ସସ୍ମିତା ତ୍ରିପାଠୀ
ରୌଦ୍ରର ତାଣ୍ଡବ ଲୀଳା
ଅତୃପ୍ତିର ହା ହୁତାଶମୟ କ୍ଳାନ୍ତି
ବ୍ୟସ୍ତ ବିବ୍ରତ ମଧ୍ୟାହ୍ନର ଝାଞ୍ଜି
ଶୀତଳ ସମୀର ମୃଦୁ ହିଲ୍ଲୋଳ
ସ୍ପର୍ଶ ପାଇଁ ବ୍ୟାକୁଳିତ ପ୍ରାଣ
ଉତ୍ତପ୍ତ ଜ୍ୱାଳାର ହାହାକାର
ବନାଗ୍ନି ଦହନର ତାଡନା
ଅସହ୍ୟ ବୋଧହୁଏ ମାଟି ପାଇଁ।
ଦାବ ଦହନର ଜ୍ୱାଳା ସହନାର୍ଥେ
ନା ଅଛି ଯଥେଷ୍ଟ ତରୁ ଛାୟା
ନା ଅଛି ମୁଣ୍ଡ ଗୁଞ୍ଜି ବାକୁ
ଛତ୍ର ଛାୟା ର ସାହାରା
ଦୂବ ଦାରୁ ପଣତ ତାର ଜଳି
ପୋଡି ଭସ୍ମୀଭୂତ
ଦେହର ଉଷ୍ମତାର ଉପଚାର
କେବଳ ବର୍ଷାର ସାନିଧ୍ୟ।
ଠିକ୍ ସେ ସମୟରେ ପଦାର୍ପଣ
କରେ କ୍ଷଣପ୍ରଭାର ଝଲକ ରୋଷଣୀରେ
ବଜ୍ର ଗର୍ଜନର ଶଙ୍ଖନାଦ କରି
ଜଳଦ ର ମଦ୍ରଧ୍ଵନିର ଦୁଦୁଭି ବଜାଇ
ବହୁ ପ୍ରତୀକ୍ଷିତ ପ୍ରାଣପ୍ରିୟ ବର୍ଷା
ଭିଜାଇ ଦିଏ ଦେହ ମନ
ହୃଦୟରେ ମିଳନର ମହ୍ଲାର
ପ୍ରାଣରେ ପୁଲକ ଲହରୀ।
ମାଟି ଭିଜେ , ଭିଜା ମାଟିର
ଭୁରୁ ଭୁରୁ ବାସ୍ନାରେ ସୁଗନ୍ଧିତ
ହୁଏ ପ୍ରଣୀ ଜଗତ
ନିଷ୍ପ୍ରାଣ ବନାନୀ ଶୁଷ୍କ ପ୍ରାନ୍ତର
ଶ୍ୟାମଳ ସୁନ୍ଦର ଶତ ଗୁଣିତ
ଶୋଭା ବିମଣ୍ଡିତ
ଭିଜା ମାଟି ଦେହେ ହୁଏ ନବ ସର୍ଜନା
ଧରଣୀ ରାଣୀ ନବ ବଧୁ ପରି
ମୁହଁ ଲୁଚାଇ ଦିଏ ସବୁଜ ଓଢଣୀ ତଳେ।
ଘନ କୃଷ୍ଣ ବାଦଲ ବୁକୁ ରେ
ସପ୍ତରଙ୍ଗୀ ଇନ୍ଦ୍ରଧନୁର ରଙ୍ଗ ଖେଳ
ମାଦକତାର ମୋହ ଜାଲରେ
ସାରା ଜଗତ କୁ ବାନ୍ଧି ବାକୁ
ଭିଜା ମାଟି ବୁଣି ଚାଲେ
ଶୃଙ୍ଗାରର ମାୟା ଜାଲ
ଭିଜା ମାଟିର ସ୍ବପ୍ନ ହୁଏ ସତ
ଶୁଷ୍କ ନିରସ ବକ୍ଷ ତାର ହୋଇ ଉଠେ
ରସସିକ୍ତ ଜୀବନ୍ତ ଓ ମନୋହର ।
ଯାଜପୁର