କୁଞ୍ଜ ବିହାରୀ ସାହୁ
ସକାଳର ସମୟ । ଆମ୍ବଗଛ ଚୁପଚାପ ଠିଆ ହେଇଥାଏ ଏକୁଟିଆ । ଚାହୁଁଥାଏ ଏପଟ ସେପଟ । ଅଳ୍ପ ଦୂରରେ ବାଉଁଶ ଗଛ ହାଇମାରୁଛି ଅଧା ବୁଢ଼ା ହେଇଯାଇଛି ବୋଲି । ସହଜରେ ତ ଡେଙ୍ଗା । ସରୁ ସରୁ ପତର । ଅଧା ଅଧା ପାଚିଯାଇଛି ।
କାଳେ ଆମ୍ବଗଛ ଶୁଣିପାରିବନି ଭାବି ଟିକେ ଜୋରରେ କହିଲା ଅଭିମାନୀ ବାଉଁଶଗଛ- ‘ଜାଣିଛ ଆମ୍ବ ଗଛ, ତୁମେ ସିନା ମୋଟାସୋଟା ହେଇଛ, ହେଲେ ତୁମକୁ କେହି ପଚାରୁନାହାଁନ୍ତି । ଏକୁଟିଆ ମନମାରି ବସିଛ । କେତେବେଳେ କୋଉ ବାଟୋଇ ଆସିଲେ ଥକ୍କାମାରି ବସିପଡ଼ୁଛି । ନୋହିଲେ ଯେଝା ବାଟରେ ଯିଏ ପଳେଇଯାଉଛନ୍ତି । ଏଇ ଦେଖୁନ ମୁ୍ଁ କେମିତି ଡେଙ୍ଗା ଦିଶୁଛି । ଚାଲିଲାଲୋକ ମୋ ଦେହକୁ ଆଉଁଷି ଦେଉଛନ୍ତି । ମୋ ଚାରିପଟେ ଛୋଟ ଛୋଟ ବାଉଁଶବୁଦା ରହିଛି । କିଛି ଦିନପରେ ସେମାନେ ବଡ଼ ହୋଇ ମୋଅରି ପରି ଖିଲିଖିଲି ହସିବେ । ବଡ଼ ବଡ଼ କଥା କହିବେ ।’
ଆମ୍ବଗଛ ଜାଣିଶୁଣି ଚୁପ ରହିଲା । ସେ ମନକୁ ମନ ବୁଝିପାରିଲା ବାଉଁଶଗଛର ଅଭିମାନ, ଆତ୍ମବଡ଼ିମା ।
ଆମ୍ବଗଛ ନୀରବିଯିବା ଦେଖି ବାଉଁଶ ଗଛ ଆଉ ଅଧିକା କିଛି କହିପାରିଲାନି ।
ସଞ୍ଜ ଗଡ଼ି ରାତି ହେଲା ।
ରାତି ପାହି ସକାଳ ଆସିଲା । ଆରମ୍ଭ ହେଇଗଲା ବାଉଁଶଗଛର ଫୁଟାଣି କଥା ।
ସବୁଦିନ ଏଇମିତି ଟାହିଟାପରା କରି ବାଉଁଶ ଗଛଟି ମଜା ନେଉଥାଏ । ଆମ୍ବଗଛ ତ ବିନୟୀ । ସେ ବାଉଁଶଗଛର କଥା ଧରେନି । ଭାବୁଥାଏ ସମୟ ହିଁ ସବୁଠୁ ବଳବାନ ।
କିିଛିଦିନ ବିତିଗଲା ।
ଖରାଦିନ । ବୈଶାଖ -ଜ୍ୟେଷ୍ଠ ମାସର ଖରା । ବାଉଁଶଗଛ ଶୁଖିଲା ଦିଶିଲା । ଆମ୍ବଗଛରେ ପାଚିଲାଆମ୍ବ ତଳକୁ ଓହଳିଲା । ବାସିଗଲା ବଣ ମୁଲକ।
ହଠାତ୍ ପାଖ ଗାଁର ଲୋକମାନେ ଟାଙ୍ଗିଆ, କୁରାଢ଼ି ଧରି ସେହି ଗଛଆଡ଼କୁ ମାଡ଼ିଆସିଲେ । ବାଉଁଶଗଛ ସେମାନଙ୍କୁ ଦେଖି ପରତେ ଗଲାନି । ଅଭିମାନ, ଗର୍ବରେ ମୁଣ୍ଡକୁ ଉଚ୍ଚାକରୁଥାଏ । ଲୋକମାନେ ପରସ୍ପର କଥା ହେଇ ବାଉଁଶଗଛକୁ କାଟିବା ଆରମ୍ଭ କରିଦେଲେ । ସେମାନଙ୍କର ଘର ତିଆରି କାମରେ ଲାଗିବ । ଗାଈ ଗୁହାଳ ବି ତିଆରି ହେଇଯିବ । ବିଚରା ବାଉଁଶ ଗଛ ନେହୁରା ହେଲା – ଆଜ୍ଞା ହଜୁର, ମୋତେ କାଟନି । ବହୁତ କଷ୍ଟ ହେଉଛି । ତୁମେମାନେ ଯାହା କହିବ, ଶୁଣିବି । ଲୋକମାନେ କିଛି ନ ଶୁଣି ଗଛଟିକୁ କାଟିଚାଲିଲେ । ଅଳ୍ପ ସମୟ ପରେ ବାଉଁଶଗଛ ଖଣ୍ଡ ଖଣ୍ଡ ହୋଇ ଭୂଇଁରେ ପଡ଼ିଲା ।
ଆମ୍ବଗଛ ଏସବୁ ଦେଖୁଥାଏ । ହସିଲାନି କି କିଛି କହିଲାନି । କିଛି ସମୟପରେ ତାଆରି ଆଡକୁ ଲୋକମାନେ ଆସିଲେ । ଗଛଛାଇ ତଳେ ବସିଗଲେ । ବାଉଁଶଲଗିରେ ଗଛଡାଳକୁ ନୁଆଁଇ ପାଚିଲା ଆମ୍ବ ତୋଳିଲେ । ମିଠା ଲାଗିଲା । ଆମ୍ବଗଛକୁ ଧନ୍ୟବାଦ ଦେଲେ । ଖୁସିରେ କହିଲେ – ‘ଫଳ ଭିତରେ ତୋ ଫଳ ହିଁ ରଜା । ତୋର ପତ୍ର, ଫଳ ସମସ୍ତଙ୍କର ଦରକାରୀ । ତୁ ଅଛୁ ବୋଲି ଏ ବଣଟା ଭଲ ଲାଗୁଛି । ଏବର୍ଷ କରୋନା ନାହିଁ ବୋଲି ଆମ ପିଲାମାନେ ତୋ ଡାଳରେ ରଜ ପର୍ବରେ ଦୋଳି ବାନ୍ଧିବେ । ଦୋଳି ଖେଳିବେ । ତୁ ଖୁସି ହେବୁ ତ !
ମୁଣ୍ଡ ନୁଆଁଇ ହଁ ମାରିଲା ଆମ୍ବଗଛ ।
ବାଉଁଶକୁ ଶଗଡ଼ରେ ବୁହାଇନେଲେ ଗାଁ ଲୋକମାନେ ।
ବିଚରା ବାଉଁଶଗଛଟି ବୃଥା ଅଭିମାନ କରୁଥିଲା । ଆମ୍ବଗଛକୁ ଛୋଟ ଭାବି ଟାହିଟାପରା କରୁଥିଲା । ଏବେ ତା ଜୀବନ ଗଲା ।
ଆମ୍ବଗଛ ବିନୟୀ ହେଇ ଚୁପ୍ ରହିଥିବାରୁ ଗାଁ ଲୋକମାନଙ୍କଠୁ ପ୍ରଶଂସା ପାଇଲା ।
ଏଲ.ଆଇ.ଜି ୧୫
ନୟାପଲ୍ଲି ବ୍ରିଟ୍ କଲୋନୀ
ଭୁବନେଶ୍ବର ୭୫୧୦୧୨
Comments are closed.