ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ସଂଜୟ ଲିଲା ଭଂସାଲୀ । ବଲିଉଡର ଏହି ପପୁଲାର ନିର୍ଦ୍ଦେଶକ ନିଜ ନୂଆ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ପାଇଁ ଚର୍ଚ୍ଚାରେ ରହିଛନ୍ତି । ଖବର ମିଳିଛି ଫିଲ୍ମର ନିର୍ମାଣକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି ।
ହୁସୈନ୍ ଜୈଦୀଙ୍କ ବହି ମାଫିଆ କ୍ୱିନ୍ସ ଅଫ୍ ମୁମ୍ବାଇ ଉପରେ ସଂଜୟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ଆଧାରିତ । ଫିଲ୍ମର ସୁଟିଂ ମୁମ୍ବାଇ ଫିଲ୍ମସିଟିରେ ଚାଲିଥିବାବେଳେ ସେଟ୍ ଡିଜାଇନିଂ ପାଇଁ ସାଢେ ଛଅ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ଡନ୍ ଗଙ୍ଗୁବାଇ ଉପରେ ଆଧାରିତ ଏହି ଫିଲ୍ମରେ ଆଲିୟା ଭଟ୍ଟଙ୍କୁ ମୁଖ୍ୟ କିର୍ଦାରରେ ଦେଖିବାକୁ ମିଳିବ । ୬୦ ଦଶକରେ ଗଙ୍ଗୁବାଇ ମୁମ୍ବାଇ ମାଫିଆର ଏକ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କ ସ୍ୱାମୀ ମାତ୍ର ୫୦୦ ଟଙ୍କାରେ ଗଙ୍ଗୁବାଇଙ୍କୁ ବିକ୍ରୟ କରିଦେଇଥିଲେ । ଯାହାପରେ ସେ ବେଶ୍ୟାବୃତ୍ତିରେ ସାମିଲ ହେବା ସହ ମାଫିଆ କ୍ୱିନ୍ ଭାବେ ପରିଚିତ ହୋଇଥିଲେ ।
ତେବେ ପ୍ରକୃତ ଜୀବନରେ ଘଟିଥିବା କିଛି ଘଟଣାକୁ ଭୁଲ ଭାବେ ଚିତ୍ରଣ କରିଥିବାରୁ ଗଙ୍ଗୁବାଇଙ୍କ ପରିବାର ଲୋକେ ଫିଲ୍ମର ନର୍ମାଣକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବମ୍ବେ ସିଟି ସିଭିଲ୍ କୋର୍ଟରେ ହୁସୈନ ଜୈଦୀ, ସଂଜୟ ଲିଲା ଭଂସାଲୀ ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ବିରୋଧରେ ଗତକାଲି ମାମଲା ଦାୟର ହୋଇଛି । ଜାନୁଆରୀ ୭, ୨୦୨୧ ସୁଦ୍ଧା ତିନିଜଣଙ୍କୁ ଜବାବ ତଲବ କରିବାକୁ ସମୟ ଦିଆଯାଇଛି ।
ଫିଲ୍ମରେ ଆଲିୟାଙ୍କ ଛଡା ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଅଜୟ ଏକ ଛୋଟ କିର୍ଦାରରେ ନଜର ଆସିବେ । ଫିଲ୍ମର ସୁଟିଂ ଜାରି ରହିଥିଲାବେଳେ ଏହାର ରିଲିଜ ଟେଡ୍ କିନ୍ତୁ ଘୋଷଣା ହୋଇନି ।
Comments are closed.