Latest Odisha News

BREAKING NEWS

କବିତା : ଓଢଣା

ଗଦାଧର ସାହୁ

ଦିନେ ଥିଲା
ଆମ ସମୃଦ୍ଧ
ସାମାଜିକ ପରମ୍ପରାର
ଶାଳୀନତା ପରଦା ।

କିଏ କହୁ ବା ନକହୁ
ଜେଜେ ମା, ଆଈ ମା
ଗୁରୁ ଗୁରୁଜନ ହେଉ କି
ମାନ୍ୟଜନଙ୍କୁ ଦେଖୁ ନଦେଖୁ
ମୁଣ୍ଡରେ ଦେଉଥିଲେ
ନାକେ ସରିକି ହାତେ ଓଢଣା ,
ଏବେ ଯାହା ଅଟକିଛି
ମୋ ବୋଉର ମଥାରେ ।
ମୋ ପାଠ ପଢୁଆ ସ୍ତ୍ରୀ
ସୁଯୋଗ ଉଣ୍ଡି
ଓଢଣା ସହ ଲୁଚକାଳି ଖେଳେ,
ସହରରୁ ଗାଁକୁ ବୁଲିଗଲେ
ଗାଁରୁ ସହର ଫେରିଲେ ।

ଆଉ କିଛି ଦିନ ପରେ
ମୁଁ ମୋ ଅନିସନ୍ଧିତ୍ସୁ
ଗବେଷଣାରତ ଝିଅକୁ
ଛୁଟିଦିନ ଦେଖି ମ୍ୟୁଜିୟମ୍ ବୁଲେଇନେବି ,
ସେଠି ସେ ଅନୁଧ୍ୟାନ କରିବ
ଆମ ଓଢଣା ତଳର
ସଂରକ୍ଷିତ ଲାଜୁଆ ହସ ,
ଅଭିମାନଭରା ଚାହାଣୀ
ଆମ ଓଢଣା ତଳର କାହାଣୀ
ତା ମନକୁ ଛୁଇଁଲେ
ସେ ଟିକିନିଖି ଗବେଷଣା ଜାରି ରଖିବ !

ବ୍ରହ୍ମଗିରି
ସମ୍ପର୍କ: ୭୨୦୫୪୦୧୨୧୩

Leave A Reply

Your email address will not be published.