Latest Odisha News

BREAKING NEWS

କଂଗ୍ରେସର ରାହୁଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଏଥର କଂଗ୍ରେସ ସମ୍ପୂର୍ଣ୍ଣ ଷ୍ଟ୍ରାଟେଜି ଅନୁଯାୟୀ ସବୁ କରୁଥିବା କୁହାଯାଉଛି। କିଛି ପ୍ରମୁଖ ରଣନୀତିକାରଙ୍କୁ ନେଇ ଦଳ ପ୍ରଚାରଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ତବ୍ୟ ଯୋଜନାବଦ୍ଧ ଢଙ୍ଗରେ ଦେଉଥିବା ଆଲୋଚନା ହେଉଛି। ଏସବୁ ଷ୍ଟ୍ରାଟେଜି ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ଦଳ ନିଜର ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରିଛି।

ମୋଦି ସାଙ୍ଗିଆ ମନ୍ତବ୍ୟ ପାଇଁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲଙ୍କ ସପକ୍ଷରେ ଯେଉଁ ବାତାବରଣ ତିଆରି ହୋଇଛି ବୋଲି କୁହାଯାଉଛି ତାକୁ ସମ୍ପୂର୍ଣ୍ଣ କାମରେ ଲଗାଇବାକୁ ଦଳ ସମସ୍ତ ଉଦ୍ୟମ କରିଥିବା ଦେଖାଯାଇଛି।

ଏପରିକି ନିର୍ବାଚନ ପ୍ରଚାର ବେଳେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଚାରରେ ସେ ମୋଦିଙ୍କୁ ଟାର୍ଗେଟ କଲାବେଳେ ମେରେ ଭାଇ ସେ ଶିଖୋ ବୋଲି ମନ୍ତବ୍ୟ ଦେବା ରାହୁଲଙ୍କ ଗୁରୁତ୍ୱକୁ ଦର୍ଶାଉଛି।

ନିର୍ବାଚନ ପ୍ରଚାର ବେଳେ ରାହୁଲ ଓ ପ୍ରିୟଙ୍କା ଲୋକଙ୍କ ପାଖକୁ ଯିବା, ତାଳି ମାରି ନାଚି ଲୋକଙ୍କୁ ଉତ୍ସାହିତ କରିବା ଦେଖାଯାଇଛି। ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାରର ଶେଷ ପର୍ଯ୍ୟାୟରେ ଡେଲିଭରି ବୟଙ୍କ ସହ ସ୍କୁଟରରେ ବୁଲିବା ଓ ଖାଇବା ଆଦି ଦ୍ୱାରା ଏକ ବାତାବରଣ ତିଆରି କରିବାକୁ ଜୋରଦାର ଉଦ୍ୟମ କରିଥିବା ଦେଖାଯାଇଛି ।

ଏପରିକି କର୍ଣ୍ଣାଟକରେ ରାହୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ମହିଳାଙ୍କ ସହ ଆଲୋଚନା କରିଛନ୍ତି। କଫି ହାଉସରେ ଅଟକିବା ସହ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସହ ଆଲୋଚନା କରିଛନ୍ତି ରାହୁଲ।

ବେଙ୍ଗାଲୁରୁରେ ବସ ଯାତ୍ରା କରି ଯାତ୍ରୀଙ୍କ ସହ ଆଲୋଚନା କରିବା ସହ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି ସମ୍ପର୍କରେ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଚଳଚଞ୍ଚଳ ହୋଇଛି।

ଖାଲି ସେତିକି ନୁହେଁ ସାମାଜିକ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଟିମ ଆ ରହି ହେ କଂଗ୍ରେସ ବା କଂଗ୍ରେସ ଆସୁଛି ବୋଲି ନାରାକୁ ବାରମ୍ବାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦଳ ସପକ୍ଷରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବଡ଼ ଷ୍ଟ୍ରାଟେଜି ବୋଲି କୁହାଯାଉଛି।

ତେଣୁ ଦଳର ଏହି ନୂଆ ଷ୍ଟ୍ରାଟେଜି ସହ ରାହୁଲଙ୍କ ଚେହେରାକୁ ନେଇ କଂଗ୍ରେସ କର୍ଣ୍ଣାଟକରେ ଜୋରଦାର ଏକ୍ସପେରିମେଣ୍ଟ ଉଦ୍ୟମ କରିଥିବା ବେଳେ ଏବେ ଫଳାଫଳ ଉପରେ ସମସ୍ତଙ୍କ ନଜର।

ଦଳର ପ୍ଲାନ କର୍ଣ୍ଣାଟକରେ ସଫଳ ହେଲେ ଦଳ ଆଗକୁ ରାହୁଲଙ୍କୁ ନେଇ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି।

Leave A Reply

Your email address will not be published.