Latest Odisha News

BREAKING NEWS

34 Indian Tanker: ତେଲ, ଗ୍ୟାସ, ସାର…ଭାରତ ଅଭିମୁଖେ ୩୪ ଜାହାଜ!!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ଖୁସି ଖବର

ତେଲ-ଗ୍ୟାସ ଓ ସାର ଯୋଗାଣକୁ ମିଳିବ ବଡ଼ ବଳ!

ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଅଭିମୁଖେ ଆସୁଥିବା LNG କ୍ୟାରିୟର ‘ଦିଶା’ ସୁରକ୍ଷିତ ଭାବେ ଜଳପଥ ଅତିକ୍ରମ କରିଛି। ଏହା ପରେ ଫରାସୀ ଉପସାଗରରେ ଅଟକି ରହିଥିବା ଭାରତ ଓ ଅନ୍ୟ ଦେଶର ପତାକା ବହନ କରୁଥିବା ଆଉ ୩୪ଟି ଜାହାଜ ଶୀଘ୍ର ଭାରତୀୟ ବନ୍ଦରରେ ପହଞ୍ଚିବାର ଆଶା ବଢ଼ିଛି। ଶିପିଂ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓପେଶ କୁମାର ଶର୍ମାଙ୍କ କହିବା ଅନୁଯାୟୀ, ‘ଦିଶା’ ନାମକ LNG ଜାହାଜରେ ୬୨,୩୭୦ ଟନ୍ LNG ଲୋଡ୍ ହୋଇଛି ଏବଂ ଏହା ଜୁନ୍ ୧୮ ତାରିଖରେ ଗୁଜରାଟର ଦାହେଜ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଯାହାପରେ ଏବେ ଫସି ରହିଥିବା ଅନ୍ୟ ଜାହାଜଙ୍କ ପାଇଁ ବାଟ ଫିଟିଛି ।

ଭାରତ ଅଭିମୁଖେ ଆସୁଥିବା ଜାହାଜଗୁଡ଼ିକ ମଧ୍ୟରୁ ୧୫ଟି ଜାହାଜରେ କଚ୍ଚା ତେଲ, LNG ଓ LPG ରହିଛି। ଏହାସହ ୧୬ଟି ଜାହାଜରେ ସାର ଓ ସାର ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ରହିଛି। ସେଥିମଧ୍ୟରୁ ୮ଟି ଜାହାଜରେ ୟୁରିଆ, ୪ଟିରେ DAP (ଡାଇ-ଅମୋନିୟମ ଫସଫେଟ), ୩ଟିରେ ସଲଫର ଏବଂ ଗୋଟିଏ ଜାହାଜରେ ଅମୋନିଆ ଲୋଡ୍ ହୋଇଛି। ଏହି ଜାହାଜଗୁଡ଼ିକ ଭାରତର କୃଷି କ୍ଷେତ୍ର ପାଇଁ ବଡ଼ ସହାୟକ ସାବ୍ୟସ୍ତ ହେବ, କାରଣ ଏହା ମାଟି ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱର ଯୋଗାଣ ବଢ଼ାଇବ।

ଯଦିଓ ତୈଳ ଓ ଗ୍ୟାସ ଯୋଗାଣ ସୁଧୁରିବାର ଆଶା ସୃଷ୍ଟି ହୋଇଛି, ତଥାପି ନୀତି ନିର୍ଦ୍ଧାରକମାନେ ସତର୍କ ରହିଛନ୍ତି। କତାରର ରାସ୍ ଲାଫାନ୍ LNG ସୁବିଧା କେନ୍ଦ୍ର ଏବଂ UAEର ହବଶାନ୍ ଗ୍ୟାସ ପ୍ଲାଣ୍ଟ ଯୁଦ୍ଧ ସମୟରେ କ୍ଷତିଗ୍ରସ୍ତ ହୋଇଥିବାରୁ ସାଧାରଣ କାର୍ଯ୍ୟକଳାପ ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବାକୁ ସମୟ ଲାଗିପାରେ ବୋଲି ଅଧିକାରୀମାନେ ମତ ରଖିଛନ୍ତି ।

ସରକାରୀ ସୂଚନା ଅନୁସାରେ, କତାର ଏନର୍ଜିର ରାସ୍ ଲାଫାନ୍ ସୁବିଧାର ଦୁଇଟି LNG ପ୍ରୋସେସିଂ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ପ୍ରାୟ ୧୭ ପ୍ରତିଶତ କ୍ଷମତା ପ୍ରଭାବିତ ହୋଇଛି। ସେହିପରି UAEର ହବଶାନ୍ ଗ୍ୟାସ ପ୍ଲାଣ୍ଟର ୬୦ ପ୍ରତିଶତ କ୍ଷମତା ପୁନରୁଦ୍ଧାର ହୋଇଥିବା ବେଳେ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବ ବୋଲି ଆଶା କରାଯାଉଛି।

ତେବେ କହିରଖୁଛୁ, ଭାରତ ନିଜର ୮୮ ପ୍ରତିଶତରୁ ଅଧିକ କଚ୍ଚା ତୈଳ ଆମଦାନୀ କରୁଥିବା ବେଳେ ତାହାର ପ୍ରାୟ ଅଧା ପଶ୍ଚିମ ଏସିଆରୁ ଆସିଥାଏ। ଦେଶକୁ ଆସୁଥିବା LNGର ୬୦ ପ୍ରତିଶତରୁ ଅଧିକ ଏବଂ LPG ଯୋଗାଣର ବଡ଼ ଅଂଶ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଉପରେ ନିର୍ଭର କରିଥାଏ। ଆମେରିକା-ଇସ୍ରାଏଲ ଏବଂ ଇରାନ୍ ମଧ୍ୟରେ ସଂଘର୍ଷ ଆରମ୍ଭ ପରେ ଭାରତରେ ତେଲ, ଗ୍ୟାସ ଏବଂ ସାର ନେଇ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି ।

Leave A Reply

Your email address will not be published.