ବଣାଇଁଗଡ଼:କୋଟିକୋଟି ଟଙ୍କାର ଶାଳଗଛ ପଡିଲା ବଳି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜର ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ପୋଡୁଚାଷ ନାଁରେ ବ୍ୟାପକ ଜଙ୍ଗଲ କଟାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ୭୪୨ଟି ଶାଳ ଗଛ ନଷ୍ଟ ହୋଇଛି ଏବଂ ୨୩ ହେକ୍ଟର ଜଙ୍ଗଲକୁ ବେଆଇନ ଭାବେ ସଫା କରାଯାଇଛି । ତେବେ ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଗଛକଟା ସାମଗ୍ରୀ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଜରଡ଼ା ରେଞ୍ଜ କାର୍ଯ୍ୟାଳୟ ସୂଚନାମୁତାବକ, ଗତ ୯ ଜୁଲାଇରେ ପ୍ରାୟ ଦିନ ୨ଟା ୪୩ରେ ରାମଛିନ୍ଦା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଓ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାଡ୍ ନିୟମିତ ପାଦ ପାଟ୍ରୋଲିଂ କରୁଥିବା ବେଳେ ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବେଆଇନ ଗଛ କଟା, ଗଛର ଛାଲ କାଢ଼ି ନଷ୍ଟ କରିବା, ଡାଳ କାଟିବା ଏବଂ ଜଙ୍ଗଲ ଜମିକୁ ପୋଡୁ ଚାଷ ପାଇଁ ସଫା କରାଯାଉଥିବା ଦେଖିବାକୁ ପାଇଥିଲେ ।
ତେବେ ବନ କର୍ମଚାରୀଙ୍କୁ ଦେଖି ଅଧିକାଂଶ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । କିନ୍ତୁ ଘଟଣାସ୍ଥଳରୁ ପାତ୍ରାସ ଟପ୍ପୋ (୬୫), ସୁଲେମାନ ବାର୍ଲା (୫୦), ମାସିପ୍ରକାଶ ଜୋଜୋ (୨୭) ଓ ଇନ୍ଦ୍ରମଣି ଓରାମ (୪୩)ଙ୍କୁ କାବୁ କରାଯାଇଥିଲା।
ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କୁ ଗୁରୁଣ୍ଡିଆ ଥାନାକୁ ହସ୍ତାନ୍ତର କରାଯାଇଛି ଓ ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ସହ ଗିରଫ କରିବା ପାଇଁ ବନ ବିଭାଗ ତଦନ୍ତକୁ ଜୋରଦାର କରିଛି।
ଚଢ଼ାଉ ବେଳେ ବନ ବିଭାଗ ୪ଟି କୁରାଢ଼ି, ୪ଟି ଦାଉଲି, ୨ଟି ଫାଶ ଜାଲ, ଗୋଟିଏ ଧନୁ ଓ ୪ଟି ତୀର ଜବତ କରିଛି। ଏଥିସହ ସମଗ୍ର ଅଞ୍ଚଳର ଡ୍ରୋନ୍ ମାଧ୍ୟମରେ ଭିଡିଓ ଓ ଫଟୋଗ୍ରାଫି କରାଯାଇ ପ୍ରମାଣ ସଂଗ୍ରହ କରାଯାଇଛି।
ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ କିଛି କାଠ ମାଫିଆ ସ୍ଥାନୀୟ ଲୋକଙ୍କୁ ଅର୍ଥର ପ୍ରଲୋଭନ ଦେଇ ପୋଡୁ ଚାଷ ନାଁରେ ମୂଲ୍ୟବାନ ଶାଳ ଗଛ କାଟି ବାହାରକୁ ଚୋରାଚାଲାଣ କରୁଛନ୍ତି । ଏହା ପଛରେ ଏକ ସଂଗଠିତ କାଠ ଚୋରାଚାଲାଣ ଚକ୍ର କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି ।