କୁଞ୍ଜ ବିହାରୀ ସାହୁ
ଗାଁରୁ ସହର ଆସିଛି ରୀତୁ ତା ବାପାଙ୍କ ସାଥୀରେ । ଗାଁର ଓଡିଆ ମିଡ଼ିୟମରେ ପଢ଼ୁଥିଲା । ହେଲେ ସହରକୁ ଆସିଲା ପରେ ତା’ ବାପା ଇଂଲିଶ ମିଡିୟମରେ ନାଁ ଲେଖେଇଦେଲେ । ନୂଆ ସ୍କୁଲ, ନୂଆ ପୋଷାକ ପିନ୍ଧି ସ୍କୁଲକୁ ଗଲା । ପ୍ରଥମେ ଟିକେ ଟିକେ ଅଡ଼ୁଆ ଲାଗୁଥିଲା । ଏବେ ଠିକ୍ ଠାକ୍ ଲାଗୁଛି । ଇଂରାଜୀ ମିଡିୟମରେ ପଢ଼ିଲେ ବି ଓଡ଼ିଆ ମାତୃଭାଷାକୁ ବେଶ୍ ଭଲପାଏ ରୀତୁ । ଦିନେ ସନ୍ଧ୍ୟାବେଳେ ଘର ପାଠ ପଢ଼ା ସାରି କବିତାଟିଏ ଲେଖିଲା ।
ଆମ ମାତୃଭାଷା ଆମରି ଭରଷା
କରିଛି ଆମକୁ ଏକ,
ଏ ମାଟି ସନ୍ତାନ ହୋଇଛୁ ମହାନ
ରହିଛି ଆମରି ଟେକ ।
ରୀତୁର ବାପା କହିଲେ ଆଲୋ ଝିଅ, ସ୍କୁଲରେ ପାଠ ଦିଆହେଇଥିବ, ସେ ପାଠ ସାରିଲୁଣି ନା ନାହିଁ ! ଏଇଟା କଅଣ ଗାଁ ସ୍କୁଲ ହେଇଛି ନା ଓଡ଼ିଆ ମିଡ଼ିୟମ ହେଇଛି ଯେ ତୁ ସ୍କୁଲ ପାଠ ନ ପଢ଼ି ଓଡ଼ିଆରେ କବିତା ଲେଖିବା ଆରମ୍ଭ କରୁଛୁ ।
ରୀତୁ କହିଲା – ବାପା, ସ୍କୁଲ ପାଠ ସାରିଦେଇଛି । ମୁଁ ପରା ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ତେଣୁ ଓଡ଼ିଆରେ କବିତା ଲେଖୁଛି । ତୁମେ ତ କଲେଜରୁ ଆସି ମୋତେ ପାଠ ବୁଝେଇଲା ପରେ ଓଡ଼ିଆରେ କବିତା ଲେଖୁଛ । ଇଂରାଜୀର ଅଧ୍ୟାପକ ହୋଇ ତୁମେ କବିତା ଲେଖୁଛ । ପତ୍ରପତ୍ରିକାରେ ଛପା ହେଉଛି , ମୁଁ କଅଣ ଓଡ଼ିଆରେ କବିତା ଲେଖିବିନି ।
ରୀତୁର ବାପା ଜାଣିପାରିଲେ ଯେ ତାଙ୍କ ଝିଅ ଭଲ କବିତା ଲେଖିପାରୁଛି । ସେ ତ ସମୟ ନଷ୍ଟ କରୁନି । ସ୍କୁଲ ପାଠ ସାରି ବଳକା ସମୟରେ କବିତା ଲେଖୁଛି, ଭଲ କଥା । ରୀତୁ କହିଲା – ବାପା… ବାପା, ମୁଁ ସିନା ଇଂଲିଶ ମିଡ଼ିୟମରେ ପାଠ ପଢ଼ୁଛି, ହେଲେ ଓଡ଼ିଆରେ କବିତା ଲେଖିବା ମୋର ରୁଚି ରହିଛି । ଆମ ସ୍କୁଲର ସ୍ମରଣିକା ପାଇଁ ମୋତେ ଲେଖା ମାଗିଛନ୍ତି, ତେଣୁ ମୁଁ ଇଂରାଜୀରେ ନ ଲେଖି ଓଡ଼ିଆ କବିତା ଲେଖୁଛି । ମୋ କବିତା ଭଲ ଲାଗୁନି କି ବାପା !
ହଁ ଲୋ ଝିଅ,ତୋ କବିତାର ପ୍ରଥମ ପଦ ବଢ଼ିଆ ହେଇଛି । ମାଟି ମା’ କୁ ଭଲ ପାଇବା, ନିଜ ଭାଷାକୁ ଭଲ ପାଇବା ଉଚିତ୍ । ତୁ ଓଡ଼ିଆ ଘରର ଝିଅ, ଓଡ଼ିଆରେ କବିତା ଲେଖି ନାଁ କର । ମୁଁ ବହୁତ ଖୁସି ହେବି ।
ରୀତୁ ତା ବାପାଙ୍କଠୁ ପ୍ରେରଣା ପାଇ ଖୁସିରେ ନାଚିଲା । ତା ଅଧା ଲେଖା କବିତାକୁ ଶେଷ କରିବାକୁ ଲାଗିଲା । ଲେଖିଲାବେଳେ ବହୁତ କଥା ଭାବୁଥାଏ । କେମିତି କବିତା ଲେଖା ହେବା ଦରକାର, ତା ବାପାଙ୍କଠୁ ଶିଖିଛି । ଲେଖିଲାବେଳେ ତା ମା ଡାକିଲେ – ଆ ଝିଅ ଖାଇବୁ ଆ, ରାତି ହେଲାଣି ପରା । ସକାଳେ ଉଠି ସ୍କୁଲକୁ ଯିବୁ ।
ହଁ ଯାଉଛି ମା, ରୀତୁ ଅନ୍ୟମନସ୍କ ହୋଇ କହିଦେଲା । କବିତା ଲେଖା ନ ସରିଲେ କେମିତି ଯେ ଖାଇବ ! ମନକୁ ଯୋଉ ଶବ୍ଦ,ପଦ ଆସୁଛି ଖାଇସାରିବା ପରେ କ’ଣ ମନେପଡ଼ିବ !
ଆଲୋ ଝିଅ, ଖାଇବା ପରା ବଢାହେଲାଣି । ଥଣ୍ଡା ହେଇଯିବ । ମେଘୁଆ ପାଗ, ଥଣ୍ଡା ହେଇଗଲେ ଖାଇବାକୁ ଭଲ ଲାଗିବନି । ତୋ ଦେହ ଭଲ ନାହିଁ, ରାତି ଅନିଦ୍ରା ହେଲେ ଦେହ ବେଶୀ ଖରାପ ହେଇଯିବ ।
ରୀତୁ କବିତା ଲେଖିଲା ପରେ ତା ବାପାଙ୍କୁ ଦେଖାଇଲା । ବାପା ଆଉ ଟିକେ ସଜାଡ଼ିଦେଲେ । କହିଲେ- ବଢିଆ ହେଇଛି । ସତରେ ତୁ ଓଡ଼ିଆ ମାତୃଭାଷାକୁ ଭଲପାଉଛୁ । ମୋର ବିଶ୍ୱାସ ଏ କବିତାଟି ତୁମ ସ୍କୁଲର ସ୍ମରଣିକାରେ ନିଶ୍ଚୟ ପ୍ରକାଶ ପାଇବ ।
ଆ, ତୋ ମା’ ଡାକିଲାଣି ଖାଇବାକୁ, ରାତି ଵି ଅଧିକ ହେଲାଣି । ସମସ୍ତେ ସାଥୀ ହୋଇ ଖାଇବା ।
ରୀତୁ କାଲି ପାଇଁ ବହିବସ୍ତାନି ସଜାଡ଼ି ତା ବାପା ମା ସହ ଭୋଜନ କଲା । ତା ମା ରୀତୁର ମୁଣ୍ଡକୁ ଆଉଁଷି କହିଲେ – ବାପାର ଗୁଣ ଆଣିଛି ଆମର ଗେହ୍ଲା ଝିଅ ରୀତୁ । ବଡ଼ ହୋଇ କବୀ ହେବ । ସଭିଙ୍କର ନାଁ ରଖି ପୁରସ୍କାର ପାଇବ ।
ଭୁବନେଶ୍ବର
୭୦୦୮୧ ୪୨୦୪୦
Comments are closed.