଣେ ଶିଖ କନେଷ୍ଟବଳ ତାକୁ ଅଟକେଇ ପଚାରିଲା, ‘ତୋ ସାଇକେଲରେ ଲାଇଟ୍ କାହିଁ?’ ଆର ଜଣକ ଶିଖ ତାକୁ ଉତ୍ତର ଦେଲା, ‘ଜମାଦାର ସା’ବ, ମୁଁ ତ ଘରୁ ବାହାରିଲାବେଳେ ବତୀ ଜଳେଇଥିଲି । ଏଇ ସାଙ୍ଗେ ସାଙ୍ଗେ ବୋଧେ ବତୀଟା ଲିଭିଯାଇଛି ।”
କନେଷ୍ଟବଳଟି ତାକୁ ହାଜତରେ ଠୁଙ୍କିଦେବ ବୋଳି ଧମକ ଦେଲା । ଏତିକିବେଳେ ଧଳା ଦାଢ଼ିବାଲା ଆଉ ଜଣେ ବୁଢ଼ା ପଞ୍ଜାବୀ ସେଇ ବାଟଦେଇ ଯାଉଥିଲା । ସିଏ ଦୁହିଁଙ୍କ ଝଗଡ଼ା ତୁଟେଇବାକୁ ଯାଇ କହିଲା, ‘ଆରେ ଭାଇ, ଛୋଟ ଛୋଟ କଥାକୁ ନେଇ ଏମିତି ଝଗଡ଼ା କରି ଲାଭ କ’ଣ ମିଳିବ କହିଲ? ଯଦି ବତୀଟା ଲିଭିଯାଇଛି , ତା’ହେଲେ ତାକୁ ଆଉ ଥରେ ଜଳେଇଦେଲେ କ’ଣ ହେବନି?
ଗୁଲାମ ରସୁଲ ପାଖରେ ସତେକି ଏମିତିକା ଶହ ଶହ ଘଟଣାର ପେଡ଼ି ଥିଲା । ଯେତେବେଳେ ସେ ତା’ର ପଞ୍ଜାବୀ ବୋଲିରେ ସେସବୁ ବଖାଣିବସେ, ତା’କଥା ଯିଏ ଶୁଣେ ହସି ହସି ବେଦମ୍ ହୋଇପଡ଼େ । ପଞ୍ଜାବୀ ଭାଷାରେ ଏପରି କଥାଗୁଡ଼ାକ ଶୁଣିବାକୁ ଭାରି ମଜା ଲାଗେ । କାରଣ ପଞ୍ଜାବୀମାନଙ୍କ ବିଚିତ୍ର ବ୍ୟବହାର ସେମାନଙ୍କ ନିଜ ଭାଷାରେ ହିଁ ଆହୁରି ଉପଭୋଗ୍ୟ ହୋଇଥାଏ ।
ଶିଖ ଲୋକଗୁଡ଼ାକ ଖାଲି ବୋକା ନୁହନ୍ତି, ସେମାନେ ବେସଣ୍ଠଣା ବି । ଗୁଲାମ ରସୁଲ ସେହିଭଳିଆ ଶହ ଶହ ଲୋକଙ୍କୁ ଜାଣିଥିଲା । କେମିତି ସେମାନେ ନିଜର ଦାଢ଼ି ଖିଅର ହୁଅନ୍ତିନି । ଆମେ ମୁସଲମାନ ପିଲାମାନେ ଅନ୍ତତଃ ସପ୍ତାହରେ ଥରେ ଶୁକ୍ରବାର ଦିନ ମୁଣ୍ଡ ଧୋଇ ଗାଧୋଇଥାଉ । ହେଲେ ଶିଖ ପିଲାଗୁଡ଼ାକ ଖଣ୍ଡେ ଛୋଟ ପ୍ୟାଣ୍ଟ ପିନ୍ଧି ସମସ୍ତଙ୍କ ସାମ୍ନାରେ ପଦାରେ ଗାଧାନ୍ତି । ପୁଣି ମୁଣ୍ଡରେ ଓ ଦେହରେ ଆହୁରି କେତେ କ’ଣ ଚିଜ ମାଖି ହୁଅନ୍ତି । ମୁଁ ତ ମୋ ମୁଣ୍ଡରେ ଲେମ୍ବୁରସ କି
ଗ୍ଲିସେରିନ ମାଖେ । ହଁ, ଗ୍ଲିସେରିନ୍ ଦେଖିବାକୁ ଦହି ଭଳିଆ ଧଳା ଆଉ କାଠୁଆ । ହେଲେ ସିଏ ଗୋଟିଏ ଅଲଗା ଚିଜ । ୟୁରୋପର ନାମୀଦାମୀ ଗୋଟିଏ କମ୍ପାନୀ ତାକୁ ବନାନ୍ତି ।
ମୁଁ ସେ ଗ୍ଲିସେରିନକୁ ଦୋକାନରୁ କିଣେ ଓ ବୋତଲରେ ସାଇତି ରଖେ । କିନ୍ତୁ ଶିଖ ପିଲାମାନେ ଗୁଡ଼ିଆ ଦୋକାନରୁ ଦହି କିଣି ମୁଣ୍ଡରେ ବୋଳିହୁଅନ୍ତି । ସେମାନଙ୍କ ଏମିତିକା ଜୀବନଧାରାରେ ମୁଁ କଦାପି ଚିନ୍ତିତ ହୋଇନଥାନ୍ତି । ପୁଣି ସେମାନେ ଏତେ ଗର୍ବୀ ଓ ଉଦ୍ଧତ ଯେ ନିଜକୁ ସଦାବେଳେ ମୁସଲମାନମାନଙ୍କ ପରି ଲଢ଼ୁଆ ବୋଲି ଦାବି କରନ୍ତି । ଏକଥା ସାରା ଦୁନିଆରେ ସମସ୍ତଙ୍କୁ ଜଣା, ଜଣେ ମୁସଲମାନକୁ ଦଶ ଦଶଟା ଶିଖ କି ହିନ୍ଦୁ ସରି ହେବେନାହିଁ । ହେଲେ ମୁସଲମାନଙ୍କ ଶ୍ରେଷ୍ଠତ୍ୱକୁ ଏ ଶିଖମାନେ ମାନିବାକକୁ ନାରାଜ । ବେଳେବେଳେ ନିଜ ବାହୁବଳ ପ୍ରଦର୍ଶନ କରିବାକୁ ସେମାନ ଗଞ୍ଜା କୁକୁଡ଼ା ଭଳି କୁହାଟ ଛାଡ଼ି ନିଶ ମୋଡ଼ି ଦାଢ଼ି ସାଉଁଳାନ୍ତି ।
ଗୁଲାମ ରସୁଲ ତେଣୁ ସଦାବେଳେ କହେ ଯେ ଦିନେ ଆମେ ମୁସଲମାନମାନେ ଶିଖଗୁଡ଼ାଙ୍କୁ ଏମିତିକା ପାନେ ଚଖେଇବୁ ଯେ ଜୀବନସାରା ସେକଥା ସେମାନଙ୍କର ମନେ ରହିଥିବ ।
ୟା’ ଭିତରେ କିଛି ବର୍ଷ ବିତି ସାରିଥିଲା । ମୋର କଲେଜ ପଢ଼ା ସରିଥିଲା । ମୁଁ ଆଉ ଛାତ୍ର ହୋଇ ରହିନଥିଲି । ମତେ କିରାଣୀ ଚାକିରୀ ଖଣ୍ଡେ ମିଳିଯାଇଥିଲା । ତା’ର କିଛିବର୍ଷ ପରେ ମୁଁ ହେଡକ୍ଲର୍କ ବନିଗଲି । ତା’ପରେ ଆଲିଗଡ ଛାଡ଼ି ମୁଁ ନୂଆଦିଲ୍ଲୀ ଆସି ରହିଛି । ମୋତେ ସରକାରୀ କ୍ୱାର୍ଟର୍ସଟିଏ ବି ମିିଳିଥିଲା । ପୁଣି ବାହାସାହା ହୋଇ ମୁଁ ପିଲାଛୁଆ କମେଇ ଗୋଟାପଣେ ସଂସାରୀ ହୋଇସାରିଥିଲି । ମୋ ଘର କଡ଼କୁ ଲାଗି ଆଉ ଗୋଟିଏ ସରକାରୀ କ୍ୱାର୍ଟର୍ସରେ ଗୋଟିଏ ଶିଖ ପରିବାର ରହୁଥାନ୍ତି । ଦେଶ ବିଭାଜନ ପରେ ସେମାନେ ରାୱଲପିଣ୍ଡିରୁ ପ୍ରାଣନେଇ ପଳାଇ ଆସିଥିଲେ । ସେ ପରିବାରର ଲୋକମାନଙ୍କୁ ଦେଖିଲେ ଅନେକ ବର୍ଷ ତଳେ ଗୁଲାମ ରସୁଲ ଯାହାସବୁ କହୁଥିଲା ସେସବୁ ମୋର ମନେ ପଡ଼ିଯାଉଥିଲା । ଗୁଲାମ ରସୁଲ ଯାହା ଭବିଷ୍ୟବାଣୀ ଶୁଣେଇଥିଲା ତାହା ସତେ ଯେମିତି ସତରେ ପରିଣତ ହୋଇଛି । ଶିଖ୍ମାନେ ପାନେ ପାଇଛନ୍ତି । ସତକୁ ସତ ରାୱଲପିଣ୍ଡିରେ ସେମାନଙ୍କୁ ଭଲକରି ପାନେ ମିଳିଥିଲା ।
ମୁସଲମାନମାନେ ସେମାନଙ୍କୁ ସେ ସହରରୁ ଗୋଟାପଣେ ପଦା କରିଦେଇଥିଲେ । ଶିଖ ଲୋକଗୁଡ଼ାକ ଆଗରୁ ଅଣ୍ଟାରେ ବାନ୍ଧି କହିବୁଲୁଥିଲେଯେ ସେମାନେ ମହାବୀର, ପୁଣି ତାଙ୍କ ପାଖରେ ରକ୍ଷା କବଚ କୃପାଣ ଅଛି । କିନ୍ତୁ ସେମାନେ ମୁସଲମାନଙ୍କର ସାମ୍ନା କରିପାରି ନଥିଲେ । ଅନେକ ଶିଖଙ୍କର ଦାଢିକୁ ଜୋର ଜବରଦସ୍ତ କାଟି ଦିଆଯାଇଥିଲା । ସେମାନଙ୍କ ସୁନତି କରି ଦିଆଯାଇଥିଲା । ସେମାନଙ୍କୁ ଜୋର ଜବରଦସ୍ତ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଥିଲା । ସେଥିରେ ଖବରସବୁ ଛପାଗଲା ଯେ ମୁସଲମାନମାନେ ଶିଖ ମହିଳା ଓ ପିଲାଛୁଆଙ୍କୁ ହତ୍ୟା କରିଛନ୍ତି । ହେଲେ ଏସବୁ ହେଲା ଇସଲାମ ପରମ୍ପରା ବିରୋଧୀ କାର୍ଯ୍ୟ । କୌଣସି ସଚ୍ଚା ମୁସଲମାନ କେବେ କୌଣସି ମହିଳା ଉପରକୁ ହାତ ଉଠାଇବାର ନଜିର ନାହିଁ । କୌଣସି ଶିଶୁକୁ ମାରିବାର ଉଦାହରଣ ନାହିଁ ।
ଯେଉଁସବୁ ମହିଳା ଓ ଶିଶୁମାନଙ୍କ ଶବର ଫଟୋ ଖବରକାଗଜରେ ଛପା ହୋଇଥିଲା ସେସବୁ ମିଛ ଥିଲା । ମୋର ଦୃଢ଼ ବିଶ୍ୱାସ ହେଉଥିଲା ଯେ କେବଳ ମୁସଲମାନ ଲୋକଙ୍କୁ ବଦନାମ କରିବା ଲାଗି ଶିଖମାନେ ସେମାନଙ୍କ ସ୍ତ୍ରୀପିଲାଛୁଆଙ୍କୁ ମାରି ପକେଇଥିଲେ । ମୁସଲମାନମାନେ ହିନ୍ଦୁ ଓ ଶିଖ ମହିଳାମାନଙ୍କୁ ବଳପୂର୍ବକ ଅଟକ ରଖିବାରେ ଅଭ୍ୟସ୍ତ ଥିଲେ । ସତ କଥାଟି ହେଲା ଏଇଆ ଯେ ହିନ୍ଦୁ ମହିଳାମାନଙ୍କ ମନରେ ମୁସଲମାନ ଲୋକଙ୍କ ସାହସିକତା ଏମିତି ପ୍ରଭାବ ପକାଇଥିଲା ଯେ ସେମାନେ ତାଙ୍କ ସହ ପଳେଇଯିବା କି ସେମାନଙ୍କୁ ଭଲ ପାଇବାରେ ତିଳେହେଲେ କୁଣ୍ଠା କରୁନଥିଲେ । ତେଣୁ ଆଦର୍ଶବାଦୀ ମୁସଲମାନ ଯୁବକମାନେ ଏପରି ମହିଳାମାନଙ୍କୁ ଆଶ୍ରୟ ଦେବା ବ୍ୟତୀତ ଆଉ କିଛି ଚାରା ନଥିଲା । ଶିଖମାନଙ୍କ ମନରେ ସେମାନଙ୍କ ବୀରତ୍ୱକୁ ନେଇ ଯେଉଁ ସ୍ୱାଭିମାନ ଥିଲା ତାହା ପାଣି ଫୋଟକା ପରି ମିଳେଇ ଯାଇଥିଲା । ସେମାନଙ୍କ ନେତାମାନେ ହାତରେ କୃପାଣ ଧରି ମୁସଲମାନମାନଙ୍କୁ କେତେ ଧମକ ଦେଇଥିଲେ ।
କିନ୍ତୁ ସେସବୁ ନିରର୍ଥକ ଥିଲା । ରାୱଲପିଣ୍ଡି ସହରରୁ ଶିଖମାନେ ଯେମିତି ପ୍ରାଣ ବିକଳରେ ପଳେଇ ଆସିଥିଲେ ସେ ଘଟଣା ମୋ ମନରେ ମୁସଲମାନମାନଙ୍କ ବୀରତ୍ୱ ଓ ସାହସିକତା ପ୍ରତି ଆହୁରି ଆସ୍ଥା ସୃଷ୍ଟି କରିଥିଲା । ମୋ ମନ ଆନନ୍ଦରେ କୁରୁଳି ଉଠୁଥିଲା । ମୋ ଘର ନିକଟରେ ରହୁଥିବା ଶିଖଲୋକଟିର ବୟସ ପ୍ରାୟ ଷାଠିଏ ସରିକି ଥିଲା । ତା’ର ଦାଢ଼ି ବି ଗୋଟାପଣେ ଝୋଟ ପାଲଟି ସାରିଥିଲା । ମୃତ୍ୟୁ କବଳରୁ ସେ ବର୍ତ୍ତି ଯାଇଥିଲା ସତ, ହେଲେ ପ୍ରତି କଥାରେ ସେ ଦାନ୍ତ ନିକୁଟେ । ହସିଲାବେଳେ ତା’ ଦାନ୍ତ ଦି’ଭାଡ଼ି ଭାରି ବିକୃତ ଦିଶେ । ଲୋକଟାକୁ ଯିଏ ଦେଖିବ ସିଏ ଭାବିବ ଯେ ସେଇଟା ଗୋଟାପଣେ ଗୁଡବକ୍ ।
ପ୍ରଥମେ ପ୍ରଥମେ ସେ ତା’ର ବନ୍ଧୁତା ଜାଲରେ ମୋତେ ଫସେଇବାକୁ ଖୁବ୍ ଚେଷ୍ଟା କଲା । ଯେତେବେଳେ ଭେଟିଲା, କିଛି ନା
କିଛି ବାହାନା କରି ମୋ ସହିତ ଗପସପ ଆରମ୍ଭ କରିଦେଲା । କ’ଣ ଗୋଟିଏ ଶିଖ ପର୍ବ ସିଏ କେଜାଣି, ସେକଥା ମୋର ମନେନାହିଁ, ହେଲେ ସେଦିନ ସେ ମୋ ଘରକୁ ଲସି ପଠେଇଲା । ମୋ ସ୍ତ୍ରୀ କିନ୍ତୁ ସଙ୍ଗେ ସଙ୍ଗେ ସେ ଲସିକୁ ଆମ ଘରର ଚାକରାଣୀକୁ ଦେଇଦେଲା । ମୁଁ ସଦାବେଳେ ସେ ଲୋକଟିଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲି । ବେଳେବେଳେ ତାକୁ ଥଟ୍ଟା ପରିହାସ ବି କରୁଥିଲି । ମୁଁ ଭଲକରି ଜାଣିଥିଲି ଯେ ତା’ ସାଙ୍ଗରେ ଭଲ କଥା ପଦେ ହେଲେ ସିଏ ବନ୍ଧୁତା କରିବସିବ । ଆହୁରି ନିକଟତର ହେବ । ମୁଁ ଜାଣିଥିଲି ଯେ ଗାଳିଗୁଲଜ କଲେ ହିଁ ଶିଖଗୁଡ଼ାକ ଜବତ ହୋଇ ରହନ୍ତି । ମୋର କି ଗରଜ ଯେ ଏଭଳିଆ ଲୋକଗୁଡ଼ାଙ୍କ ସାଙ୍ଗରେ ଭାବଦୋସ୍ତି କରିବି?
ସେ ଦିନ ରବିବାର ଥାଏ । ଖରାବେଳେ ମୁଁ ଘରେ ବସି ମୋ ସ୍ତ୍ରୀକୁ ସେଇ ଶିଖଗୁଡ଼ାଙ୍କ ମୂର୍ଖାମୀ ବିଷୟରେ କେଇଟା କଥା କହୁଥାଏ । ସେମାନଙ୍କ ନିର୍ବୋଧପଣ ବିଷୟ ପରଖିବାକୁ ସେତେବେଳେ ସମୟ କେଇଟା ହୋଇଛି ବୋଲି ବୁଝିବାକୁ ମୋ ଚାକରକୁ ଶିଖ ପଡୋଶୀର ଘରକୁ ପଠେଇଲି । ସେତେବେଳେ ଦିନ ଠିକ୍ ବାରଟା ବାଜୁଥିଲା । ପଡୋଶୀ ଶିଖବନ୍ଧୁ ଉତ୍ତର ଦେଇ ପଠେଇଲେ,‘ବାରଟା ବାଜି ଦୁଇ ମିନିଟ ହୋଇଚି ।’ ମୁଁ ମୋ ପତ୍ନୀକୁ କହିଲି, ‘ଦେଖିଲ, କେମିତି ଏଇ ବାରଟା ବାଜିବାକୁ ସେମାନଙ୍କର ଡର! ସେମାନେ କଦାପି ବାରଟା ବାଜିଚି ବୋଲି କହିବେନି ।’ ଆମେ ଦୁହେଁ ଏମିତି କଥାବାର୍ତ୍ତା ହୋଇ ଖୁବ୍ ଜୋରରେ ବହେ ହସିଲୁ । ମୋର ଯେତେବେଳେ ଏଇ ଶିଖ ପଡୋଶୀଟିକୁ ବୋକା ବନେଇବାକୁ ଇଚ୍ଛା ହୁଏ, ମୁଁ ତାକୁ ଦେଖିବା ମାତ୍ରେ ପଚାରେ, ‘କ’ଣ ସର୍ଦ୍ଦାରଜୀ, ବାରଟା ବାଜିଲାଣି ନା ନାଇଁ?’ ନିର୍ବୋଧଟା ସଦାବେଳେ ଦାନ୍ତ ନିକୁଟି ଦି’ଭାଡ଼ି ଦାନ୍ତ ଦେଖେଇ ଉତ୍ତର ଦିଏ, ‘ସା’ବ୍, ଆମ ଲାଗି ସବୁବେଳେ ବାରଟା ବାଜିଚି ।’ ଏତିକି କହି ସେ ଜୋରରେ ହସିଉଠେ ।
ଏ ଶିଖ ଲୋକଟା ପଡ଼ୋଶୀ ହୋଇ ରହିବା ଦିନଠାରୁ ମୋ ପିଲାଛୁଆଙ୍କ ନିରାପତ୍ତା ଲାଗି ମୁଁ ଗୋଟାପଣେ ଚିନ୍ତିତ ହୋଇପଡ଼ିଥିଲି । ଶିଖ ଲୋକଗୁଡ଼ାଙ୍କୁ କି ବିଶ୍ୱାସ? ଆଉ ଏ ଲୋକଟା ତ ରାୱଲପିଣ୍ଡିରୁ ପ୍ରାଣ ବଞ୍ଚେଇ ପଳେଇ ଆସିଛି । ନିଶ୍ଚୟ ତା’ ମନରେ ମୁସଲମାନ ଲୋକଙ୍କ ଉପରେ ଖୁବ୍ ରାଗ ଥିବ ଓ ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ସିଏ ସୁଯୋଗ ଉଣ୍ଡୁଥିବ । ତେଣୁ ପିଲାମାନଙ୍କୁ ସେ ଲୋକଟିର ଘର ଆଡ଼କୁ ନଛାଡ଼ିବା ଲାଗି ମୁଁ ମୋ ପତ୍ନୀକୁ ସତର୍କ କରି ଦେଇଥିଲି । ହେଲେ ପିଲା ତ ପିଲା । କେଇଟା ଦିନ ଭିତରେ ମୁଁ ଦେଖିଲି ମୋ ପିଲାମାନେ ଯାଇ ସେ ପଞ୍ଜାବୀ ଲୋକଟିର ଛୋଟ ଝିଅ ମୋହିନୀ ଓ ତା’ର ନାତିନାତୁଣୀମାନଙ୍କ ସାଙ୍ଗରେ ଖେଳୁଛନ୍ତି ।
ତା’ ସାନଝିଅଟିର ବୟସ ପ୍ରାୟ ଦଶବର୍ଷ ହେବ । ଦେଖିବାକୁ ଖୁବ୍ ସୁନ୍ଦରୀ । ସାକ୍ଷାତ୍ ପରୀଟିଏ ଭଳି! ଏ ଶିଖ ଲୋକଗୁଡ଼ାଙ୍କ ପିଲାଛୁଆମାନେ ଭାରି ସୁନ୍ଦର । ତା’ସ୍ତ୍ରୀଟି ବି ଦେଖିବାକୁ ବେଶ୍ ସୁନ୍ଦରୀ । ମୋର ମନେ ପଡ଼ିଗଲା ଗୁଲାମ ରସୁଲର କଥା । ସିଏ କହେ, ଯଦି ସବୁ ପଞ୍ଜାବୀ ଲୋକ ସେମାନଙ୍କ ସ୍ତ୍ରୀମାନଙ୍କୁ ଛାଡ଼ି ପଞ୍ଜାବରୁ ପଳାନ୍ତି, ତା’ହେଲେ ମୁସଲମାନମାନଙ୍କୁ ଆଉ ନନ୍ଦନକାନନ ଯାଇ ହୁରିଙ୍କୁ ଖୋଜିବାକୁ ପଡ଼ିବନି ।
ଶିଖମାନଙ୍କ ହୀନସ୍ତା କଥା କେଇଟା ଦିନ ଭିତରେ ସମସ୍ତେ ଜାଣିଗଲେ । ରାୱଲପିଣ୍ଡିରେ ପ୍ରବଳ ମାଡ଼ ଖାଇ ସେମାନେ ଗୋରୁପଲ ଭଳିଆ ପୂର୍ବ ପଞ୍ଜାବକୁ ପଳେଇ ଆସିଥିଲେ । ଏଠି ସେମାନେ ଦେଖିଲେ ଯେ ମୁସଲମାନ ଲୋକଗୁଡ଼ାକ ଦୁର୍ବଳ ଓ ଗଣ୍ଡଗୋଳ ଲାଗି ପ୍ରସ୍ତୁତ ନାହାନ୍ତି । ତେଣୁ ସେମାନେ ମୁସଲମାନମାନଙ୍କୁ ହତ୍ୟା କରିଚାଲିଲେ । ଶହ ଶହ, ହଜାର ହଜାର ମୁସଲମାନ ହଲାଲ ହେଲେ, ସେମାନଙ୍କ ରକ୍ତରେ ସତେ କି ନଦୀ ବହିଲା! ହଜାର ହଜାର ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତା ଉପରେ ଚଲାଗଲା । ପଶ୍ଚିମ ପଞ୍ଜାବରୁ ପଳେଇ ଆସିଥିବା ଶିଖ ଲୋକଗୁଡ଼ାକ ଯେତେବେଳେ ହଜାର ହଜାର ସଂଖ୍ୟାରେ ଆସି ଦିଲ୍ଲୀରେ ପହଞ୍ଚିଲେ , ସମସ୍ତେ ଆଶଙ୍କା କଲେ ଯେ ଦିଲ୍ଲୀରେ ନିଶ୍ଚେ ଦଙ୍ଗା ଲାଗିବ । ମୁଁ ହଠାତ୍ ପାକିସ୍ତାନ ଯାଇ ପାରିନଥିଲି । ଅଗତ୍ୟା ମୋର ସ୍ତ୍ରୀପିଲାଙ୍କୁ ଉଡ଼ାଯାହାଜରେ ପାକିସ୍ତାନ ପଠେଇଦେଲି । ସେମାନଙ୍କ ସାଙ୍ଗରେ ମୋ ବଡ଼ଭାଇ ବି ଗଲେ । ଆଲ୍ଲାଙ୍କୁ ଭରସା କରି ମୁଁ ଭାରତରେ ରହିଲି । ହେଲେ ଉଡାଜାହାଜରେ ବେଶୀ କିଛି ଜିନିଷ ପଠେଇ ପାରିଲିନି । ସବୁ ଜିନିଷପତ୍ର ପଠେଇବା ଲାଗି ରେଳବଗିଟିଏ ରିଜର୍ଭ କରିଦେଲି । କିନ୍ତୁ ଯେଉଁଦିନ ଜିନିଷପତ୍ର ପଠେଇବା କଥା, ଠିକ୍ ସେଇଦିନ ଖବର ମିଳିଲା ଯେ ପାକିସ୍ତାନ ଯାଉଥିବା ଟ୍ରେନକୁ ଶିଖ ଲୋକମାନେ ବାଟରେ ଅଟକେଇ ଲୁଟୁଛନ୍ତି । ତେଣୁ ମୋର ସବୁ ଜିନିଷପତ୍ର ସେଇ ଦିଲ୍ଲୀ ଘରେ ସେମିତି ବନ୍ଧା ହୋଇ ପଡ଼ିରହିଲା ।
ଅଗଷ୍ଟ ୧୫ ତାରିଖ ଆସିଲା । ଭାରତ ସ୍ୱାଧୀନ ହେଲା । ସମସ୍ତେ ଏହି ଦିନଟିକୁ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କଲେ । ଭାରତ ସ୍ୱାଧୀନତା ଲାଭ କରିବାରେ ମୋର ଅବା ଯାଏ ଆସେ କେତେ? ତେଣୁ ସାରାଦିନ ମୁଁ ଶେଯଟା ଉପରେ ପଡ଼ି ‘ଡନ୍’ ଓ ‘ପାକିସ୍ତାନ ଟାଇମ୍ସ’ ଖବରକାଗଜ ପଢ଼ି ବିତେଇଲି । ଉଭୟ ସମ୍ବାଦପତ୍ରରେ ଭାରତ କେମିତି ତା’ର ସ୍ୱାଧୀନତା ହାସଲ କଲା ସେଇ ବିଷୟରେ କଡ଼ା ଭାଷାରେ ଲେଖାଯାଇଥିଲା ଓ କେମିତି ହିନ୍ଦୁମାନେ ଓ ବ୍ରିଟିଶ୍ ଲୋକମାନେ ମୁସଲମାନଙ୍କୁ ଲଣ୍ଡଭଣ୍ଡ କରିଛନ୍ତି ସେ ବିଷୟରେ ଲେଖାମାନ ପ୍ରକାଶ ପାଇଥିଲା । କେବଳ ଆମ ନେତା ମହମ୍ମଦ ଅଲ୍ଲି ଜିନ୍ନା ସେମାନଙ୍କର ଏପରି ଗୁପ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରିପାରିଥିଲେ ଓ ମୁସଲମାନଙ୍କ ଲାଗି ପାକିସ୍ତାନ ଗଠନ କରିବାକୁ ସକ୍ଷମ ହୋଇଥିଲେ । ହିନ୍ଦୁ ଓ ଶିଖ ଲୋକଗୁଡ଼ାଙ୍କ ଚାପରେ ପ୍ରଭାବିତ ହୋଇ ଗୋରା ଶାସକମାନେ ଅମୃତସରକୁ ଭାରତକୁ ଦେଇଦେଲେ ।
ତେବେ ସାରା ଦୁନିଆ ଜାଣିଛି , ଅମୃତସର ହେଲା ଗୋଟିଏ ମୁସଲମାନ ସହର । ତା’ର ସ୍ୱର୍ଣ୍ଣ ମସଜିଦଟା- ନୋ ସ୍ୱର୍ଣ୍ଣମନ୍ଦିର ସାଙ୍ଗରେ ଏଇ କଥାଟାକୁ ମିଶେଇ ଦେଉଛି । ଓଃ! ସ୍ୱର୍ଣ୍ଣ ମସଜିଦଟା ଦିଲ୍ଲୀରେ ପରା! ଦିଲ୍ଲୀରେ ସ୍ୱର୍ଣ୍ଣ ମସଜିଦ ସହ ଆହୁରି ଅନେକ ମସଜିଦ ଅଛି । ଜୁମା ମସଜିଦ୍, ଲକି, ହଜରତ ନିଜାମୁଦ୍ଦିନଙ୍କ ମଜାର, ସମ୍ରାଟ ହୁମାୟୁନଙ୍କ କବର, ସଫଦରଜଙ୍ଗଙ୍କ କବର ଏବଂ ଇସଲାମ ଶାସନର ଆହୁରି ଅନେକ କିଛି ଅବଶେଷ । ଦିଲ୍ଲୀରେ ଯାହା କିଛି ଐତିହାସିକ ସ୍ଥାନ ରହିଛି ସବୁତ ସେଇ ମୁସଲମାନଙ୍କ ଅବଦାନ । ଆଉ ଏଇ ଦିଲ୍ଲୀରେ (ଯାହାକି ଏହାର ମୁସଲମାନ ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ଶାହାଜାହାନାବାଦ ହେବା କଥା) ଏବେ ସେଠାରେ ହିନ୍ଦୁ ପତାକା ଉଡୁଛି !
ଏକଥା ଭାବିଲା ବେଳକୁ ମୋର ଛାତି ସତେକି ବିଦାରି ହୋଇଯାଉଥିଲା । ମୋ ଆଖିରୁ ଲୁହ ନୁହେଁ, ଲହୁ ଝରି ପଡ଼ୁଥିଲା ।ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁସଲମାନ ଶାସନର ମୂଳପୀଠ ଏବଂ ଇସଲାମ ସଂସ୍କୃତିର ପ୍ରାଣକେନ୍ଦ୍ର ଦିଲ୍ଲୀକୁ ଆମଠାରୁ ଛଡେଇ ନିଆଯାଇଛି , ମୋ ମନ ଦୁଃଖରେ ଭରିଗଲା । ତା’ ବଦଳରେ ଆମକୁ ଦିଆଯାଇଥିଲା ପଶ୍ଚିମ ପଞ୍ଜାବର ମରୁଭୂମି, ସିନ୍ଧୁ ପ୍ରଦେଶ ଆଉ ଅସଭ୍ୟ ଅଶିକ୍ଷିତ ଲୋକମାନେ ବସବାସ କରୁଥିବା ବେଲୁଚିସ୍ତାନ! ଆମକୁ ଏମିତି ଅଞ୍ଚଳ ଦିଆଗଲା, ଯେଉଁଠି ଲୋକମାନେ ଶୁଦ୍ଧ ଉର୍ଦ୍ଦୁ ଶବ୍ଦଟିଏ ସୁଦ୍ଧା ଉଚ୍ଚାରଣ କରିପାରନ୍ତିନି; ଯେଉଁଠି ଲୋକମାନେ ସ୍ତ୍ରୀଲୋକଙ୍କ ପରି ଢିଲା ସାଲୱାର ପିନ୍ଧନ୍ତି; ଯେଉଁଠି ଲୋକମାନେ ଚାରି ଚାରି ପାଉଣ୍ଡ ଓଜନର ରୁଟି ଚୋବାନ୍ତି ।
ଏସବୁ ଶୁଣି, ଦେଖି ମୋ ଛାତି ପଥର ପାଲଟି ଯାଇଥିଲା । ମୋ ପ୍ରିୟ ଓ ଆଦର୍ଶ ନେତା ମହମ୍ମଦ ଅଲ୍ଲି ଜିନ୍ନାଙ୍କ ପାଇଁ ମୋତେ ଏତିକି ସ୍ୱାର୍ଥ ତ୍ୟାଗ ତ ଅବଶ୍ୟ କରିବାକୁ ପଡ଼ିବ । ନୂଆକରି ସୃଷ୍ଟି ହୋଇଥିବା ମୋର ପ୍ରିୟ ଦେଶ ପାକିସ୍ତାନ ଲାଗି ଏତିକି ସ୍ୱାର୍ଥ ତ ଜଳାଞ୍ଜଳି ଦେବାକୁ ହେବ । କିନ୍ତୁ ଦିଲ୍ଲୀ ଛାଡ଼ିବା ଚିନ୍ତା ମୋ ମନକୁ ଗୋଟାପଣେ ଦୁଃଖର କଳାବାଦଲରେ ଢାଙ୍କି ଦେଇଥିଲା ।
ସେଦିନ ମୁଁ ମୋ ଘରୁ ପଦାକୁ ବାହାରିବା ମାତ୍ରେ ମୋର ସେଇ ଅବିଶ୍ୱସ୍ତ ପ୍ରତିବେଶୀଟି ତା’ର ସ୍ୱଭାବସୁଲଭ ଢଙ୍ଗରେ ଦାନ୍ତ ନିକୁଟି ମୋତେ ପଚାରିଲା, ‘ଭାଇ, କ’ଣ ଆଜି ଉତ୍ସବ ଦେଖି ଯିବନି?’
ଏକଥା ଶୁଣି ମୋର ଭାରି ଇଚ୍ଛା ହେଉଥିଲା ଯେ ତା’ର ଦାଢ଼ିରେ ଦିଆସିଲି ମାରି ନିଆଁ ଲଗେଇ ଦେବାକୁ!
+ + + +
ଦିନେ ସକାଳେ ପୁରୁଣା ଦିଲ୍ଲୀ ଇଲାକାରେ ଦଙ୍ଗା ଆରମ୍ଭ ହୋଇଯାଇଛି ବୋଲି ଚାରିଆଡ଼େ ଖବର ବ୍ୟାପୀଗଲା । କରୋଲବାଗ ଅଞ୍ଚଳରେ ରହୁଥିବା ମୁସଲମାନ ଲୋକମାନଙ୍କ ଘରସବୁ ପୋଡ଼ିଜାଳି ଦିଆଗଲା । ଚାନ୍ଦିନୀଚୌକ ଇଲାକାର ମୁସଲମାନ ଲୋକମାନଙ୍କ ଦୋକାନମାନ ଲୁଟ୍ ହେଲା । ଏଇ ତା’ହେଲେ କ’ଣ ହିନ୍ଦୁମାନଙ୍କ ଶାସନର ନମୁନା! ମୁଁ ନିଜକୁ ନିଜେ କହିହେଲି: ନୂଆଦିଲ୍ଲୀ ସତରେ ଇଂରେଜ ସା’ବମାନଙ୍କ ସହର, ଯେତେହେଲେ ଲର୍ଡ ମାଉଣ୍ଟ ବେଟେନ ଏଠି ରହୁଛନ୍ତି । ପୁଣି ସିଏ ହେଲେ ସୁପ୍ରିମ୍ କମାଣ୍ଡର । ତେଣୁ ନୂଆଦିଲ୍ଲୀରେ କେହି କେବେ ମୁସଲମାନ ଲୋକଙ୍କ ଉପରକୁ ହାତ ଉଠେଇବାକୁ ସାହସ କରିପାରିବେନି । ମନରେ ଏଇ ଦମ୍ଭ ବାନ୍ଧି ମୁଁ ଅଫିସ ଆଡ଼େ ବାହାରିଲି । ମତେ ମୋର ପ୍ରୋଭିଡେଣ୍ଟ ଫଣ୍ଡ୍ ହିସାବ ସବୁ ବୁଝିନେବାକୁ ପଡ଼ିବ । ଏମିତି ତ ପାକିସ୍ତାନ ଯିବାକୁ ଡେରି କରିସାରିଛି ଖାସ୍ ଏଇ କଥା ବୁଝିବା ଲାଗି । କିନ୍ତୁ ମୁଁ ଗୋଲ ମାର୍କେଟ ପର୍ଯ୍ୟନ୍ତ ଯାଇ ପହଞ୍ଚିଲି , ଏତିକିବେଳେ ମୋର ଜଣେ ହିନ୍ଦୁ ସହକର୍ମୀଙ୍କ ସାଙ୍ଗରେ ଭେଟ ପଡ଼ିଗଲା । ସେ ମୋତେ ତତକ୍ଷଣାତ୍ ପଚାରିଲେ, ‘ଆରେ ଏ ବେଳରେ କୁଆଡ଼େ ବାହାରିଛ ? ପ୍ରାଣ ନେଇ ଜଲଦି ପଳେଇଯାଅ ନିଜ ଘରକୁ । ଜମ୍ମା ପଦାକୁ ବାହାରନି । କନଟପ୍ଲେସ୍ ଆଡ଼େ ପରା ଦଙ୍ଗାକାରୀମାନେ ମୁସଲମାନ ଲୋକଙ୍କୁ ମାରି ପକଉଛ ନ୍ତି ।’ଏକଥା ଶୁଣିବା ମାତ୍ରେ ମୁଁ ତୁରନ୍ତ ଘରକୁ ଫେରି ଆସିଲି ।
ମୋ କ୍ୱାର୍ଟର୍ସ ପାଖରେ ପହଞ୍ଚିଛି କି ନାହିଁ ହଠାତ୍ ମୋର ଦେଖା ହୋଇଗଲା ସେଇ ଶିଖ ପଡ଼ୋଶୀଙ୍କ ସହିତ । ମୋ ମନରେ ପ୍ରତ୍ୟୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ କହି ବସିଲେ, ‘ଶେଖଜୀ, କିଛି ଚିନ୍ତା କରନା । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି ତୁମ ଆଡ଼େ କଣେଇ ଚାହିଁବାକୁ ସୁଦ୍ଧା ସାହସ କରିପାରିବେନି ।’ ମୁଁ କିନ୍ତୁ ମନକୁ ମନ କହି ହେଉଥାଏ, ‘ୟେ ଲୋକଟା ଦାଢ଼ି ଭିତରେ କେତେ ମିଛ ଲୁଚି ରହିଛି ସତରେ! ମୁସଲମାନ ଲୋକମାନଙ୍କୁ ମରା ଚାଲିଛି ବୋଲି ସିଏ ମନେ ମନେ ନିଶ୍ଚୟ ଖୁସି ହେଉଥିବ । ଏଣେ ମୋ ମନରେ ବିଶ୍ୱାସ ଜନ୍ମେଇବା ଲାଗି ମତେ ମିଛିଟାରେ ବୁଝେଇ ଚାଲିଛି । ନା, ସେ ମୋତେ ଉପହାସ କରୁଛି ?’
ବ୍ଲକରେ ତ ମୁଁ ଏକମାତ୍ର ମୁସଲମାନ ବାସିନ୍ଦା । ବୋଧହୁଏ ଏ ଗଳିର ବି ମୁଁ ଏକମାତ୍ର ମୁସଲମାନ । ଏଇ ଲୋକମାନଙ୍କ ଠାରୁ ମୁଁ କୌଣସି ଦୟା କିମ୍ବା ସମବେଦନା ଆଶା କରୁନଥିଲି । ତେଣୁ ମୁଁ କ୍ୱାର୍ଟର୍ସ ଭିତରେ ପଶୁ ପଶୁ ନିଜକୁ ନିଜେ ଆଶ୍ୱାସନା ଦେଲି, ‘ଯଦି ମରିବି, ମରିବା ଆଗରୁ ଦଶ କୋଡ଼ିଏ ଜଣ ହିନ୍ଦୁଙ୍କୁ ନିଶ୍ଚୟ ମାରି ମରିବି ।’ ଘର ଭିତରକୁ ଯାଇ ମୁଁ ମୋ ଶେଯ ତଳେ ଲୁଚେଇ ରଖିଥିବା ଦୁଇନଳିଆ ବନ୍ଧୁକଟିକୁ ଅଣ୍ଡାଳିଲି । ୟା’ଭିତରେ ଅନେକ ଗୁଳି ବି ମୁଁ ସଂଗ୍ରହ କରି ରଖିନେଇଥିଲି । ହେଲେ ବନ୍ଧୁକଟା ଗଲା କୁଆଡ଼େ? ଘର ଭିତରେ ତ କେଉଁଠି ହେଲେ ନାହିଁ । ମୋ ବିଶ୍ୱସ୍ତ ଭୃତ୍ୟ ମହମ୍ମଦ ମତେ ପଚାରିଲା, ‘ହଜୁର, କ’ଣ ଖୋଜୁଚନ୍ତି?’
‘ମୋ ବନ୍ଧୁକଟା ଗଲା କୁଆଡ଼େ?’ କିନ୍ତୁ ତା’ ପଚାରିବା ଢଙ୍ଗରୁ ମୁଁ ଠଉରେଇ ନେଇଥିଲି ଯେ ମହମ୍ମଦ ହିଁ ସେଇଟିକୁ କେଉଁଠି ଲୁଚେଇ ରଖିଛି କିମ୍ବା ଚୋରେଇ ନେଇଛି । ଏଥର ମୁଁ ରାଗିଉଠି ପଚାରିଲି, ‘ମୋ କଥାର ଜବାବ ଦେଉନୁ କାହିଁକି?’
ମୋ ଧମକ ଶୁଣି ସେ ମୋ ଆଗରେ ସତକଥା ଫିଟେଇ କହିଲା । ସିଏ ମୋ ବନ୍ଧୁକଟିକୁ ଚୋରେଇ ନେଇ ତା’ର ସାଥିମାନଙ୍କୁ ଦେଇଥିଲା । ଦରିଆଗଞ୍ଜ ଅଞ୍ଚଳରେ ରହୁଥିବା ମୁସଲମାନମାନେ ସେମାନଙ୍କ ପ୍ରାଣରକ୍ଷା କରିବା ଲାଗି ଏପରି ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲେ । ଆମ ପାଖରେ ଶହ ଶହ ବନ୍ଧୁକ ଅଛି । କେତେଗୁଡ଼ାଏ ମେସିନଗନ ବି ଅଛି । ଦଶଟା ରିଭଳଭର ଅଛି ଓ ବୋମା ବି ଅଛି । ଆମେ ଏ କାଫେରଗୁଡ଼ାଙ୍କୁ ମାରି ପଦା କରିଦେବୁ, ତାଙ୍କୁ ଜୀଅନ୍ତା ପୋଡ଼ି ପାଉଁଶ କରିଦେବୁ ।’
‘ହଁ, ମୋ ବନ୍ଧୁକରେ ତୁମେମାନେ ଦରିଆଗଞ୍ଜର ସବୁ କାଫେରମାନଙ୍କୁ ମାରିଦେବ, ଜାଳିପୋଡ଼ି ପାଉଁଶ କରିଦେବ, ଏକଥା ସତ । ହେଲେ ମୋତେ ଆଜି ଏଠାରେ କିଏ ରକ୍ଷା କରିବ? ଏ ହିନ୍ଦୁ ଇଲାକାରେ ତ ମୁଁ ଏକମାତ୍ର ମୁସଲମାନ । ଯଦି ମୋତେ କିଏ ହତ୍ୟା କଲା, ତା’ହେଲେ ମୋ ପିଠିରେ କେହି ପଡ଼ିବେନି ।’
ମୁଁ ଭାବିଥିଲି ଏକଥା ଶୁଣିଲାପରେ ମହମ୍ମଦ ଯାଇ ମୋ ବନ୍ଧୁକ ଓ କିଛି ଗୁଳି ନେଇଆସିବ । କିନ୍ତୁ ସେ ଯେତେବେଳେ ଗଲା, ମୋର ବିଶ୍ୱାସ ହେଉନଥିଲା ଯେ ସେ ଆଉ ଫେରିପାରିବ । ଘରଟା ଭିତରେ ମୁଁ ଏବେ ଏକା । କାନ୍ଥରେ ପରିବାର ସଦସ୍ୟମାନଙ୍କର ଗୋଟିଏ ଫାମିଲି ଫଟୋ ଝୁଲୁଥିଲା । ମୋ ପତ୍ନୀ ଓ ପିଲାଛୁଆମାନେ ମୋ ଆଡ଼େ ନୀରବରେ ଚାହିଁ ରହିଥିବା ପରି ଲାଗୁଥିଲା । ସେମାନଙ୍କ ସହ ଏ ଜୀବନରେ ଆଉ ଦେଖା ହୋଇନପାରେ – ଏଇ କଥା ଭାବିବା ମାତ୍ରେ ମୋ ଆଖିରେ ଲୁହ ଜକେଇ ଆସିଲା । ମନେ ମନେ ମୁଁ କେବଳ ଏତିକି ଭାବି ଖୁସି ହେଉଥାଏ ମୋ ପିଲାମାନେ ଏବେ ପାକିସ୍ତାନରେ ନିରାପଦରେ ଅଛନ୍ତି । କେଇଟା ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କାକୁ ଲୋଭ କରି ମୁଁ କାହିଁକି ଯେ ଏଠି ଅଟକିଗଲି, ସେଥିଲାଗି ନିଜକୁ ନିଜେ ଧିକ୍କାରୁଥିଲି । ବାହାରୁ ରହି ରହି ଦଙ୍ଗାକାରୀମାନଙ୍କ ଚିତ୍କାର ଆସି ମୋ କାନରେ ପଡ଼ୁଥିଲା ।
‘ସତ୍ ଶ୍ରୀ ଅକାଲ…!’
‘ହର ହର ମହାଦେବ…!’
ବେଳକୁ ବେଳ ସେଇ ସ୍ୱର ନିକଟତର ହେବାରେ ଲାଗିଥାଏ । ଏମାନେ ନିଶ୍ଚୟ ମୃତ୍ୟୁଦୂତ । ଏମାନଙ୍କ ଦୃଷ୍ଟିରେ ମୁଁ ଗୋଟିଏ ଆହତ ହରିଣୀ, ଯିଏ ନିଜ ପ୍ରାଣ ବଞ୍ଚେଇବା ଲାଗି ଏଣେ ତେଣେ ଦୌଡ଼ୁଛି । ହେଲେ ଏମାନଙ୍କ ଠାରୁ ନିସ୍ତାର କାହିଁ? ମୋ ଘରର ସାମ୍ନାପଟ କବାଟ ଯେ ପତଳା କାଠ ଖଣ୍ଡେ! ତା’ଦେହରେ ପୁଣି କାଚର ପାନେଲ ଲାଗିଛି । ସେମାନେ ଜୋର୍କରି ଠେଲିଦେଲେ ଏ କବାଟ
ଭାଙ୍ଗି ଚୂରମାର ହୋଇଯିବ!
‘ସତ୍ ଶ୍ରୀ ଅକାଲ…!’
‘ହର ହର ମହାଦେବ…!’
ବେଳକୁ ବେଳ ସେମାନେ ଆହୁରି ପାଖେଇ ଆସୁଥିଲେ । ସତେ ଯେପରି ମୃତ୍ୟୁ ମୋର ନିକଟତର ହେଉଥିଲା! ହଠାତ୍ ବାହାର ଦରଜାରେ କିଏ ଆଘାତ ଦେଲା । ମୋର ସେ ଶିଖ ପ୍ରତିବେଶୀଟି ଭିତରକୁ ପଶି ଆସୁ ଆସୁ ଧଇଁସଇଁ ହେଲାପରି କହିଲା, ‘ଶେଖଜୀ, ମୋ କ୍ୱାର୍ଟର୍ସ ଭିତରକୁ ଜଲଦି ପଳେଇଚାଲ ।’ କିଛି ଚିନ୍ତା ନକରି ମୁଁ ଯନ୍ତ୍ରବତ୍ ତାଙ୍କ ବାରଣ୍ଡା ଉପରକୁ ଉଠିଯାଇ ପର ମୁହୂର୍ତ୍ତରେ ତାଙ୍କ ଘର ଭିତରେ ଛପିଗଲି । ମାତ୍ର କେଇ ସେକେଣ୍ଡ ଭିତରେ ଆମ କ୍ୱାର୍ଟର୍ସ ସାମ୍ନାରେ ଟ୍ରକ୍ଟିଏ ଆସି ବ୍ରେକ୍ କଷିଲା । ତା’ ଉପରୁ ଖପାଖପ୍ ଦଶବାରଟା ଟୋକା ତଳକୁ ଡେଇଁ ପଡ଼ିଲେ । ସେମାନଙ୍କ ନେତାଙ୍କ ହାତରେ ତାଲିକାଟିଏ ଥିଲା- କ୍ୱାର୍ଟର୍ସ ନମ୍ବର ଆଠ, ଶେଖ ବୁରହାନୁଦ୍ଦିନ । ସେ ବଡ଼ ପାଟିରେ ମୋ ନାଁଟିକୁ ପଢ଼ି ଶୁଣାଇଦେବା ପରେ ତାଙ୍କ ଗ୍ୟାଙ୍ଗକୁ ଘର ଭିତରେ ପଶିବା ଲାଗି ନିର୍ଦ୍ଦେଶ ଦେଲେ । ଏଥର ସମସ୍ତେ ମୋ କ୍ୱାର୍ଟର୍ସ ଆଡ଼କୁ ମୁହାଁଇଲେ ଓ ମୋରି ଆଖି ଆଗରେ ଘରଟାକୁ ଧ୍ୱଂସ କରିବା ଲାଗି ପ୍ରସ୍ତୁତ ହେଲେ ।
ମୋର ଆସବାବପତ୍ର, ବାକ୍ସ, ଫଟୋ, ବହି, ସତରଞ୍ଜି, କାର୍ପେଟ, ଏପରିକି ମୋର ଚିରା ଫଟା ଲୁଗାପଟା ପର୍ଯ୍ୟନ୍ତ ସବୁକିଛି ସେମାନେ ବୋହିନେଇ ଟ୍ରକରେ ଲଦିଲେ । ଡକାୟତ! ଶଠ! ବଦମାସ! ତଣ୍ଟିକଟା ଲୋକଗୁଡ଼ାକ କୋଉଠିକାର!
ମୋର ସେଇ ଶିଖ ପ୍ରତିବେଶୀ ଜଣକ ଯିଏକି ଏତେ ସମୟ ଧରି ମୋ ଆଗରେ ସମବେଦନା ଜଣାଉଥିଲା ସିଏ ବି କିଛି କମ୍ ବଦମାସ ନଥିଲା । ଲୁଟେରାଙ୍କ ଆଗରେ ସିଏ ଯୁକ୍ତି ବାଢ଼ି ବସିଲା, ‘ଭାଇମାନେ, ଏସବୁ ଲୁଟ୍ କରନା । ମୋ ପଡୋଶୀର ଜିନିଷପତ୍ର ଉପରେ ପ୍ରଥମ ଅଧିକାର ମୋର । ତା’ପରେ ଆଉ ଯିଏ ଦାବି କରିବ । ତେଣୁ ପ୍ରଥମେ ମୁଁ ମୋ ଭାଗ ନେଇସାରେ, ଆପଣମାନେ ଆଉ ଯାହା କିଛି ବଳିବ ବୁହାଇନେବେ । ଏପରି ଅନୁନୟ କରି ସେ ତା’ର ପୁଅଝିଅମାନଙ୍କ ଡାକ ଛାଡ଼ିଲା । ସମସ୍ତେ ତତକ୍ଷଣାତ୍ ଆସି ସେଠାରେ ପହଞ୍ଚିଗଲେ ଓ ପର ମୁହୂର୍ତ୍ତରେ ଯିଏ ଯାହା ପାଇଲା ସବୁକିଛି ବୋହି ପୁଣିଥରେ ଘରେ ଭର୍ତ୍ତିକଲେ । ଜଣେ ମୋ ପ୍ୟାଣ୍ଟ ସାର୍ଟ ନେଇ ଆସିଲା ତ ଆଉ ଜଣେ ମୋ ସୁଟକେଶକୁ ଟେକି ଆଣିଲା । ଏପରିକି ମୋ ଫାମିଲି ଫଟୋ ପର୍ଯ୍ୟନ୍ତ ସେମାନେ ଗୋଟେଇ ପାଟୋଇ ଆଣି ସେମାନଙ୍କ କ୍ୱାର୍ଟର୍ସ ଭିତରେ ଜମା କଲେ ।
ଅବିଶ୍ୱସ୍ତ ଶିଖ! ଆଲ୍ଲା ଯଦି ମୋତେ ବଞ୍ଚେଇ ରଖନ୍ତି ତା’ହେଲେ ପ୍ରଥମେ ମୁଁ ତୋ କଥା ବୁଝିବି । ମୁଁ ମନେ ମନେ ଦାନ୍ତ କଡ଼ମଡ଼ କରି ଏମିତି ଭାବି ହେଉଥାଏ । ଏବେ ତ ଆଉ ସେମାନଙ୍କୁ ବିରୋଧ କରିବା ଚାଲାକୀ କାମ ଦେବନି । ଦଙ୍ଗାକାରୀମାନେ ଅଛନ୍ତି, ସେମାନଙ୍କ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଅଛି । ସେମାନେ ମୋ ଠାରୁ ମାତ୍ର କେଇ ଗଜ ଦୂରରେ ଏସବୁ କାଣ୍ଡ ଘଟାଉଛନ୍ତି । ତାହା ପୁଣି ମୋରି କ୍ୱାର୍ଟର୍ସ ଭିତରେ । ଆଉ ଯଦି ମୁଁ ଏଠାରେ ଲୁଚିଥିବା କଥା ସେମାନେ ଜାଣି ପାରନ୍ତି… ‘ଭିତରକୁ ଆସନ୍ତୁ ।’
ମୋ ଆଖି ପଡ଼ିଗଲା ଶିଖ ପଡୋଶୀ ହାତରେ ଧରିଥିବା ଖୋଲା କୃପାଣଟା ଉପରେ । ସେ ମୋତେ ଭିତର ଘରକୁ ଡାକୁଥିଲା । ମୋ ଘରର ଜିନିଷପତ୍ରଗୁଡ଼ାକ ଲୁଟ୍ କରି ତା’ ଘରେ ଭରିସାରିବା ପରେ ଦାଢ଼ିଆ ଲୋକଟା ଆହୁରି ଭୟଙ୍ଗର ଦିଶୁଥିଲା । ସତେ ଯେପରି ତା’ କୃପାଣର ଚକମକ ଧାର ମୃତ୍ୟୁଦୂତ ସାଜି ମୋତେ ଆହ୍ୱାନ ଜଣାଉଥିଲା! ମୋ ନିକଟରେ ଏବେ ପ୍ରତିବାଦ କି ପ୍ରତିରୋଧ କରିବାର କୌଣସି ଅବସର ନଥିଲା । ଦଙ୍ଗାକାରୀମାନଙ୍କ ବନ୍ଧୁକ ଓ ବୁଢ଼ା ଶିଖର ଉନ୍ମୁକ୍ତ କୃପାଣ ଭିତରୁ ମୋତେ ଗୋଟିକୁ ବାଛିବାକୁ ପଡ଼ିବ । ମୁଁ ମନେ ମନେ ସ୍ଥିର କରିନେଲି ଦଶ ବାରଜଣ ଟୋକା ଦଙ୍ଗାକାରୀଙ୍କ ଅପେକ୍ଷା ବରଂ ଏ ବୁଢ଼ା ଶିଖର କୃପାଣ ଶ୍ରେୟସ୍କର । ନୀରବରେ ଓ ବିନା ପ୍ରତିବାଦରେ ମୁଁ ଭିତର କୋଠରୀକୁ ଗଲି ।
‘ସେଠି ନୁହେଁ, ଆହୁରି ଭିତରକୁ ଆସ ।’ ସଦ୍ୟ ହାଣମୁହଁକୁ ଯାଉଥିବା ଛାଗଟି ଯେପରି ଜହ୍ଲାଦର ପଶ୍ଚାତ୍ଧାବନ କରେ, ଠିକ୍ ସେମିତି ମୁଁ ତାଙ୍କ ପଛେ ପଛେ ଭିତର କୋଠରୀକୁ ଗଲି । ଏବେ ତା’ର କୃପାଣର ଧାର ଆହୁରି ଭୟଙ୍ଗର ଲାଗୁଥିଲା ।
ସେ ଓ ତା’ର ପୁଅଝିଅମାନେ ମୋ ଘରର ଯେଉଁସବୁ ଆସବାବପତ୍ର ସେମାନଙ୍କ କ୍ୱାର୍ଟର୍ସକୁ ବୁହାଇ ଆଣିବାର ଛଳନା କରିଥିଲେ, ସେସବୁ ଏବେ ମୋ ସାମ୍ନାରେ ଥୁଆ ହୋଇଥିଲା । ବୃଦ୍ଧ ଶିଖର ପତ୍ନୀ ମୋ ଆଡକୁ ଚାହିଁ କହିଲେ, ‘ବେଟା, ଆଉ ଅଧିକ କିଛି ଜିନିଷ ଆମେ ଉଦ୍ଧାର କରିପାରିଲୁନି । ସେମାନେ ଲୁଟିନେଲେ । ତୁ ଆମକୁ ମାଫ୍ କରିବୁ…’ ମୁଁ ହତବମ୍ବ ହୋଇ କେବଳ ଚାହିଁ ରହିଥିଲି ।
ଲୁଟେରାମାନେ ମୋ ଲୁହା ଆଲମାରିଟିକୁ ପଦାକୁ ଟାଣିନେଇ ତାଖୁ ଖୋଲିବାକୁ ଚେଷ୍ଟା କରୁଥିଲେ । ସେମାନଙ୍କ ଭିତରୁ କେହି ଜେଣେ ବଡ଼ ପାଟିରେ ଚିତ୍କାର ଛାଡ଼ି କହୁଥିଲା,‘ଯଦି ଚାବିଟା ମିଳିଥାନ୍ତା, ତା’ହେଲେ ଖୋଲିବାକୁ ସୁବିଧା ହୋଇଥାନ୍ତା ।’ ଆଉ ଜଣେ କିଏ କହୁଥିଲା,‘ଏବେ ଚାବି ପାକିସ୍ତାନରେ ମିଳିବ । ମିଆଁପୁଅ ଚାବି ଧରି ପାକିସ୍ତାନ ଚମ୍ପଟ ମାରିସାରିଛି । ଡରକୁଳା କୋଉଠିକାର!’
ଏକଥା ଶୁଣି ମୋ ଶିଖ ପଡ଼ୋଶୀର ସାନଝିଅ ମୋହିନୀ ହଠାତ୍ ପ୍ରତିବାଦ କରିଉଠିଲା, ‘ଶେଖଜୀ ଜମ୍ମା ଡରକୁଳା ନୁହନ୍ତି । ସିଏ ପାକିସ୍ତାନ ପଳେଇ ଯାଇନାହାନ୍ତି ।’ ‘ତା’ହେଲେ ସିଏ ହାରାମଜାଦା ଗଲା କୁଆଡ଼େ?, କେଉଁଠି ଲୁଚିଛି?’ ‘ସିଏ କାଇଁକି ଲୁଚିବେ? ସିଏ ତ ଆମ ଘରେ…’ ଏତିକି କଥା ମୋହିନୀ ତୁଣ୍ଡରୁ ବାହାରିଚି କି ନାହିଁ, ସେ ତା’ର ନିଜ ଭୁଲ୍ ବୁଝିପାରି ହଠାତ୍ ତୁନି ପଡ଼ିଗଲା । ହେଲେ ତା’ବାପା ମୁହଁ ହଠାତ୍ ଲାଲ ପଡ଼ିଗଲା । ମତେ ଆଖି ପିଛୁଡ଼ାକେ ଭିତର କୋଠରୀକୁ ଭିଡ଼ିନେଇ ସେ ତାଲା ଠୁଙ୍କିଦେଲେ । ନିଜ ପୁଅ ହାତକୁ କୃପାଣଟିକୁ ଧରେଇଦେଇ ବାହାରେ ଥିବା ଦଙ୍ଗାକାରୀଙ୍କୁ ସାମ୍ନା କରିବାକୁ ବାହାରି ପଡ଼ିଲେ ।
ତା’ପରେ କି କାଣ୍ଡସବୁ ଘଟିଗଲା ସେକଥା ମୁଁ ଜାଣେନା । ତେବେ ଧସ୍ତାଧସ୍ତି ଓ ମୁଥ ମରାମରି ଶବ୍ଦ ମୋ କାନରେ ପଡ଼ୁଥିଲା । ତା’ପରେ ମୋହିନୀର କାନ୍ଦଣା ଓ ପରେ ପରେ ଶିଖ୍ ଲୋକଟିର ବଡ଼ପାଟିରେ ପଞ୍ଜାବୀ ଭାଷାରେ ଗାଳିଦେବା ଓ ସବାଶେଷରେ ଗୁଳି ଫୁଟିବାର ଶବ୍ଦ । ପରିଶେଷରେ ବୁଢ଼ା ଶିଖ୍ର ଯନ୍ତ୍ରଣାଶିକ୍ତ ଚିତ୍କାର ।
ମୁଁ ରୁଦ୍ଧ କୋଠରୀ ଭିତରୁ ସବୁକିଛି ଶୁଣି ପାରୁଥିଲି । କିଛି ସମୟ ପରେ ଟ୍ରକଟି ପୁଣି ଥରେ ଷ୍ଟାର୍ଟ ହୋଇ ଚାଲିଗଲା ଓ ତା’ପରେ ଚାରିଆଡ଼ ଶୁନ୍ଶାନ୍ ।
ମତେ ଯେତେବେଳେ ସେ କୋଠରୀ ଭିତରୁ ବାହାରକୁ ଅଣାଗଲା ମୁଁ ଦେଖିଲି ମୋର ସେଇ ଶିଖ ପଡ଼ୋଶୀଟି ଖଣ୍ଡେ ଦଉଡ଼ିଆ ଖଟ ଉପରେ ଶୋଇରହିଛନ୍ତି । ତାଙ୍କ ପାଖକୁ ଲାଗି ଚିରା ଓ ରକ୍ତଭିଜା ଖଣ୍ଡେ ସାର୍ଟ ପଡ଼ିଚି । ତାଙ୍କ ନୂଆ ସାର୍ଟ ଭିତରୁ ବି ତାଜା ରକ୍ତ ବାହାରୁଚି । ତାଙ୍କ ପୁଅ ସେତେବେଳକୁ ଡାକ୍ତର ଡାକିବାକୁ ଯାଇସାରିଥିଲେ ।
‘ସର୍ଦ୍ଦାରଜୀ, ତୁମେ ଏ କ’ଣ କଲ?’ ମୁଁ ଜାଣେନା ମୋ ତୁଣ୍ଡରୁ ହଠାତ୍ ଏପରି କେଇଟା ଶବ୍ଦ କେତେବେଳେ ବାହାରି ଆସିଲା । ଏତେବର୍ଷ ଧରି ମୁଁ ଯେ ଲୋକଟିକୁ ଘୃଣା ଚକ୍ଷୁରେ ଦେଖି ଆସୁଥିଲି, ସେକଥା ମୁଁ ପୂରାପୂରି ଭୁଲି ଯାଇଥିଲି । କେମିତି ଏକ ଆତ୍ମଗ୍ଳାନି ମତେ
ବେଳକୁ ବେଳ ଗ୍ରାସ କରିପଭାଉଥିଲା । ‘ସର୍ଦ୍ଦାରଜୀ, ତୁମେ ଏମିତି ଦୁଃସାହସ କଲ କାହିଁକି?’ ମୁଁ ପୁଣି ଥରେ ତାଙ୍କୁ ପଚାରିଲି ।
‘ବେଟା, ମୋର ଗୋଟିଏ ଋଣ ଶୁଝିବାର ଥିଲା ।’
‘କି ଋଣ?’
‘ରାୱଲପିଣ୍ଡିରେ ତୁମରି ଭଳିଆ ଜଣେ ମୁସଲମାନ ଥିଲା, ଯିଏ ମତେ ବଞ୍ଚେଇବା ପାଇଁ ଓ ମୋ ପରିବାରର ମାନଇଜ୍ଜତ ରକ୍ଷା କରିବାକୁ ଯାଇ ତା’ ଜୀବନକୁ ବଳି ଦେଇଥିଲା ।’
‘ତା’ ନାଁ କ’ଣ ସର୍ଦ୍ଦାରଜୀ?’
‘ଗୁଲାମ ରସୁଲ ।’
ଭାଗ୍ୟ ମୋ ସାଙ୍ଗରେ ଏକ ନିଷ୍ଠୁର ଖେଳ ଖେଳିଥିଲା । କାନ୍ଥରେ ଟଙ୍କା ହୋଇଥିବା ଘଣ୍ଟାଟା ବାଜି ଚାଲିଥିଲା ୧…୨…୩…୪…୫… । କାନ୍ଥ ଘଣ୍ଟା ଆଡ଼େ ଚାହିଁ ବିଚରା ବୁଢ଼ା ଶିଖଟି ମୁରୁକି ହସାଟିଏ ଦେଲା । ତାଙ୍କ ମୁହଁକୁ ଚାହିଁଲାମାତ୍ରେ ମୋର ମନେ ପଡ଼ିଗଲା ମୋ ନିଜ ଜେଜେବାପାଙ୍କ କଥା, ତାଙ୍କ ମୁହଁର ବାର ଇଞ୍ଚର ଦାଢ଼ି କଥା । ଦୁଇଜଣଙ୍କ ଭିତରେ କି ଅଦ୍ଭୁତ ସାମଞ୍ଜସ୍ୟ ଥିବା ପରି ଲାଗୁଥିଲା ୬…୭…୮…୯… । ଆମେ ନୀରବରେ ଗଣି ଚାଲିଥିଲୁ । ପୁଣି ଥରେ ସେ ମୁରୁକି ହସିଲେ । ତାଙ୍କ ମୁହଁରେ ସେ ଧଳା ନିଶ ଦାଢ଼ି ସତରେ ଯେମିତି ସେଇ ଦିବ୍ୟ ଜ୍ୟୋତି ପରି ଲାଗୁଥିଲା । ୧୦…୧୧…୧୨ । ହଠାତ୍ ଘଣ୍ଟା ବାଜିବା ବନ୍ଦ୍ ହୋଇଗଲା । ମତେ ଲାଗୁଥିଲା, ମୁଁ ଯେପରି ଶୁଣି ପାରୁଥିଲି,‘ଆମ ଶିଖମାନଙ୍କ ପାଇଁ ସଦାବେଳେ ବାରଟା ବାଜିଥାଏ ।’
ତାଙ୍କ ମୁହଁରୁ ସେ ହସ ଚେନାକ ତଥାପି ଲିଭି ନଥିଲା । କିନ୍ତୁ ସବୁକିଛି ନିରବ ହୋଇଯାଇଥିଲା । ମତେ ଲାଗୁଥିଲା, ସେ ଏବେ କେଉଁ ସୁଦୂର ପଥର ଯାତ୍ରୀ ହୋଇ ସାରିଲେଣି, ଯେଉଁଠି ଏ ଘଣ୍ଟା ବାଜିବାର କୌଣସି ଅର୍ଥ ରଖେନାହିଁ । ଯେଉଁଠି ଏ ହିଂସା, ହସ, ପରିହାସ ସବୁକିଛି ଅର୍ଥହୀନ ।
ଅନୁସୃଜନ: ସୁଭାଷ ଶତପଥୀ
Comments are closed.