Latest Odisha News

BREAKING NEWS

ରାଜସ୍ଥାନ ରାଜନୀତିରେ ହଲଚଲ, ପାଇଲଟ ଗଢିବେ ନୂଆ ଦଳ!

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିରେ ଖୁବ ଶୀଘ୍ର ଏକ ବଡ଼ ଧରଣର ହଲଚଲ ହେବାକୁ ଯାଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲଢେ଼ଇ ଖୁବ ଶୀଘ୍ର ବିସ୍ଫୋରକ ରୂପ ନେବ ବୋଲି ଆଲୋଚନା ହେଉଛି।

ରାଜସ୍ଥାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ସଚିନ ପାଇଲଟ ନିଜର ଅସନ୍ତୋଷ ଝାଡ଼ି ଚାଲିଛନ୍ତି। ଏଭଳି ସ୍ଥିତିରେ ଏକ ବଡ଼ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଗାମୀ ନିର୍ବାଚନରେ ପାଇଲଟଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ନିର୍ବାଚନ ରଣାନୀତିକାର ପ୍ରଶାନ୍ତ କିଶୋରଙ୍କ ଆଇ ପ୍ୟାକ କଂପାନୀକୁ ଦାୟିତ୍ୱ ମିଳିଥିବା କୁହାଯାଉଛି। ରଣନୀତି ଅନୁଯାୟୀ ଆସନ୍ତା ଜୁନ ୧୧ ତାରିଖ ସଚିନଙ୍କ ବାପା ରାଜେଶ ପାଇଲଟଙ୍କ ପୁଣ୍ୟ ତିଥିରେ ଏକ ନୂଆ ଦଳ ଘୋଷଣା ହୋଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସଚିନ ପାଇଲଟଙ୍କ ନୂଆ ଦଳର ନାଁ ପ୍ରଗତିଶୀଳ କଂଗ୍ରେସ ପାର୍ଟି, ରାଜସ୍ଥାନ ବିକାଶ ପାର୍ଟି କିମ୍ବା ଏସଆରପି କଂଗ୍ରେସ ପାର୍ଟି ହୋଇପାରେ ବୋଲି କୁହାଯାଉଛି। କଂଗ୍ରେସ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢି ବଢି ଚାଲିଥିବାରୁ ଆଉ ସେ କଂଗ୍ରେସରେ ରହିବେ ନାହିଁ ବୋଲି ମନସ୍ଥିର କରିଥିବା କୁହାଯାଉଛି।

ଏପରିକି ବିଜେପିକୁ ଯିବାକୁ ସେ ଚାହୁଁ ନାହାଁନ୍ତି। ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବେଳେ ବିଜେପିରେ ଏହା ସମ୍ଭବ ନୁହେଁ। କାରଣ ବିଜେପିରେ ବହୁ ମୁଖ୍ୟମନ୍ତ୍ରୀ ଦାବିଦାର ଅଛନ୍ତି।

ଏଭଳି ସ୍ଥିତିରେ ନିଜର ଏକ ଦଳ କରି ଆଗକୁ ବଢିବାକୁ ସଚିନ ବଡ଼ ଯୋଜନା କରିଥିବା ଆଲୋଚନା ହେଉଛି। ପାଇଲଟ କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିବା ବେଳେ ଜୁନ ୧୧ ତାରିଖ ମଧ୍ୟରେ ତାଙ୍କ ସମ୍ପର୍କରେ ହାଇକମାଣ୍ଡ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ନଜର ରଖିଛନ୍ତି ।

ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ଏହାକୁ ଆଖି ଆଗରେ ରଖି ପାଇଲଟ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଇ ପ୍ୟାକ ମଧ୍ୟ ରାଜସ୍ଥାନରେ ଯୁବପିଢ଼ିଙ୍କ ମଧ୍ୟରେ ସର୍ଭେ ସହ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରିଛି। ପ୍ରଶାନ୍ତ କିଶୋରଙ୍କ ସହଯୋଗରେ ପାଇଲଟ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଥିବା ଜୋରଦାର ଚର୍ଚ୍ଚା।

ନିଜ ଦଳ ଗଠନ ସହ ପାଇଲଟ ଆମ ଆଦମୀ ପାର୍ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି ଓ ଭାରତୀୟ ଟ୍ରାଇବାଲ ପାର୍ଟିକୁ ମଧ୍ୟ ସାଙ୍ଗରେ ନେବାକୁ ଯୋଜନା ରହିଥିବା କୁହାଯାଉଛି। ଏପରିକି ବସୁନ୍ଧରା ରାଜେଙ୍କ ସମୟର ଦୁର୍ନୀତିକୁ ନେଇ ନିଜ ସରକାର ବିରୋଧରେ ପାଇଲଟ ସ୍ୱର ଉଠାଇଥିବାବେଳେ ଆମ ଆଦମୀ ପାର୍ଟି ପାଇଲଟଙ୍କୁ ସମର୍ଥନ କରିଥିଲା।

ରାଷ୍ଟ୍ରୀୟ ଲୋକତନ୍ତ୍ରିକ ପାର୍ଟି ପକ୍ଷରୁ ମଧ୍ୟ ପୂର୍ବରୁ ପାଇଲଟଙ୍କୁ ନିଜ ଦଳ ଗଢି ତାଙ୍କ ଦଳ ସହ ଗଠବନ୍ଧନ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି। ତେଣୁ ନୂଆ ଦଳ ଗଢି ବିଜେପି ଓ କଂଗ୍ରେସର ଭୋଟକୁ ଭାଙ୍ଗି କିଭଳି ପାଇଲଟ ସଫଳ ହେବେ ସେ ନେଇ ପ୍ରଶାନ୍ତ କିଶୋର ଓ ପାଇଲଟ ଯୋଜନା କରୁଥିବା ଆଲୋଚନା ହେଉଛି।

ନିଜ ଦଳର ସରକାର ବିରୋଧରେ ସ୍ୱର ଉଠାଇବା ପରେ ରାଜ୍ୟଠୁ କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟନ୍ତ ପାଇଲଟଙ୍କ ଉପରେ ଖପ୍ପା ଥିବା ଜଣାପଡିଛି। ଏପରିକି ଏ ପ୍ରସଙ୍ଗ ପରଠୁ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ତାଙ୍କ ଉପରେ ବର୍ଷୁଛନ୍ତି। ତେଣୁ ପାଇଲଟ ନୂଆ ଦଳ ଗଠନ ନେଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ସେପଟେ ଏହାକୁ ଆଧାର କରି ରାଜ୍ୟର ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଯୁବକଙ୍କୁ ରାଜନୀତି ସହ ଯୋଡିବାର ପ୍ରକ୍ରିୟାକୁ ଆଇପ୍ୟାକ ଜୋରଦାର କରିଛି। ଡିଜିଟାଲ ମାଧ୍ୟମରେ ଯୁବ ବର୍ଗଙ୍କୁ ପ୍ରଶ୍ନ ପଚାରି ଏଭଳି କରାଯିବା ସହ ସେସବୁ ଯୁବପୀଢ଼ିଙ୍କୁ ପାଇଲଟଙ୍କ ସହ ଯୋଡିବାର ପ୍ରୟାସ ହେଉଛି। ତେଣୁ ଏଭଳି ଚର୍ଚ୍ଚା ଏବେ ରାଜସ୍ଥାନ ସମେତ ଦେଶର ରାଜନୀତିକୁ ଚଳଚଞ୍ଚଳ କରିଛି।

ପୂର୍ବରୁ ମଧ୍ୟପ୍ରଦେଶରେ ସିନ୍ଧିଆ ସମର୍ଥକମାନଙ୍କ ସହ କଂଗ୍ରେସ ଛାଡି ଯାଇଥିଲେ। ଏବେ କଂଗ୍ରେସର ଆଉ ଜଣେ ଯୁବ ନେତା ଦଳ ଛାଡିବା ଚର୍ଚ୍ଚା କଂଗ୍ରେସ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ସେପଟେ ଆଗକୁ ନିର୍ବାଚନ ଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ଦଳ ଉପରେ ପଡ଼ିବା ନେଇ ଆଲୋଚନା ହେଉଛି।

Leave A Reply

Your email address will not be published.