Latest Odisha News

BREAKING NEWS

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ।
ପିଲାବେଳେ ତାଙ୍କ ପାଖରେ ଶୋଇ ମିକୁଲ ଅନେକ ଭଜନ ଜଣାଣ ଜାଣିଥିଲା । ସେମିତିରେ ତାର ଯେତିକି ପୌରାଣିକ ଜ୍ଞାନ ସବୁ ଜେଜେମାଙ୍କର ଅବଦାନ । ଆଜିକାଳିର ବ୍ୟସ୍ତ ବହୁଳ ଜୀବନରେ , ପୁରା ଦିନ ଭିତରେ ଥରେ ବି ଠାକୁରଙ୍କୁ ମନେ ପକେଇବା ସମ୍ଭବ ନୁହେଁ।
ହେଲେ ମିକୁଳର ଜେଜେମା ସମସ୍ତଙ୍କଠୁ ଅଲଗା। ଜେଜେମା ଯାହା କରିବେ ସବୁ ଠାକୁର ଙ୍କୁ ଲାଗି କରିବେ । ନୂଆ ଶାଢ଼ୀ ଟେ ପିନ୍ଧନ୍ତୁ କି ଚୁଡ଼ି ଦିପଟ , ଆଗ ଠାକୁରଙ୍କୁ ଛୁଆଁଇବେ । ଯେତେ ବେଳେ ଯାହା ଖାଇବେ ମନେ ମନେ ତାକୁ ବି ଭୋଗ ଲଗେଇବେ । ସବୁବେଳେ ଠାକୁର ସେବାରେ ଲାଗିଥିବେ । ଏମିତିକି ଅଠାଅଶୀ ବର୍ଷ ବୟସରେ ବି ଗୋବର ଖୋଜି ଆଣି ଘରର ମାର୍ବଲ ତୁଳସୀ ଚଉରା ଓ ଠାକୁର ଘରେ ଲିପିବେ । ଯେତେ ମନା କଲେ ମାନିବେ ନାହିଁ। ଓଲଟା କହିବେ ଗୋବର ଶୁଦ୍ଧ କରିବ ପରା।  ଗୋବରରେ ପୁଜିଲେ ଗୋବିନ୍ଦ ମିଳିବେ।

ଆଜି ହଠାତ ଜେଜେମାଙ୍କ ଦେହ ଖରାପ । ନିଶ୍ୱାସ ନେବାରେ ଭାରି କଷ୍ଟ । ସ୍ପଷ୍ଟ ଭାବେ କଥା ବି କହି ପାରୁନଥିଲେ ।
ଜେଜେମାଙ୍କୁ ଡାକ୍ତରଖାନା ନିଆହେଲା। ଡାକ୍ତର କହିଲେ ଆଡ଼ମିଟ କରିବାକୁ ହେବ। ଘରେ ସମସ୍ତଙ୍କ ମନ ଖରାପ । କିନ୍ତୁ ଜେଜେମା ସେମିତି ଥାଆନ୍ତି । ଟିକେ ବି ଡରୁନଥାନ୍ତି । ଜେଜେମାଙ୍କୁ କେବିନକୁ ନିଆ ହେଲା । ସାଲାଇନ ଆଉ ଇଂଜେକସନ ଆସିଲା। ଜେଜେମା ଚୁପ କରି ମିକୁଲ କୁ ଡାକିଲେ । ଧୀରେ ଧୀରେ ତା କାନରେ କହିଲେ , ସେ ଡାକ୍ତରାଣୀ କୁ ଟିକେ କହିଦେବୁ କି ମତେ ସେ ସାଲାଇନ ଆଉ ଇଂଜେକସନ ଦେବା ପୂର୍ବରୁ ଦି ଟୋପା ତଳେ ପକେଇ ଦେବ। ମିକୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଲା କାହିଁକି ? ଜେଜେମା କହିଲେ ଠାକୁରଙ୍କୁ ଲାଗି କରିବି। ତାଙ୍କୁ ନଦେଇ ମୁଁ କେମିତି ନେବି ଯେ। ମିକୁଲ ନିର୍ବାକ , ନିଶ୍ଚଳ ହୋଇ ଜେଜେମାଙ୍କୁ ଅନେଇଲା । ଜେଜେମାଙ୍କ ଈଶ୍ୱର ବିଶ୍ୱାସ ଆଗରେ ଆପେ ଆପେ ତାର ମୁଣ୍ଡ ନଇଁଗଲା। ମନେ ମନେ ଭାବିଲା , ଠାକୁରଙ୍କୁ କଣ ସାଲାଇନ ଆଉ ଇଂଜେକସନ ର ଭୋଗ ଦିଆଯାଇପାରେ ?

Leave A Reply

Your email address will not be published.