Latest Odisha News

BREAKING NEWS

କର୍ମଚାରୀଙ୍କ ହାତରେ ସବୁବେଳେ ରହିବ ଟଙ୍କା: ଦରମା ନିୟମରେ ବଡ଼ ପରିବର୍ତ୍ତନ ଆଣୁଛନ୍ତି ଏହି ସରକାର, ପ୍ରତି ୧୫ ଦିନରେ ଆକାଉଣ୍ଟକୁ ଆସିବ ଦରମା

କାଠମାଣ୍ଡୁ: ମାସ ଶେଷ ହେବା ପୂର୍ବରୁ ଦରମା ଟଙ୍କା ସରିଯାଉଛି କି? ଘର ଭଡ଼ା, ରାସନ, ବିଦ୍ୟୁତ୍ ବିଲ୍ ଏବଂ ପିଲାଙ୍କ ସ୍କୁଲ୍ ଫି’ ଦେବା ପରେ ହାତ ଖାଲି ହୋଇଯାଉଛି କି? ସାଧାରଣତଃ ଅଧିକାଂଶ ବେତନଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା। କିନ୍ତୁ ପଡ଼ୋଶୀ ଦେଶ ନେପାଳର ସରକାରୀ କର୍ମଚାରୀମାନେ ଖୁବ୍ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି। ନେପାଳର ନୂଆ ସରକାର ସରକାରୀ କର୍ମଚାରୀଙ୍କ ଦରମା ପ୍ରଦାନ (Salary Cycle) ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଏଣିକି କର୍ମଚାରୀମାନଙ୍କୁ ମାସକୁ ଥରେ ନୁହେଁ, ବରଂ ଦୁଇ ଥର ଅର୍ଥାତ୍ ପ୍ରତି ୧୫ ଦିନ ଅନ୍ତରରେ ଦରମା ମିଳିବ।

କାହିଁକି ଏହି ନିଷ୍ପତ୍ତି ନେଲେ ସରକାର?
ନେପାଳର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ଏହି ନୂତନ ବେତନ ଢାଞ୍ଚା କାର୍ଯ୍ୟକାରୀ କରାଯିବ। ପ୍ରାୟତଃ ମାସ ଶେଷ ବେଳକୁ କର୍ମଚାରୀଙ୍କ ହାତରେ ଟଙ୍କା ରହୁନଥିବାରୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ନିଷ୍ପତ୍ତି ଦ୍ୱାରା ମଧ୍ୟବିତ୍ତ ପରିବାର ହାତରେ ପୂରା ମାସ ଧରି କିଛି ନା କିଛି ନଗଦ ଅର୍ଥ ରହିବ। ଦୀର୍ଘ ଦିନ ଧରି ନେପାଳର ସରକାରୀ କର୍ମଚାରୀମାନେ ସରକାରଙ୍କ ନିକଟରେ ଏହି ଦାବି କରିଆସୁଥିଲେ।

ଅର୍ଥନୈତିକ ବିଶେଷଜ୍ଞ ଏବଂ ବଜାର ବିଶ୍ଳେଷକମାନେ ନେପାଳ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ମତରେ ଏହା ଦେଶର ଅର୍ଥନୀତି ପାଇଁ ଏକ ବୁଷ୍ଟର ବା ସଞ୍ଜୀବନୀ ଭଳି କାମ କରିବ। ସାଧାରଣତଃ ମାସ ଆରମ୍ଭରେ ବଜାରରେ ପ୍ରବଳ ଗହଳି ଏବଂ କିଣା ବିକା ଦେଖିବାକୁ ମିଳିଥାଏ। କିନ୍ତୁ ମାସ ଶେଷ ଆଡ଼କୁ ଲୋକଙ୍କ ପାଖରେ ଟଙ୍କା ନଥିବାରୁ ବଜାର ପ୍ରାୟତଃ ମାନ୍ଦା ପଡ଼ିଯାଏ।

ଯଦି ପ୍ରତି ୧୫ ଦିନରେ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ଆସିବ, ତେବେ ମାସ ଶେଷରେ ମଧ୍ୟ ବଜାରରେ କିଣାବିକା ଜାରି ରହିବ। ଖୁଚୁରା ବ୍ୟବସାୟୀ ଏବଂ ଦୈନନ୍ଦିନ ସାମଗ୍ରୀ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଏହାଦ୍ୱାରା ବହୁଳ ଭାବେ ଲାଭବାନ ହେବେ। ସାମଗ୍ରିକ ଭାବେ ଦେଖିବାକୁ ଗଲେ, ଏହା ବଜାରରେ ନଗଦ ଅର୍ଥର ପ୍ରବାହକୁ ନିରନ୍ତର ରଖିବା ସହ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେବ।

Leave A Reply

Your email address will not be published.