ମୋହନ ଦାସ

ମୋହନ ଦାସ

ଅମରେନ୍ଦ୍ର ମାଧବ ଦାଶ

ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର
ସାଥୀରେ ନଥିଲା ବି ସୁରକ୍ଷା ବଳୟ
ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ
ଆତଙ୍କରେ ଥିଲେ ଜଡ଼ସଡ଼…
କାହିଁକି କେଜାଣି ?

ଅନେକ ସମୟ ସେମାନେ
ଅନ୍ଧାରରେ ଖୋଜୁଥିଲେ
ତମ ଗୋଲଗୋଲ ଚଷମା
କାଳେ ପଢ଼ି ପାରିବେ ତା’ ଦେଇ
ତମ ଆଗାମୀ ଯୋଜନାର ବ୍ଲୁ ପ୍ରିଂଟ୍…

କେଉଁଠୁ ଗୋଟେ ଦିଶିଗଲେ
ପୁରୁଷେ ଉଚ୍ଚର ଗୋଟେ ବାଡ଼ି
ତରକି ଯାଉଥିଲେ ସେମାନେ
କପାଳକୁ ଉଠିଯାଉ ଥିଲା ତାଙ୍କ ଆଖି
ପରଖି ନେଉଥିଲେ ୟେ
ତମର ସେଇ ଲାଠି ନୁହେଁ ତ ?

ଦିନ ଆଲୁଅରେ କିଛି ଗୋଟେ
ଟିକ୍ ଟିକ୍ ଶୁଭିଗଲେ ଥରେଥରେ
ଅଣ୍ଡାଳି ପକାଉଥିଲେ ହାତ,
ଉଣ୍ଡି ପକାଉଥିଲେ ଘରର କାନ୍ଥିନୀ,
ନଜର ଘୂରେଇ ଆଣୁଥିଲେ ଅଂଟା
କେଉଁ ଏକ ଆତଙ୍କରେ କେଜାଣି…?

ଖଦଡ଼ ପିନ୍ଧା ଲୋକଟିଏ ଦେଖିଲେ
ଚିହିଁକି ଉଠୁଥିଲେ ସେମାନେ
କାନଡେରି ଶୁଣୁଥିଲେ
କାଳେ ଗାଉଥିବ ଅହିଂସାର ମନ୍ତ୍ର…

ସେମାନେ କାହାର ନିରବତାକୁ ବି
ସହଜରେ କରିପାରୁ ନଥିଲେ ଗ୍ରହଣ
ସନ୍ଦେହ ଚକ୍ଷୁରେ ମାପୁଥିଲେ ଗତିବିଧି
ପରଖୁଥିଲେ ଚୁପ୍ ରହିବା ପଛର କାରଣ
କେଉଁଠି କାଳେ ରହିଯାଇନି ତ
ତୁମ ‘ମୌନବ୍ରତ’ର ଷଡ଼ଯନ୍ତ୍ର !

ବାସ୍,
ଭୟ, ଆତଙ୍କ, ସନ୍ଦେହ, ସଂଶୟର ଶବ୍ଦ
ପାଖାପାଖି ଘୂରି ବୁଲୁଥିଲେ ସେମାନେ,
ଆଉ ଆମେ ଘୂରି ବୁଲୁଥିଲୁ
ତମ ଚାରିପାଖେ ବର୍ଷ, ମାସ, ଦିନ, ଦଣ୍ଡ…
………………
ପ୍ଲଟ୍ ନଂ ୧୩୦୨/ଏ (ପ୍ରା), ୟୁନିଟ୍-୪,
ଶାସ୍ତ୍ରୀନଗର, ଭୁବନେଶ୍ୱର-୭୫୧୦୦୧
ମୋ-୯୪୩୭୩୫୯୯୪୫

LEAVE A REPLY

Please enter your comment!
Please enter your name here