ମହିଷାସୁର
ସୁରେଂଦ୍ର ପାଣିଗ୍ରାହୀ
କିଏ ଜଣେ ମହାପୁରୁଷ କହିଥିଲେନା
‘ସବୁ କିଛି ହିଁ ଯୁକ୍ତିଯୁକ୍ତ
କେବଳ ପ୍ରେମ ଓ ଯୁଦ୍ଧରେ!’
ମୋର ସମସ୍ତ ଅସହାୟ ଇଚ୍ଛା
ଓ ଶରୀରର ରକ୍ତମାଂସର କାମନାମାନେ ସତେ
ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ !
ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ
ମୁହୂର୍ତ୍ତରେ ଜନ୍ମିଥିବା ମୁଁ ମୋର ଇଚ୍ଛାମାନଙ୍କୁ
ମୋର ଅକ୍ତିଆରରେ ରଖିବା ହୁଏତ ସମ୍ଭବ ନଥିଲା;
ମୁଁ ତ ଥିଲି ଚିରକାଳ ପ୍ରତାରିତ
ବ୍ରହ୍ମା ଓ ଦେବତ୍ୱର ଦ୍ୱାହିଦେଇ
ମୁଖା ପିନ୍ଧିଥିବା ପ୍ରବଂଚକମାନଙ୍କ ପ୍ରତାରଣା ପାଖରେ…
ତୁମେ ବି ବିଶ୍ୱାସ କରିଥିଲେ ଦେବୀ, ସେଇ ଦେବତ୍ୱର
ବହୁରୂପୀ ଛଦ୍ମବେଶୀ ପୁରୁଷମାନଙ୍କୁ
ହୁଏତ ଯେଉଁମାନଙ୍କ ଇଚ୍ଛାକୁ ଚରିତାର୍ଥ କରିବାକୁ ଏ ପୃଥିବୀକୁ
ଆସିଥିଲ ତୁମେ, ଯେଉଁମାନେ ବଳୀୟାନ୍
କରିଥିଲେ ତୁମକୁ ସେମାନଙ୍କର ଅସ୍ତ୍ରଶସ୍ତ୍ର ଦେଇ
କିଂତୁ, ସେଇ ପର୍ଦ୍ଦାଧାରୀମାନଙ୍କର ପ୍ରଦତ୍ତ
ଅସ୍ତ୍ରଶସ୍ତ୍ର ଠିକ୍ ବେଳରେ କାମରେ ଆସି ନଥିଲା ତୁମର,
ଆରମ୍ଭରୁ ଦେବତ୍ୱ ଉପରେ ତୁମର ଅଖଣ୍ଡ ବିଶ୍ୱାସଥିଲା ଦେବୀ
ଯଦିଚ ପ୍ରତିଦିନ ତୁମର ବାରଂବାର ଭାଙ୍ଗୁଥିଲା ଆସ୍ଥା
ମୋ ପାଖରୁ ଲଢେ଼ଇରେ ପରାସ୍ତ ହେଲା ପରେ, ମୋ ଆସୁରିକ
ରକ୍ତବୀର୍ଯ୍ୟକୁ ହିଁ ତୁମେ ପ୍ରତିଦିନ ଶୋଷି ଚାଲିଥିଲ ଦେବୀ
ବେଶ ହେଇ ଉନ୍ନତସ୍ତନା ବିବସ୍ତ୍ରା ଯୋଗିନୀର
ଅଧାଦେଖା ସ୍ୱପ୍ନସବୁ ମୋର ପ୍ରତିଦିନ
ଜଳି ଜଳି ଚାଲିଥିଲେ ଦୁଃସ୍ୱପ୍ନ ହେଇ ପ୍ରତିଟି ଭୟାର୍ତ୍ତ ବେଳାରେ,
ମୁଁ ତ ତୁମ ପ୍ରେମରେ ପଡ଼ିଥିଲି ଦେବୀ ପ୍ରଥମ ଦର୍ଶନରେ,
ଏକଥା ବି ଜାଣିଥିଲି ମୋ ଭଳି କୁତ୍ସିତକୁ କେବେ ବି
ଆପଣେଇବନି ତୁମେ, କିନ୍ତୁ ମୋତେ ବାରମ୍ବାର
ପ୍ରଲୁବ୍ଧ କରିଥିଲା ସୁନୟନା, ଜକ ଜକ ଜହ୍ନରାତି
ଭଳି ଜଳୁଥିବା ତୁମ ମୁହଁର ମାଧୁରୀ,
ଉତ୍ତରମେଘର କଳା ଅଂଧାର ଭଳି ଘନେଇ
ଆସୁଥିବା ତୁମ କଳାଘୁମର କେଶ,
ଆକାଶ ଭଳି ଉଦାର ମନ ଓ କାଶଫୁଲ ଭଳି
ଲହରେଇ ଯାଉଥିବା ତୁମ ଚିକମିକ ହସର ଝଲକ
ମହିଷାସୁରର ମୋକ୍ଷ କାହିଁ ଦେବୀ !
ଆଜି ବି ନିଶାର୍ଦ୍ଧର କେଉଁ ଏକ
କ୍ଷୁଧିତ କ୍ଷଣରେ ମୋ ଛାତିରେ ଘୁଙ୍ଗୁର
ବଜାଅ ତୁମେ ଉଲଙ୍ଗ ରୂପରେ
ତୁମ ନାଭି, ନିତମ୍ବ, ଜାନୁ ଓ ସ୍ତନର ସପ୍ତଫେଣୀର
ନିବିଡ଼ ଆଶ୍ଳେଷ ଓ
ଆଲିଙ୍ଗନର ଆଘାତରେ, ପ୍ରତିଦିନ ଜନ୍ମ ମୃତ୍ୟୁ ହେଉଥାଏ ମୋର
ସବୁ ମହିଷାସୁରମାନଙ୍କ / ସରଳ ଭାଗ୍ୟତ ଏମିତି ଦେବୀ
ସେମାନଙ୍କ କୋମଳ ଭାବନାମାନଙ୍କୁ କବର ଦେବାକୁ
ହୁଏ ନିଜ ହାତରେ
ଆଉ ଦେବୀମାନେ ଚାଲିଯା’ନ୍ତି ଦେବତ୍ୱର ବାହୁ ବନ୍ଧନକୁ
ତେଣୁ ମୁଁ ତୁମ ସହ କେବେ ବି ଯୁଦ୍ଧରେ ନଥିଲି ଦେବୀ
ଥିଲି ମୁଁ ପ୍ରେମରେ…
ସେଇ ମହାପୁରୁଷଙ୍କ ବାଣୀ ଥିଲା ମୋ ପାଇଁ ଓଲଟବଂଶୀ
ଆଉ ପ୍ରତାରଣା ହିଁ ଥିଲା ମୋର
ପ୍ରାପ୍ତି ହିଁ କେବଳ ।
Comments are closed.