ତଥାପି ଆସୁଛି ରଜ…
ସୁସ୍ମିତା ମହାପାତ୍ର
ଗଜରାଜ ଡାକରାରେ ଆଉ
ଆସୁନାହିଁ ରଜ,
ଆସୁନାହିଁ ଆଷାଢର ଓଦା ପଣତରେ
ସରସର ଭିଜିବାକୁ,
ପୋଡ଼ପିଠା ମହକରେ ମହକିବାକୁ ଅଥବା
ବାହିବାକୁ ବାଉଁଶ ଦୋଳିର କାତ,
ଆସୁନାହିଁ ରଜ ।
ନାହିଁ ଆଜି ଅତୀତ ମଉସୁମୀର
ସେ ମତୁଆଲା ପରଶ,
କିଆ କେତକୀ ହେନା ମଲ୍ଲୀର
ଚହଟ ସୁବାସ,
କୁଆଁରୀ ପରାଣ ତୁଠେ
ପିଟୁନି ଜୁଆର ଅବା
ଉଠୁନି ଉଚ୍ଛ୍ୱାସ,
ସବୁକିଛି ଫିକାଫିକା
ନାହିଁ ଆବେଗ ଉଲ୍ଲାସ,
ନାହିଁ ସଜବାଜ,
ବନସ୍ତରେ ଏବେ ଡାକୁନାହିଁ
ଆଉ ଗଜରାଜ ।
ତଥାପି ଆସୁଛି ରଜ
ଆକାଶ ଆଖିରେ ଟାଣି ଧାରେ
ଗାଢୁଆ କଜ୍ଜଳ,
ପାଦରେ ଅମାନିଆ ଅଲକ୍ତ ଆଉ
କଳା ମିଚ୍ମିଚ୍ କବରୀରେ ଭିଡ଼ି
ଧଳା ବଉଦର ମାଳ ।
ତା’ ଆବରଣ ଉହାଡ଼ରୁ ହସୁନି କଞ୍ଚା ହଳଦୀ,
ଭାସି ଆସୁନି ଓଠରୁ
ବନାରସୀ ବାସ୍ନା,
ପଡୁନି ପାଲି ପିଣ୍ଡା ଅବା ଦାଣ୍ଡରେ,
ଅଧୀର ହେଉନି ମନ କା’ର
ଭିଜା ମାଟିର ଗନ୍ଧରେ ।
ତଥାପି ସେ ଆସୁଅଛି
ପାଦ ଚିପିଚିପି ପୁରପଲ୍ଲୀର ଅଙ୍ଗରେ,
ଭରି ନବ ଯଉବନ ଇନ୍ଦ୍ରଧନୁର ରଙ୍ଗରେ ।
ଆତୁର କାତର ଥରେ ଛୁଇଁଯିବାକୁ ବରଓହଳ
ଅବା ଆମ୍ବଡ଼ାଳେ ଓହଳୁଥିବା ରଶିକୁ,
ଅନୂଢା ଆଖିରେ ଆଖିଏ ସପନ ଆଉ
ମାଦକତା ଭରିବାକୁ ।
ତଥାପି ସେ ଆସୁଅଛି ପୁଲକିତ କରି ପ୍ରାଣ,
ଦେହେ ଭରି ଅଫୁରନ୍ତ ଶିହରଣ,
ଭୂମି ଓ ଭୂମାର ମିଳନ ବେଳାରେ
ଚୁମିବାକୁ ପ୍ରୀତି ପୁଲକରେ ।
——————————————
ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୧୬, ରାଉରକେଲା-୩
ମୋ- ୯୪୩୭୫୦୩୧୩୮, ଇମେଲ୍: susmita6674@gmail.com
Comments are closed.