ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପ୍ରାୟ ଅଧମିନିଟ୍ର ନୀରବତା ପରେ କଥା ଆରମ୍ଭ କଲାବେଳକୁ ତାଙ୍କ କଣ୍ଠସ୍ୱର ଥରୁଥାଏ । “ଏ ତ ଖୁବ୍ ଭୟଙ୍କର କଥା । ସେ ପିଲାମାନଙ୍କୁ ମୁଁ ଭଲଭାବରେ ଜାଣି ନ ଥିଲେ ବି, ମତେ ବହୁତ ଦୁଃଖ ଲାଗୁଛି । ମୁଁ ଏବେ ଭାବିପାରୁନି ଯେ ବୀରା ଏବେ କେମିତି ଥିବ!”
“ହଁ, ମୁଁ ଜାଣେ ମମ୍,” ରୋହାନ୍ କହିଲା । “ଠିକ୍ ଅଛି । ତୁ ବ୍ୟସ୍ତ ହଅନା । ଆମେ ସବୁ ବ୍ୟବସ୍ଥା କରି ଦେଇଛୁ ।
ତୋ ଡାଡ଼୍ ଯାଇ ତୁମ ଦୁହିଁଙ୍କୁ କେପ୍ଟାଉନ୍ରୁ ନେଇଆସିବେ ।” ରୋହାନ୍ ଯାହା ଇଚ୍ଛା କରୁଥିଲା
ସେକଥା କେମିତି କହିବ ବୋଲି ଆଗପଛ ହେଉଥାଏ । ବୀରାର କେହି ବି ସମ୍ପର୍କୀୟ ଏପର୍ଯ୍ୟନ୍ତ ଦିଲ୍ଲୀରୁ ଆସି ତାକୁ ନେଇଯିବା କଥା କହି ନାହାନ୍ତି । ରୋହାନ୍ ବି ମୁହୂର୍ତ୍ତକ ପାଇଁ ଭାବିଥିଲା, ବୀରାଠୁ ତା’ ସମ୍ପର୍କୀୟଙ୍କ ଫୋନ୍ ନମ୍ବର ଆଣି ଯୋଗାଯୋଗ କରିବାକୁ । କିନ୍ତୁ ପରେ ସେ, ସେ ଯୋଜନାରୁ ଓହରି ଯାଇଥିଲା ।
ସବୁ ଦ୍ୱନ୍ଦ୍ୱ ଅତିକ୍ରମ କରି ଏଥର ରୋହାନ୍ କହିଲା, “ମମ୍ ତମେ ଜାଣିଛ… ବୀରାର କେହି ବି ସମ୍ପର୍କୀୟ ତାକୁ ଦିଲ୍ଲୀ ନେଇଯିବା ପାଇଁ ଏପର୍ଯ୍ୟନ୍ତ ଯୋଗାଯୋଗ କରିନାହାନ୍ତି । ତେଣୁ ମୁଁ ଭାବୁଥିଲି ଆମେ ଯଦି… ।”
ରୋହାନ୍ କହିବାକୁ ଚାହୁଁଥିବା କଥା ଯେମିତି ତା’ ମମ୍ ବୁଝିପାରିଲେ । ତା’ କଥା ଛଡ଼େଇ ନେଇ କହିଲେ, “ହଁ ହଁ, ନିଶ୍ଚୟ ପୁଅ । ବୀରାକୁ ଆମ ସାଂଗରେ ନେଇ ଆସିବା । ମୁଁ ବି ଇଚ୍ଛା କରୁଛି ତାକୁ ଆମ ଘରକୁ ନେଇ ଆସିବାକୁ । ତୋ ଡାଡ଼୍ଙ୍କ ସହ ମୁଁ ଏ ବିଷୟରେ କଥା ହେବି ।”
ଖୁସି ହୋଇଯାଇ ରୋହାନ୍ ତା’ ମା’ଙ୍କୁ ଧନ୍ୟବାଦ ଜଣାଇ କହିଲା, “ଆଚ୍ଛା, ମୁଁ ଏବେ ଡାଡ଼୍ଙ୍କ ସହ କଥା ହୋଇପାରିବି? ସପ୍ତାହେ ହେଲା ମୁଁ ତାଙ୍କ ସହ କଥା ହୋଇପାରିନି ।”
“ନାଇଁରେ ରୋହାନ୍, ତୋ ଡାଡ଼୍ ଏବେ ଏବେ ଅଫିସ୍ ପଳେଇଲେ । ବ୍ୟସ୍ତ ହଅନା । ମୁଁ ଖୁବ୍ ଶୀଘ୍ର ତାଙ୍କୁ ତୋ ସହ କଥା କରେଇଦେବି । ସେ ବି ବହୁତ ବ୍ୟସ୍ତ ହେଉଥିଲେ । ଆଚ୍ଛା, ସିଡ଼୍କୁ ଟିକେ ଫୋନ୍ ଦେଲୁ ।”
କ୍ରମଶଃ
Comments are closed.