Latest Odisha News

BREAKING NEWS

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲା ଉତ୍କଳ ସର୍ବୋଦୟ ମଣ୍ଡଳ

ଭୁବନେଶ୍ଵର: ଗତ ଅଗଷ୍ଟ ୨୯ ତାରିଖରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ସର୍ବୋଦୟ ଓ ମାନବ ଅଧିକାର ଗଣ ସଙ୍ଗଠନ ସମୂହ । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡା ସ୍ଥିତ ସ୍ଵାଗତ ହୋଟେଲରୁ ଅପହରଣ ଘଟଣା ସମଗ୍ର ରାଜ୍ୟ ତଥା ଦେଶର ମାନବ ସମାଜକୁ ବିବ୍ରତ ତଥା ବିଚଳିତ କରିଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ।ଯାହା ରାଜ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ଏପରି ଘଟଣାକୁ ଆଗକୁ ବଢାଇବାକୁ ସୁଯୋଗ ଦେଇଛି ବୋଲି ଅଭିଯୋଗ କରିଛି ଉତ୍କଳ ସର୍ବୋଦୟ ମଣ୍ଡଳ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ, କଳାହାଣ୍ଡି, ରାୟଗଡା, ଗଜପତି, ଜିଲ୍ଲାର ମାଳିପର୍ବତ, ନିୟମଗିରି, କାଶୀପୁର ଅଞ୍ଚଳରୁ ବେଆଇନ ଭାବରେ ସାଧାରଣ ଲୋକଙ୍କୁ ତାଙ୍କ ଭିଟାମାଟିରୁ ଉଚ୍ଛେଦ କରି ଖଣି ଲୁଣ୍ଠନ କରାଉଛନ୍ତି । ନିଜ ଭିଟାମାଟି ପାଇଁ ସଂଘର୍ଷ କରୁଥିବା ଏହି ସାଧାରଣ ଲୋକଙ୍କ ଉପରେ ୟୁଏପିଏ ଭଳି କଳା ଆଇନ ପ୍ରୟୋଗ କରି ଦମନମୂଳକ ପଦକ୍ଷେପ ନିଆଯାଉଛି । ଯଦି କିଏ ମୁହଁ ଖୋଲୁଛି ତେବେ ତାକୁ ମାଓବାଦୀ ଅଭିଯୋଗରେ ଏନକାଉଣ୍ଟର କଲା ଭଳି ବ୍ୟବସ୍ଥା କରାଯାଉଛି । ଏହାକୁ ବିରୋଧ କରି ଆଜି ଉତ୍କଳ ସର୍ବୋଦୟ ମଣ୍ଡଳ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଲୋହିଆ ଏକାଡେମି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଇନସାଫ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିସହ ପ୍ରଫୁଲ୍ଲ ସାମନ୍ତରାଙ୍କ ଭଳି ଜଣେ ବିଶ୍ଵ ପ୍ରସିଦ୍ଧ ପରିବେଶବିତଙ୍କ ଅପହରଣ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛି ସର୍ବୋଦୟ ଓ ମାନବ ଅଧିକାର ଗଣ ସଙ୍ଗଠନ ସମୂହ ।

Leave A Reply

Your email address will not be published.