Latest Odisha News

ଶିଶୁ ଗଳ୍ପ : ପୁପୁନିର ଶୀତ ସକାଳ

କୁଞ୍ଜ ବିହାରୀ ସାହୁ

ଆଜି ରବିବାର । ପୁପୁନି ଆରାମରେ ଶୋଇଛି । ସକାଳୁ ଉଠିପଡ଼ି ତା’ ବୋଉ ପୁପୁନିର ଦେହ ଉପରେ କମ୍ବଳ ଘୋଡ଼େଇଦେଲେ । ଭାବିଲେ – ଆଜି ତ ରାବିବାର ସ୍କୁଲ ଛୁଟି । ବାହାରେ ସିରିସିରି ପବନ ବୋହୁଛି । ବୁଲିଲେ ଦେହରେ ଥଣ୍ଡା ପଶିଯିବ । ପୁପୁନି ତ ଗେଲବରଷର । ତା ଦେହ ବିଗିଡ଼ିଗଲେ ମନ କଷ୍ଟ ହେବ । ଶୋଇଥାଉ ପୁପୁନି ।

କବାଟ ଝରକାକୁ ନ ଖୋଲି ନିଜେ ରୋଷେଇ ଘରକୁ ଆସିଲେ ପୁପୁନିର ବୋଉ ।

ଚା’ ବସେଇଲେ । ଅଦା ମିଶା ନାଲି ଚା କପେ ପିଇଦେଲେ ମନ ତାଜା ଲାଗିବ । ପୁପୁନିର ବାପା ବି ନାଲି ଚା ପିଇଦେଲେ । କହିଲେ – ପୁପୁନି କ’ଣ ନିଦରୁ ଉଠିନି କି । ଏତେ ସମୟ ଶୋଇଛି,ଅଳସୁଆ ହୋଇଯିବ । ଶୀତଦିନେ ବେଶୀ ସମୟ ଶୋଇଲେ ଅଳସ ଲାଗିବ । ଦେଖୁନ ଦେଖୁନ ପୁପୁନି ବୋଉ – ଆମ କଲୋନୀର ଛୋଟ ଛୋଟ ପିଲାମାନେ ଚାଲିଚାଲି ଖେଳପଡ଼ିଆକୁ ଯାଉଛନ୍ତି । ସେମାନେ ସେଇଠି ବ୍ୟାୟାମ କରିବେ । ଦୈାଡ଼ିବ । ଖୋଲା ପଡ଼ିଆ । ନିର୍ମଳ ପରିଵେଶ । ବିଶୁଦ୍ଧ ପବନ । ସେମିତି ଜାଗାରେ ବ୍ୟାୟାମ କଲେ ଦେହରୁ ଝାଳ ବାହାରିଯିବ, ଦେହ ତାଜା ଲାଗିବ ।

ପୁପୁନିର ବୋଉ କ୍ଷଣିକ ଦାଣ୍ଡ ଦୁଆରରେ ଠିଆହେଲେ । ହଁ.. ସତରେ ପୁପୁନି ପରି ଛୋଟ ଛୋଟ ପିଲାଏ ଯାଉଛନ୍ତି । ଖିଲିଖିଲି ହସୁଛନ୍ତି । ସିରିସିରି ପବନରେ ବୁଲୁଛନ୍ତି । ସେମାନଙ୍କର ଦେହ ଠିକ୍ ଅଛି । ଆମ ଗେହ୍ଲା ପୁଅ ପୁପୁନି ଯେ ଶୋଇଛି !!

ପୁପୁନିର ବୋଉ ବୁଝିପାରିଲେ । ଶୀତକୁ ଡରିଲେ ଶୀତ ଆମକୁ ବେଶି ଡରେଇବ । ସକାଳୁ ଉଠି ବ୍ୟାୟାମ କଲେ, ଚଲାବୁଲା ଧାଁ ଧପଡ଼କଲେ ମନ-ଦେହ ତାଜା ରହିବ । ଦେହରେ ରୋଗ ଜୀବାଣୁ ପଶିପାରିବନି ।
ଚା ପିଇସାରି ଶୋଇବାଘରକୁ ଗଲେ । ଅନ୍ଧାରିଆ ହେଇଛି । ଆରାମରେ ପୁପୁନି ଘୁଙ୍ଗୁଡ଼ି ମାରୁଛି । ପୁପୁନିକୁ ଡାକିଲେ – ଉଠି ଯା ….ଦେଖିବୁ ଆ…ତୋଅରି ପରି ଛୋଟ ଛୋଟ ପିଲାମାନେ ମଜା ମଉଜରେ ବୁଲୁଛନ୍ତି । ତୁ ଉଠି ଯା । ଦାନ୍ତ ଘଷି ଇନ୍ଦିରା ମଇଦାନକୁ ଯିବୁ । ବ୍ୟାୟାମ କରିବୁ । ବ୍ୟାୟାମ କରିଲେ ରକ୍ତ ଚଳାଚଳ ଠିକ୍ ରହିବ । ଦେହ ତାଜା ଲାଗିବ ।

ହଁ ବୋଉ…ଅଉ ଟିକେ ଶୋଇପଡ଼େ ।

ନା ରେ ଧନ,ବେଗି ବେଗି ଉଠିଯା.. ତୁ ପରା ସବୁଦିନ ସକାଳୁ ଉଠି ସ୍କୁଲକୁ ଯାଉଛୁ । ଆଜି କିଆଁ ଏତେ ସମୟ ଶୋଇବୁ । ସକାଳୁ ଉଠିବା ଅଭ୍ୟାସ ରଖିଲେ ଭଲ ।

ହଁ ବୋଉ । ପୁପୁନି ଶେଯ ଛାଡ଼ି ଉଠିପଡ଼ିଲା । ମୁହଁହାତ ଧୋଇ ଦାନ୍ତ ଘଷିଲା । ଛତୁଆ ଖାଇ ଇନ୍ଦିରା ମଇଦାନକୁ ଗଲା ।

ପୁପୁନିର ବୋଉ ଖିଲିଖିଲି ହସିଲେ । ପୁପୁନିର ବାପା କହିଲେ – ‘ଦେଖ ଆମ ଗେହ୍ଲାପୁଅ ଭଲକଥା ଶୁଣି ଉଠିପଡ଼ିଲା । ସକାଳୁ ଉଠିବା ଅଭ୍ୟାସ ରହିଲେ ଦେହ ମନ ତାଜା ରହିବ ।’

କିଛି ସମୟ ପରେ ପୁପୁନି ଝାଳୁଆ ଦେହରେ ଘରକୁ ଫେରିଲା । ତା ସାଥୀରେ ଛୋଟ ଛୋଟ ପିଲା । ସମସ୍ତେ ଏଣୁତେଣୁ ଗପୁଥିଲେ । ହସୁଥିଲେ । ପୁପୁନି ସେମାନଙ୍କୁ ଟା..ଟା..କରି ଅଧାଖୋଲା କବାଟ ଖୋଲି ଘରଭିତରକୁ ପଶିଲା । ପୁପୁନି କହିଲା ହଁ ବାପା -ଆଜି ବହୁତ ଭଲଲାଗିଲା । ମୁଁ ପିଲାଙ୍କ ସହ ବୁଲିଲି । ବ୍ୟାୟାମ କଲି । ବାପା-ବୋଉ ବହୁତ ଖୁସି ହୋଇ ତା ମୁଣ୍ଡକୁ ଆଉଁଷିଦେଲେ । କହିଲେ – ସାବାସ୍ ପୁପୁନି । ଗୀତ ଗାଇଲେ –
ଶୀତ ସକାଳକୁ ଆଉ ନଡରି,
ଦେହ ତାଜାକଲୁ ବ୍ୟାୟାମ କରି ।
ସକାଳ ବ୍ୟାୟାମ ଦେହକୁ ହିତ,
ଛାଡ଼ି ପଳେଇଵ ଦୂରକୁ ଶୀତ ॥

ଏଲ୍.ଆଇ.ଜି – ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ,
ଭୁବନେଶ୍ବର

Leave A Reply

Your email address will not be published.