Latest Odisha News

BREAKING NEWS

ରାଜସ୍ୱ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି: ଜଗନ୍ନାଥଙ୍କ ଜମି ଉପରେ ତିଆରି ହୋଇଛି ସମ୍ରାଟ କମ୍ପ୍ଲେକ୍ସ

ପୁରୀ: ଅସ୍ତିତ୍ୱ ହରାଇବ କି ସମ୍ରାଟ କମ୍ପ୍ଲେକ୍ସ ? ଭଙ୍ଗାଯିବ କି ସମ୍ରାଟ କମ୍ପ୍ଲେକ୍ସର କୋଠା ? ହଟିବ ଜବରଦଖଲ ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ରାଟ କମ୍ପ୍ଲେକ୍ସ ଜମି ନେଇ ତହସିଲଦାରଙ୍କୁ ଚିଠି ଦିଆଯିବା ପରେ ଉଠିଛି ଏମିତି କିଛି ପ୍ରଶ୍ନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏମିତି ଚିଠି ପାଇବା ପରେ ରାଜସ୍ୱ ବିଭାଗ ଏହାର କାଗଜପତ୍ର ଯାଞ୍ଚ କରିବ ବୋଲି ଜଣାଯାଇଛି । ଯଦି ଏପରି ଅଭିଯୋଗରେ ସତ୍ୟାସତ୍ୟ ଥାଏ ତେବେ ସମ୍ରାଟ କମ୍ପ୍ଲେକ୍ସ କୋଠା ଭଙ୍ଗା ଯାଇପାରେ ।

ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହାରା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗପତ୍ର ଆମେ ଗ୍ରହଣ କରିଛୁ । ଏହାର ତର୍ଜମା କରାଯିବ । ଯଦି ଏହା ଶ୍ରୀମନ୍ଦିର ପ୍ରଶାସନ ଜମିରେ ଥାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିବା ଅନୁଯାୟୀ, ସମ୍ରାଟ କମ୍ପ୍ଲେକ୍ସ ରହିଥିବା ଜମିରୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ରହିଛି ୨୨ ଡିସିମିଲ ଜମି । ଘରୋଇ ମାଲିକାଙ୍କ ନାମରେ ରହିଛି ସାଢେ ତିନି ଡିସିମିଲ ଜମି । ତେବେ ସେ କେଉଁ ହିସାବରେ ଏହାକୁ ଦଖଲ କରିଛନ୍ତି ଏହାର ତଦରଖ ଚାଲିଛି । ଯାଞ୍ଚ ପରେ ଏହା ଜଗନ୍ନାଥଙ୍କ ଜମି ବୋଲି ପ୍ରମାଣିତ ହେଲେ ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯିବ ।

ସୂଚନାଥାଉ କି, କିଛିଦିନ ତଳେ ଏହି ସମ୍ରାଟ କମ୍ପ୍ଲେକ୍ସରେ ନିଆଁଲାଗି ଯାଇଥିଲା ଯାହାକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ନାକେଦମ ହୋଇଥିଲେ । ଦୀର୍ଘ ୩ ଦିନପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠିତ ହୋଇଥିଲା  । ଏହି ଟିମ ତାର ରିପୋର୍ଟ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ନକଟରେ ଦାଖଲ କରିଛନ୍ତି ।

Leave A Reply

Your email address will not be published.