Latest Odisha News

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ୧ ଟଙ୍କାରେ ମିଳୁଛି ସାନିଟାରୀ ନାପକିନ ପ୍ୟାଡ

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର ୬୩୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା ସାନିଟାରୀ ନାପକିନ ବିକ୍ରୟର ସୁବିଧା କରିଛନ୍ତି । ଏହି ପ୍ୟାଡର ଦାମ ଏକ ଟଙ୍କା ରଖାଯାଇଛି । ବଜାରରେ ଏହି ପ୍ୟାଡର ଦାମ ଗୋଟା ପିଛା 3 ଟଙ୍କାରୁ 8 ଟଙ୍କା ପଡୁଛି । ୨୦୧୮ ଜୁନ ୪ ତାରିଖରୁ  ଏହି ବିକ୍ରୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେବେଠାରୁ ଚଳିତବର୍ଷ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଜନଔଷଧୀ କେନ୍ଦ୍ରରେ ୪ କୋଟି ୬୧ ଲକ୍ଷରୁ ଅଧିକ ଏହି ନାପକିନ ବିକ୍ରୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ଅଗଷ୍ଟ ୨୭ରେ ଏହି ନାପକିନର ମୂଲ୍ୟ ସଂଶୋଧିତ ହୋଇଥିଲା । ଏହା ପରେ ଚଳିତବର୍ଷ ଜୁନ ୧୦ ତାରିଖ ସୁଦ୍ଧା ବିଭିନ୍ନ ଜନଔଷଧୀ କେନ୍ଦ୍ରରେ ବିକ୍ରି ହୋଇଥିବା ପ୍ୟାଡର ସଂଖ୍ୟା ୩ କୋଟି ୪୩ ଲକ୍ଷରୁ ଅଧିକ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋତୁସ୍ରାବ ସମୟରେ କିଶୋରୀ ଓ ମହିଳାମାନଙ୍କ ପ୍ରତି କେତେକ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କଟକଣା ରହିଛି । ଏହା ଫଳରେ ଏହି ସମୟରେ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ରକ୍ଷା ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦେଶର ଅଧିକାଂଶ ଅଞ୍ଚଳରେ ବିଶେଷକରି ଗାଁ ଗଣ୍ଡାରେ ଯୁବତୀ ଓ ମହିଳାମାନେ ଅଧିକ ଦାମ ଯୋଗୁଁ ସାନିଟାରୀ ସାମଗ୍ରୀ ବ୍ୟବହାର କରିବାର ସୁଯୋଗ ପାଆନ୍ତି ନାହିଁ ।
ଭାରତର ଅସ୍ୱଚ୍ଛଳବର୍ଗର ଯୁବତୀ ଓ ମହିଳାଙ୍କ ପାଇଁ ଏହି ପଦକ୍ଷେପ ‘ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା’ କାର୍ଯ୍ୟକ୍ରମର ଅଂଶବିଶେଷ । ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ନିମନ୍ତେ କେନ୍ଦ୍ର ଔଷଧୀୟ ବ୍ୟାପାର ବିଭାଗ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ।
ସାନିଟାରୀ ନାପକିନ ପରିବେଶ ଅନୁକୂଳ । ଏହି ପ୍ୟାଡ ଯେଉଁ ସାମଗ୍ରୀରେ ତିଆରି ହେଉଛି ତାହା ପ୍ରାକୃତିକ ଉପାୟରେ ନଷ୍ଟ ହୋଇଥାଏ ।

ଅକ୍ସୋ ବାୟୋଡିଗ୍ରେଡେବଲ ମେଟେରିଆଲରେ ଏହା ତିଆରି ଏବଂ ଏଏସଟିଏମ ଡି-6954 (ବୟୋଡିଗ୍ରେଡେବିଲିଟି ଟେଷ୍ଟ) ଅନୁସାରେ ଏହା ପ୍ରସ୍ତୁତ ହୋଇଥାଏ । ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ମାଧ୍ୟମରେ ଏସବୁ ପ୍ୟାଡ ଗୋଟା ପିଛା ଏକ ଟଙ୍କାରେ ବିକ୍ରୟ କରାଯାଉଛି ।

Leave A Reply

Your email address will not be published.