Latest Odisha News

ସୁରକ୍ଷିତ, ନିରାପଦ ବିଶ୍ବ ଇଣ୍ଟରପୋଲ ସଦସ୍ୟ ରାଷ୍ଟ୍ରମାନଙ୍କ ଦାୟିତ୍ବ: ପ୍ରଧାନମନ୍ତ୍ରୀ

ଇଣ୍ଟରପୋଲ ମହାସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 90 ତମ ଇଣ୍ଟରପୋଲ ବୈଠକରେ ସଂବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିଶ୍ବବାସୀ ଏକ ନିରାପଦ, ସୁରକ୍ଷିତ ବିଶ୍ବ ଚାହୁଁଛନ୍ତି । ଇଂଣ୍ଟରପୋଲ ଏଦିଗରେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ କାର୍ଯ୍ୟ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ । ସୁରକ୍ଷିତ ବିଶ୍ବ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କର ଦାୟିତ୍ବ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଭାରତୀୟ ଗଣତନ୍ତ୍ର ବର୍ଷ ବର୍ଷ ଧରି ବିଶ୍ବକୁ ସହଯୋଗର ବାର୍ତ୍ତା ପ୍ରଦାନ କରିଆସୁଛି । ନ୍ୟାୟ ପାଇଁ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଇଣ୍ଟରପୋଲର ଗୁରୁ ଦାୟିତ୍ବ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।  195 ଦେଶର ନ୍ୟାୟ ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଥିବା କହିଥିଲେ ମୋଦି । 2023ରେ ଇଣ୍ଟରପୋଲ 100 ବର୍ଷ ପାଳନ କରିବାକୁ ଯାଉଥିବାରୁ ଏହାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।

ବିଶ୍ବରେ ନ୍ୟାୟ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସହଯୋଗ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ସବୁ ଦେଶର ପ୍ରତିନିଧିଙ୍କୁ ଆହ୍ବାନ ଦେଇଛନ୍ତି । ସାମାଜିକ ମଙ୍ଗଳ କାର୍ଯ୍ୟରେ ଭାରତ ସମସ୍ତଙ୍କୁ ଭିନ୍ନ ଭିନ୍ନ ସମୟରେ ସାହାଯ୍ୟ କରିଆସିଛି । ଭବିଷ୍ୟତରେ ମଧ୍ୟ ବିଶ୍ବର ମଂଗଳ ପାଇଁ ଯାହା ଆବଶ୍ୟକ ପଡିବ ଭାରତ ତାହା କରିବାକୁ ପ୍ରସ୍ତୁତ ଥିବା ମୋଦି କହିଛନ୍ତି ।

ଭାରତରେ ପୋଲିସ ବ୍ୟବସ୍ଥା ସାଧାରଣ ଜନତାଙ୍କୁ କିଭଳି ନ୍ୟାୟ ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରୁଛି ତାହାର ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତ ଏହି ବର୍ଷ 75 ତମ ସ୍ବାଧୀନତା ଦିବସ ପାଳନ କରୁଥିବା ଅବସରରେ ଇଣ୍ଟରପୋଲର ବୈଠକ କରାଯାଉଥିବାରୁ ସେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।  ସଦସ୍ୟ ଦେଶର ନେତା, ପୁଲିସ ମୁଖ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ପ୍ରମୁଖ ମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ଇଣ୍ଟରପୋଲର ବୈଠକ 21 ତାରିଖ ପର୍ଯ୍ୟନ୍ତ ଚାଲିବ । 25 ବର୍ଷ ପରେ ଏହି ବୈଠକ ଭାରତରେ ହେଉଛି । ପ୍ରତି ବର୍ଷ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଇଣ୍ଟରପୋଲର ଅଧ୍ୟକ୍ଷ ଅହମଦ ନାସର ଅଲ ରଇସ, ମହାସଚିବ ଜୁର୍ଗନ ଷ୍ଟାକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.