Latest Odisha News

ଜନମ ହେଲା ରସଗୋଲା

କାଇଁ କେତେ ଯୁଗ ତଳର ଘଟଣା ।
ସାରା ଓଡ଼ିଶା ମୁଳକରେ ସଡକ ବୋଲି କହିଲେ ସେତେବେଳେ ଥିଲା ଜଗନ୍ନାଥ ସଡକ । ତୀର୍ଥଧାମ କହିଲେ ଜଗନ୍ନାଥ-ପୁରୀ । ଅବଢ଼ା ବୋଇଲେ ଲୋକେ ମୁଣ୍ଡରେ ହାତ ଲଗାଇ କହୁଥିଲେ, ” ଭାଗ୍ୟରେ ଥିଲେ ତୁଣ୍ଡରେ ବାଜେ । ଦେବତାଙ୍କୁ ସୁଦ୍ଧା ଦୁର୍ଲଭ । ମଣିଷ ଜନ୍ମ ପାଇ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ କନିକାଏ ପାଟିରେ ବାଜିଲେ ଜୀବନ ସାର୍ଥକ ।” ପୁରୀ ଯାଇ ଠାକୁରଙ୍କୁ ଦର୍ଶନ କରିବାର ଥିଲା କାଠିକର ପାଠ ।

ଜଗନ୍ନାଥ ମହାପ୍ରଭୁଙ୍କୁ ଓଡ଼ିଆମାନେ କାଳିଆ ଠାକୁର କୁହନ୍ତି । ତାଙ୍କ ଦେଉଳର ନାଁ ବଡ଼ ଦେଉଳ । ଦାଣ୍ଡର ନାଁ ବଡ଼ଦାଣ୍ଡ । କେତେ ମିଠା,ମିଠେଇ; ଅନ୍ନ,ବ୍ୟଞ୍ଜନ । ସରପୁଳି, ଆରିସାଠାରୁ ଆରମ୍ଭ କରି ମଣ୍ଡା, କାକରା, ଏଣ୍ଡୁରି, କାନ୍ତି, କଡ଼ମ୍ବା, ଖଜା, କ୍ଷୀରିସା, ଗଜା, ଗଇଁଠା, ତାଡ଼ିଆ, ଚକୁଳି, ଡାଳିମ୍ବ, ପାପୁଡି, ପାରିଜାତକ ଆଦି ଏମିତି କେତେ କେତେ ତା’ର ହିସାବ ନାଇଁ।

ସୁଆରମାନେ ଠାକୁରଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରନ୍ତି । ସେଥିରେ ପୁଣି କେତେ ଜାତିର ସୁଆର । ବଡ଼ ସୁଆର, ମହାସୁଆର, ଅମାଲୁ ସୁଆର ଇତ୍ୟାଦି । ତାଙ୍କରି ମେଳରେ ଥାଆନ୍ତି ବାହାର ଦେଉଳି ସୁଆର । ଲକ୍ଷ୍ମୀ ଠାକୁରାଣୀଙ୍କ ଲାଗି ସେ ରନ୍ଧନ ପ୍ରସ୍ତୁତ କରନ୍ତି ।

ସେତେବେଳେ ଦାମୋଦର ମହାପାତ୍ର ଶ୍ରୀମନ୍ଦିରରେ ଥାଆନ୍ତି ବାହାର-ଦେଉଳି ସୁଆର । ତାଙ୍କ ହାତ ତିଆରି ମିଠା ଭାରି ପ୍ରସିଦ୍ଧ । ଲକ୍ଷ୍ମୀବିଳାସ, ରସାବଳୀ, ପୋଡ଼ପିଠା, ମାଣ୍ଡୁଅ, କ୍ଷୀରମୋହନ ତିଆରି କରିବାରେ ସେ ବେଶ ପାରିବାର । ପଣ୍ଡା, ପଢ଼ିଆରୀ କହନ୍ତି ଠାକୁରମାନେ କୁଆଡେ ଚାହିଁ ବସିଥାଆନ୍ତି ତାଙ୍କ ମିଠା ଖାଇବାକୁ ।
ଦାମୋଦର ମହାପାତ୍ରଙ୍କର ଥାଏ ଗୋଟିଏ ଗେଲ୍ହା ନାତୁଣୀ । ନାଁ ତାର ରସବତୀ ।ଜେଜେଙ୍କ ସାଙ୍ଗରେ ସେ ସବୁବେଳେ ଖଟରମଟର ହେଉଥାଏ । ଏଥିରେ ଲାଗେ ସେଥିରେ ଲାଗେ । ଦରକାର ବେଳେ ସାହାଯ୍ୟ ଭି କରେ । ହାତ ପାଖକୁ କ’ଣ ଚିକଟାଏ ଦରକାର ପଡ଼ିଲେ, ଦାମ ମହାପାତ୍ର ଡାକ ଛାଡ଼ନ୍ତି- “ମା’ ଏଇଟା କି ସେଇଟା ଦେଇଗଲୁ ।”

ମହାପାତ୍ରେ ଭାରି ନୈଷ୍ଠିକ । ନୀତି ନିୟମରେ ଚଳନ୍ତି । ନ ଗାଧୋଇଥିଲେ କିଛି ରୋଷେଇ ଦରବ ଛୁଅଁନ୍ତି ନାହିଁ। ଠାକୁରଙ୍କୁ ପୂଜା କଲାଭଳି, ମଠାଲୁଗା ପିନ୍ଧି ରୋଷେଇ କରନ୍ତି ।

କ୍ଷୀରରୁ ଛେନା ତିଆରି କରିବା ତାଙ୍କୁ ବେଶ ଜଣା । କେଡ଼େ ସୁନ୍ଦର ଧୋବ ଫରଫର ଛେନା ତିଆରି କରି ସେ ମାଣ୍ଡୁଅ, କ୍ଷୀରମୋହନ, ରସାବଳୀ ତିଆରି କରନ୍ତି । ରସବତୀ ଯେତେ ପରିଷ୍କାର, ପରିଛନ୍ନ ହୋଇ ଗାଧୋଇ ପାଧୋଇ ଆସିଲେ ବି ତାକୁ ହାତ ମାରିବାକୁ ଦିଅନ୍ତିନି । ଠାକୁରଙ୍କ ରୋଷେଇରେ ସ୍ତ୍ରୀ ଲୋକ ପଶିବା ମନା । ହେଲେ ରସବତୀ ତ ଛୋଟିଆ ଝିଅଟିଏ । ସେ ସିନା ଆସି ପାଖରେ ବସେ, ତାକୁ କିନ୍ତୁ ଜେଜେ କହିଥାନ୍ତି “ସାବଧାନ! କେଉଁ କଥାରେ ହାତ ଲାଗେଇବୁନି ।”

ରସବତୀ ସବୁ ଦେଖେ। ତା ମନରେ କୌତୁହଳ ହୁଏ । ସିଏ ବି ପ୍ରସାଦ ରାନ୍ଧଣା । କେତେ କଥା ସେ ପଚାରେ ଜେଜେଙ୍କୁ । ଥରେ କ’ଣ ମନହେଲା ସେ ପଚାରିଲା- ଜେଜେ ତମେ ତ କ୍ଷୀରରୁ ଛେନା କରୁଚ ପୁଣି କ୍ଷୀର ମନକୁ ମନ କେତେବେଳେ ଛିଣ୍ଡିଯାଇ ଛେନା ହୋଇଗଲେ ଫୋପାଡ଼ି ଦେଉଛ କାହିଁକି?

ମହାପାତ୍ରେ ନାତୁଣୀ କଥା ଶୁଣି ହସିଦେଲେ। କିଛି କହିଲେନି। ରସବତୀ ପୁଣି ପଚାରିଲା । ମହାପାତ୍ରେ କହିଲେ ଥାଉ! ତୁ ସେଥିରୁ କଣ ପାଇବୁ?

ହେଲେ ରସବତୀ ଛାଡ଼ିବାର ପିଲା ନୁହଁ। ସେ କହିଲା ଏ ଛେନା ସେ ଛେନା ଭଳି । ତମେ ଫୋପାଡ଼ି ଦେଉଛ କିଆଁ।

ମହାପାତ୍ରେ ସେଇଠୁ କହିଲେ- ” ମନକୁ ମନ ସେ କ୍ଷୀର ଛିଣ୍ଡିଗଲା ମାନେ ସେ କ୍ଷୀରର ଦୋଷ ଅଛି । ନ ହେଲେ ଛିଣ୍ଡନ୍ତା ନାହିଁ । ସେଇଥିପାଇଁ ତାକୁ ଛିନ୍ନ କୁହାଯାଏ । ସେମିତିକା ଛେନା ବ୍ୟବହାର କରି ଠାକୁରଙ୍କ ଲାଗି ପ୍ରସାଦ ତିଆରି କରିବା ମନା । ହେଲେ ଗରମ କ୍ଷୀରରେ ଦହି ଦେଇ ଆମେ ଯେଉଁ ଛେନା ତିଆରି କରୁଛେ ତାହା ଶୁଦ୍ଧ ଛେନା । ସେଥିରେ ଦୋଷ ନାହିଁ ବୁଝିଲୁ? ସେଇଟା ଅଶୁଦ୍ଧ ଛେନା, ଏଇଟା ଶୁଦ୍ଧ ଛେନା ।

ରସବତୀ ବୁଝିଗଲା । ଜେଜେମା ଭି ଛିଣ୍ଡିଯାଇଥିବା କ୍ଷୀରକୁ ଫଟାକ୍ଷୀର କହି ଫୋପାଡ଼ି ଦିଅନ୍ତି । କାହାକୁ ଖାଇବାକୁ ଦିଅନ୍ତି ନାହିଁ।

ଏବେ ଛେନା ତିଆରି ହଵା ଦେଖିଲେ ରସବତୀ କ୍ଷୀର ହାଣ୍ଡିକୁ ଚାହିଁ ରହେ । କେମିତି କ୍ଷୀରରୁ ଛେନା ଆପେ ଆପେ ତିଆରି ହେଉଛି ତାହା ବସି ବସି ଦେଖେ ।

ପୁରୀରେ ବାହୁଡ଼ା ଯାତ୍ରା ସରିବା ସରିବା ହେଉଥାଏ । ଦାମୋଦର ମହାପାତ୍ର ଛେନା ତିଆରି କରିସାରି ତାକୁ ଗୋଟିଏ ପାତ୍ରରେ ରଖିଥାନ୍ତି । କନାବନ୍ଧା ହୋଇ ତା’ ଦେହରୁ ସବୁ ପାଣି ନିଗିଡ଼ି ଯାଇଥାଏ । କ’ଣ କାମ ପଡ଼ିଲା ବୋଲି ସେ ଟିକେ ବାହାରକୁ ଚାଲିଗଲେ । ଏତିକିବେଳେ ସେଇ ଛେନାରୁ କିଛି ଆଣି ରସବତୀ ବାଟି ଭଳି ଗୋଲ ଗୋଲ କରି ଖେକିବାକୁ ଲାଗିଲା । ଚୁଲିରେ ବସିଥାଏ କ୍ଷୀର ହାଣ୍ଡି । ଜେଜେ କହିଥାନ୍ତି- “ଚୁଲିକୁଚାହିଁଥା । କ୍ଷୀର ଫୁଲି ଉଠିଲେ ଜାଳେଣି ଝଟକ କରି କାଢ଼ିଦବୁ ।” ରସବତୀ ଭୁଲିଯାଇଥାଏ ଯେ ଛେନାରେ ହାତମାରିବାକୁ ଜେଜେ ସବୁବେଳେ ମନା କରନ୍ତି ।

ହଠାତ ମହାପାତ୍ରେ ପଶି ଆସିଲେ ଭିତରକୁ ।

ଡରିଗଲା ରସବତୀ । ଛେନାରେ ଲାଗିଥିଲା ବୋଲି ଜେଜେ ଜାଣିଦେବେ ସେଥିପାଇଁ ତରବରରେ ଛେନା ଗୁଳା ଚାରିଟାକୁ ପକେଇଦେଲା କ୍ଷୀର ହାଣ୍ଡି ଭିତରକୁ ।

ଏମିତି କେତେବେଳ ଗଲା । ରସବତୀ ଆଉ ସେଠି ନଥାଏ । ଡରି ହରି ପଳେଇଥାଏ କୁଆଡେ । ଏଣେ ମହାପାତ୍ରେ ହାଣ୍ଡିରୁ କ୍ଷୀର କାଢ଼ିବାକୁ ଯାଇ ଦେଖିଲେ କ’ଣ ଚାରୋଟି ଗୋଲ ଗୋଲ ଗୋଲ ପଦାର୍ଥ କ୍ଷୀରରେ ଭାସୁଛି । ଚମକି ପଡିଲେ ସେ । କ’ଣ ଇଏ ? ଡର ଲାଗିଲା । ଆହା ଏତେ କ୍ଷୀର ନଷ୍ଟ ହୋଇଗଲା ସିନା ।

କ’ଣ ଏଇ ଚାରିଟା ? ରସବତୀ କାଇଁ ?
ରସବତୀ ଆଉ ସେଠି ଥିଲା ଯେ ଦେଖା ମିଳିବ ।

ଛେନାକୁ ଚାହିଁଲାବେଳକୁ ସେଥିରୁ କିଛି ଖଣ୍ଡିଆ ହୋଇଛି । ସେ ବୁଝିଗଲେ, ଇଏ ରସବତୀର କାମ । ରାଗିଗଲେ ମହାପାତ୍ରେ । ରଡି ପକେଇ ଡାକିଲେ ରସବାତୀକୁ । କେତେବେଳେକୁ ଡରିମରି ଆସିଲା ରସବତୀ । ଭୟରେ ବରଡ଼ା ପତ୍ର ଭଳି ଥରୁଥାଏ ସେ ।

ନାତୁଣୀ ଆସି ପହଞ୍ଚିବା ପରେ ମହାପାତ୍ରେ ଶାନ୍ତ ହୋଇଗଲେ । ଅନୁଶୋଚନା କରି କହିଲେ, “ଏତେ କ୍ଷୀର, ଏତେ ଛେନା ନଷ୍ଟ କରିଦେଲୁ?”

ରସବତୀ ବିଚାରୀ କ’ଣ ଆଉ କହନ୍ତା ? ଖାଲି କଇଁ କଇଁ ହୋଇ କାନ୍ଦି ଉଠିଲା ।

ଦାମୋଦର ମହାପାତ୍ରେ ଛେନାଗୁଳା ଗୁଡ଼ିକୁ ବାହାର କରି ଥାଳିରେ ଥୋଇଲେ । ଗୁଳାଗୁଡ଼ିକ ବଡ଼ ଶୋଭାବନ୍ତ ଦିଶୁଛି । ଶ୍ୱେତ-ଶୁଭ୍ର, ଗୋଲ ଗୋଲ । ହାତମାରି ଦେଖିଲେ କେଡ଼େ ସୁନ୍ଦର ନରମ । ଆଉ ଫୋପାଡିବେ କ’ଣ ଭାବି ଘରକୁ ଆଣି ଆସିଲେ ସେତକ । ଭାବିଲେ ନବାତ ପାଣିରେ ଗୁଳାଗୁଡିକୁ ସିଦ୍ଧ କରିଦେଲେ ତାହା ଏକ ଦିବ୍ୟସୁନ୍ଦର ମିଷ୍ଟକରେ ପରିଣତ ହୋଇପାରିବ ।

ପରଦିନ ସେଇଭଳି କିଛି ଛେନାଗୁଳାକୁ ନବାତ ସିରାରେ ସିଦ୍ଧ କରି ଦାମୋଦର ମହାପାତ୍ରେ ପହଞ୍ଚିଲେ ରାଜଙ୍କ ପାଖରେ । ଅନୁନୟ କରି କହିଲେ- “ଛାମୁଙ୍କ ମଣହି ସକାଶେ ଏକ ରାଜଭୋଗ ମିଷ୍ଟକ ମୁଁ ପ୍ରସ୍ତୁତ କରିଛି । ମଣିମାଙ୍କର ପସନ୍ଦ ହେଲେ ଏ ସେବୟତର ଶ୍ରମ ସାର୍ଥକ ହୁଅନ୍ତା ।”

ରାଜା ପ୍ରଥମେ ଭାବିଲେ, ଏ ତ ଠାକୁରଙ୍କ ସୁଆର । ନିଶ୍ଚୟ କିଛି ନୂଆ କଥା କରି ଭେଟି ଦେବାକୁ ଆଣିଛନ୍ତି । ଖାଇବା ପଦାର୍ଥ । ଅନ୍ୟଦ୍ୱାରା ପରୀକ୍ଷିତ ନ ହେବାଯାଏ ତାକୁ ଗ୍ରହଣ କରିପାରିବେନି । ତହୁଁ ଚଖା-କରଣଙ୍କୁ ତଲବ ହେଲା । ସେ ଆସି ଗୋଟିଏ ମିଠା ଚାଖିଲେ । ନିଜ ଅଜାଣତରେ ଆନନ୍ଦରେ ଆଃ’ଟାଏ ବାହାରିଗଲା ମୁହଁରୁ । ସେ ନିଜେ ଭି ଚମକି ପଡିଲେ । ଗଜପତି ମହାରାଜଙ୍କ ସାମନାରେ ଏମିତି ଶବ୍ଦ କରିବା ଅନୁଚିତ । ସେଇଠୁ ମୁଣ୍ଡ ତଳକୁ କରି ସେ କହିଲେ, ” ମହାରାଜ ମୋର ଅସୌଜନ୍ୟ ଉଚ୍ଚାରଣ ପାଇଁ କ୍ଷମା କରିବେ । ହେଲେ ମହାପାତ୍ରେ ଏ ଯେଉଁ ପଦାର୍ଥ ଆଣିଛନ୍ତି ତା’ର ସ୍ୱାଦ ଅନୁପମ, ବିରଳ । ଏହା କେବଳ ମଣିମାଙ୍କ ସକାଶେ ଯୋଗ୍ୟ ।”

ଗଜପତି ଆଶ୍ଚର‌୍ୟ୍ୟ ହୋଇ ଚାହିଁଲେ ମିଠାଭରା ପାତ୍ରଟିକୁ । କ’ଣ ମନହେଲା ସେଇଭଳି ସିଂହାସନରେ ବସି ସିରାଗୋଳା ଗୋଟିଏ ଛେନାଗୋଳା ଗୋଟିଏ ସେ ପାଟିକୁ ପକେଇଦେଲେ । ମୁହଁ ଝଲସି ଉଠିଲା ତାଙ୍କର । ଆଖି ବଡ଼ ହୋଇଗଲା । ପାଟିରୁ ବାହାରି ପଡ଼ିଲା, ବାଃ !

ସଭାପଦ ସମସ୍ତେ ଚାହିଁଥାନ୍ତି ।

ରାଜା ପଚାରିଲେ ମହାପାତ୍ରେ ଏ ପଦାର୍ଥର ନାଁ କ’ଣ ?
ହଡ଼ବଡେଇ ଗଲେ ଦାମୋଦର ମହାପାତ୍ରେ । ରସବତୀ ନାଁ ଟା ପଶି ଆସିଲା ମୁହଁକୁ । ସେଇ ତ ଏ ଛେନାଗୋଲା କରି କ୍ଷୀରରେ ଶିଝେଇଥିଲା। ସେ କହି ପକେଇଲେ- ଆଜ୍ଞା, “ରସଗୋଲା” । ନାଁ ଟା ଶୁଣି ରାଜା ଖୁସିରେ ତାଳି ମାରିଦେଲେ । ସଭାରେ ଯେତେ ଯିଏ ଥିଲେ ସେମାନେ ଭି ତାଳି ମାରିଲେ । ଆନନ୍ଦରେ ରାଜା ବରାଦ କଲେ, “ଠିକ ଅଛି ମହାପାତ୍ରେ, ଆମ୍ଭ ମଣୋହି ସକାଶେ ଏଣିକି ଏ ପ୍ରକାର ମିଠା ପ୍ରସ୍ତୁତ କରାଯିବ ।”

ଏହା କହି ସେ ଦାମୋଦର ମହାପାତ୍ରଙ୍କୁ ପାଞ୍ଚଗୋଟି ସ୍ବର୍ଣ୍ଣମୁଦ୍ରା ଉପହାର ଦେଲେ ।

ସେଇଦିନ ରାତିର କଥା । ରାଜା ନିଘୋଡ଼ ନିଦରେ ଶୋଇଥାନ୍ତି । ହଠାତ ସ୍ୱପ୍ନରେ ଦେଖିଲେ ଲକ୍ଷ୍ମୀ ଠାକୁରାଣୀ ସ୍ୱୟଂ ଆସି ସାମନାରେ ବିଜେ ହୋଇଛନ୍ତି । ହସି ହସି କହୁଛନ୍ତି- “ରାଜା ! ତୁମେ କ’ଣ ଜାଣିନାହଁ ମୋର ଛେନା ମିଠାରେ ବଡ଼ ସରାଗ ବୋଲି? ମୋ ସୁଆର ଯାହା ନେଇ ତୁମକୁ ଦେଲେ ତାହା ତୁମେ ମତେ ପ୍ରଥମେ ଅର୍ପଣ କରିବା ଉଚିତ ଥିଲା । ”

ଗଜପତି ରାଜା ହାତଯୋଡ଼ି କ’ଣ କହିବାକୁ ଯାଉଛନ୍ତି ଲକ୍ଷ୍ମୀମାଆ କୁଆଡେ ଉଭାନ ହୋଇଗଲେ । ଧଡ଼ପଡ଼ ହୋଇ ଉଠି ବସିଲେ ସେ ।

ସେଇଦିନୁ ରସଗୋଲା ତିଆରି ହେଉଛି ପୁରୀରେ । ନୀଳାଦ୍ରିବିଜେ ବେଳେ ଲକ୍ଷ୍ମୀଙ୍କଠାରେ ଭୋଗ ହେଉଛି ।ସମସ୍ତେ ଜାଣିଛନ୍ତି ମହାଲକ୍ଷ୍ମୀଙ୍କର ରସଗୋଲାରେ ଆନନ୍ଦ ।

ଦାମ ମହାପାତ୍ରେ କୁଆଡ଼େ ଗଲେଣି । ରସବତୀ ନାଁ ସୁଦ୍ଧା ହଜିଗଲାଣି । ହେଲେ ରସଗୋଲା ଅଛି ଓ ରହିଥିବ ।

Leave A Reply

Your email address will not be published.