ତିନୋଟି କବିତା
ଦେବାଶିଷ୍ ମହାନ୍ତି
ସଦିଚ୍ଛା
ଚିକ୍ମିକ୍ ଅନେକ ସ୍ୱପ୍ନ
ବର୍ଷିଯାଉ ସାରା ରାତି
ତୁମ ସଂକଳ୍ପରେ
ଆଶାରେ
ତୃଷ୍ଣାରେ
ଆଉ ଭିଜିଯାଅ
ତୁମେ ଆତ୍ମବିଶ୍ୱାସରେ ।
ସିଦ୍ଧ ହେଉ ଅନୁକୂଳ
ଶୁଭମୟ ହେଉ ନୂତନ ସକାଳ
ଆତ୍ମିୟତା ଆଙ୍କିଚାଲ
ଜୀବନର ଚିତ୍ରପଟ୍ଟେ
ଅଜଣା ମୁଁ ବନ୍ଧୁଟିଏ
ଜାଣେ ନାହିଁ
ରହିଯିବି କେତେବେଳେ
ଚାଲୁ ଚାଲୁ ଅଧାବାଟେ….
ତନ୍ଦ୍ରା
ହେ ବିଚିତ୍ର – ବିସ୍ମୟ
ତୁମ ଆଲିଙ୍ଗନେ
ସମ୍ମୋହିତ ସମଗ୍ର ଜଗତ
ଗର୍ଭେ ତୁମ ସ୍ୱପ୍ନପୋତ ହୁଏ ଆତ ଯାତ
କୋଳେ ତୁମ ସବୁ ଶାନ୍ତ
ମନ ବୁଦ୍ଧି ଅହଂକାର ଇନ୍ଦ୍ରିୟ ଓ ଚିତ୍ତ
ପଣତରେ ପୋଛିନିଅ
ଉଦ୍ଭ୍ରାନ୍ତତା, ଆନ୍ଦୋଳିତ ମନର ଲହରୀ
ସ୍ପର୍ଶେ ତୁମ ସମାଧିସ୍ଥ ଚେତନା ସବୁରି
ଆଗମନେ ସବୁ ସ୍ନିଗ୍ଧ
ମୁଗ୍ଧ ପୁଣି ସ୍ନାୟୁରୁ ଶରୀର
ତୁମେ ଅତଳ ଗହ୍ୱର – ମହାରହସ୍ୟର
ଚେତନାର ଆରପାରେ ମାୟା ଉପକଣ୍ଠେ
ବିହାର ତୁମର
ତନ୍ଦ୍ରା ତୁମେ ସର୍ବରୀର ଶ୍ରେଷ୍ଠ ଅଳଙ୍କାର
ଜନ୍ମ
ତୁମ ନିଃଶବ୍ଦ ଉପସ୍ଥିତି
ଶବ୍ଦମୟ କଲା…
ତୁମ ନିସ୍କାମ ବନ୍ଧୁପଣ
ମୋତେ ନିର୍ବିକାର କଲା
ଶବ୍ଦମୟ ସତ୍ତା…ପ୍ରୀତିମୟ ପ୍ରାାଣ
ଏକାକାର ହେଲେ
ମୋତେ କବିଟିଏ କଲେ…
ଅଜଣା ଅପେକ୍ଷା
ଆତୁର ତୃଷ୍ଣା
ଶବ୍ଦାୟିତ ହେଲେ
ଚ୍ଛନ୍ଦାୟିତ ହେଲେ
ଖୁବ୍ ସନ୍ତର୍ପଣରେ
କବିତାଟିଏ ହେଲେ…
ଖୁବ୍ ସନ୍ତର୍ପଣରେ
କବିତାଟିଏ ହେଲେ…
—————————
ବାଦାମବାଡ଼ି, କଟକ, ମୋ: ୬୩୭୧୫୪୮୯୦୭
ଇମେଲ୍: mohanty.debasish1966@gmail.com
Comments are closed.