ପବନ
କମଳ କୁମାର ମହାନ୍ତି
ପବନ ତ’ ସେଦିନ ବହୁଥିଲା ତୀବ୍ର
ମଇ ତିନ୍ ର ସକାଳ କି’ ଓଡ଼ିଶାର କପାଳରେ
ଲେଖୁଥିଲା ଆଉ ଏକ କରୁଣ କାବ୍ୟ !
ଫାଟିଯାଉଥିଲା ଛାତି
ଯେତେ ପଚାରିଲେ ଫିଟୁ ନଥିଲା
ଶୋକ ଆଉ କୋହର ଗଣ୍ଠି
ମାଟି ସ୍ରବୁଥିଲା ଲହୁ
ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ
ଫଟାକପାଳକୁ କାନ୍ଧରେ ବୋହି ବୋହି
ଥମି ଯାଉଥିଲା ପାଦର ଗତି ।
ମୋ’ ଆଳସ୍ୟର ବାରବାଟୀ
ଚାଷରୁ ଅମଳ ହୋଇଥିଲା ଦୁଃଖ ଅପ୍ରମିତ
ନିଦକ ହୋଇ ବସିପଡ଼ିଥିଲି ଭଙ୍ଗା ଚାଳିଆରେ
କାଲି ହୁଏତ ଉଇଁବ ଗୋଟେ ସାତବର୍ଣ୍ଣୀ ସୂର୍ଯ୍ୟ !
ସବୁରି ମନର ଉଦ୍ ବେଳନ
ଲୋଟିପଡ଼ୁଥିଲା ଖୋଲା ଆକାଶରେ
ଦିଗହରା ପକ୍ଷୀପରି ।
ଦଲକା ଦଲକା ପବନ
ଘୂର୍ଣ୍ଣିହୋଇ ପିଟିହେଉଥିଲା ଗଛବୢଛ
କାନ୍ଥ ଆଉ ବିଜୁଳି ଖୁଣ୍ଟରେ ।
ଆହା, ଶଂକାଟିଏ ମାଡ଼ି ବସୁଥିଲା ମତେ
ଯେମିତି ହାତରୁ ହୁଗୁଳିଯାଉଛି ମୁଠା
ଅପସରି ଯାଉଛି ଟାଣପଣ
ଥରିଯାଉଛି ଛାତିର ମଞ୍ଜ
ଉଡ଼ି ଯାଉଛି ହଂସା ।
ସତରେ ଫିଟାଇ ହେଉ ନଥିଲା
ଯାହାସବୁ ଏକାତ୍ମ ହୋଇ ରହିଯାଇଥିଲା
ଅନ୍ତରାତ୍ମା ତଳେ ।
ମନରେ ଅନେକ ବତାସ ଆଜି
ଅନେକ ବି ମେଘର ଆତଙ୍କ
ବାଦଲସବୁ ମୁହାଁଇଛନ୍ତି
ଅନିର୍ଦ୍ଦିଷ୍ଟ ଅସ୍ତାଚଳକୁ
ମାସ୍ତୂଲ୍ ଭଙ୍ଗା ଡଙ୍ଗାରେ
ହାତରେ ହାତ ଛନ୍ଦି ଢୁଳୋଉଛନ୍ତି
ଜୀବନ ଓ ମୃତ୍ୟୁ ଏଠି ।
ପ୍ରହେଳିକାମାନେ ନାଚୁଛନ୍ତି
ଅଭିନବ ବେଶ ସାଜି ।
କହ ସଖୀ !
ଏ ଘନଘୋର ପବନକୁ ନମସ୍କାର କରି
ଶୋକ ଆଉ ଶଂକାରେ ଶୋଇପଡ଼ିବା
ନା, ହଜିଲା ସ୍ବପ୍ନଙ୍କୁ ସାଉଁଟି
ଭଙ୍ଗା ମନରେ ସିଅଁ କରିଦେବା !
—————————–
ଆରସା, ତିହିଡ଼ି, ଭଦ୍ରକ‐ ୭୫୬୧୩୯
ଫୋନ୍ ‐ ୮୨୪୯୩୩୬୫୮୭
Comments are closed.