Latest Odisha News

BREAKING NEWS

ଆଜି ସପ୍ତପୁରୀ ଅମାବସ୍ୟା, ଶ୍ରୀଜିଉଙ୍କ ପାଖରେ ଲାଗି ହେବ ସପ୍ତପୁରୀ ଭୋଗ

ପୁରୀ; ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନୀତି ନିୟମ ।

ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ ।

ଆଜି ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିଥିଲା। ଏହାପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ । ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କର ଆଜି ବିଶେଷ ପୂଜାନୀତି ସହ ସନ୍ଧ୍ୟା ଧୂପ ହେବ । ଏହାପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ ।

ସପ୍ତପୁରୀ ଅମାବାସ୍ୟା ପୂର୍ବଦିନ ଅଠରନଳା ନିକଟରେ ଅବସ୍ଥିତ ଭଗବତୀ ମାଆ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଁଚି ଚତୁଃପାର୍ଶ୍ୱ ବୁଲି ତାଡ ଗୁଡିକ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷୀଣକାଳି ମନ୍ଦିରକୁ ଯାଇଥିଲେ ।

Leave A Reply

Your email address will not be published.