ସୁନୀତା ପ୍ରଧାନ
ଏଇ ଏବେ ଏବେ କିଛି ଦିନ ତଳେ ଅରୁଣା ,ଦୀପକ୍ ,ଜେଜେବାପା ,ଜେଜେମାଙ୍କ ସହ ଗୁଲୁ ପୁରୀଓ କୋଣାର୍କ ବୁଲି ଯାଇ ଥିଲା। ପୁରୀ ହେଉଛି ଓଡ଼ିଶାର ଆରାଧ୍ୟ କୋଟି ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ର। ଶ୍ରୀ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ଗୁଲୁର ଖୁସି କହିଲେ ନ ସରେ। ରତ୍ନ ବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ଭକ୍ତିରେ ଗଦଗଦ ହୋଇ ପଡ଼ିଥିଲେ ସଭିଏଁ। ଗୁଲୁ ଓ ଅନ୍ୟ ମାନେ କାଳିଆ ସାଆନ୍ତଙ୍କୁ ମୁଣ୍ଡିଆ ମାରି ସମୁଦ୍ର କୂଳ ଆଡ଼କୁ ଆସିଲେ।
ସମୁଦ୍ରର ନୀଳ ଜଳ ରାଶି ଉପରେ ସୂର୍ଯ୍ୟଙ୍କ ସୁନେଲୀ ଆଲୋକ ପଡି ଚିକ୍ ମିକ କରୁଥିଲା। ସମୁଦ୍ରର ଆଖି ନ ପାଉଥିବା ଜଳ ରାଶିକୁ ଦେଖି ଗୁଲୁ ମନ ଭିତରେ ଅନେକ ପ୍ରଶ୍ନ ଉବୁଟୁବୁ ହେଉଥିଲା। ସମୁଦ୍ରର ଶାନ୍ତ କମନୀୟ ରୂପକୁ ଉପଭୋଗ କରୁଥିଲା ସେ। କିନ୍ତୁ ସେଇ ବେଳା ଭୂମିରେ ତାକୁ ଗୋଟିଏ ଜିନିଷ ଭଲ ଲାଗୁନଥିଲା ତାହା ହେଲା ଯୁଆଡେ ଦେଖ ସିଆଡେ କୁଢ଼ କୁଢ଼ ଆବର୍ଜନା।
ଅଦରକାରୀ ବ୍ୟବହୃତ ବୋତଲ, ଜରି, ପ୍ଲାଷ୍ଟିକ ଗ୍ଲାସ୍, ଗିନା , ଫଳରସ ପିଇବା ପାଇଁ ବ୍ୟବହୃତ ପ୍ଲାଷ୍ଟିକ ପାଇପ ଇତ୍ୟାଦି।ଭାରୀ ଅପରିଷ୍କାର ଲାଗୁଥିଲା ତାକୁ। ସେଭାବି ପାରୁନଥିଲା ଡଷ୍ଟବିନ ଥାଉ ଥାଉ ଲୋକେ ଏସବୁ ଏଇଠି ସେଇଠି କାହିଁକି ପକାଉଛନ୍ତି !
ଗୋଟେ କଥା ତାର ମନେ ପଡ଼ୁଥିଲା । ଯେତେବେଳେ ସେମାନେ ଦୁଇ ବର୍ଷ ତଳେ ହାଇଦରାବାଦ ଯାଇଥିଲେ , ସେଇଠି ସେମାନେ ନାଗାର୍ଜୁନ ସାଗର,ରାମୋଜି ଫିଲ୍ମ୍ ସିଟି, ଚାର ମିନାର୍, ଗୋଲକୁଣ୍ଡା ଦୁର୍ଗ ଆଦି ବୁଲି ଥିଲେ।ସେମାନେ ଗୋଲକୁଣ୍ଡା ଦୁର୍ଗର ଉପରକୁ ଯେତେବେଳେ ଚଢିଲେ,ପିଲାମାନେ ତଳେ ଥିବା ଏକ ଦୋକାନରୁ କିଛି ଖାଇବା ଜିନିଷ କିଣିଥିଲେ। ସେ ଦୋକାନୀ ସେମାନଙ୍କୁ କହିଥିଲା ଯେ ସେମାନେ ସବୁତକ ଜରି ଏଇଠି ସେଇଠି ଫୋପାଡିବେ ନାହିଁ।ସେଠାରେ ଥିବା ଡଷ୍ଟବିନରେ ପକାଇବେ ନଚେତ୍ ଏଥି ନିମନ୍ତେ ଦଣ୍ଡିତ ହେବେ।
ତେଣୁ ସେଇଠି ସବୁଆଡେ ସଫାସୁତୁରା ଥିଲା। ଗୋଟିଏ ମଧ୍ୟ ଅଦରକାରୀ ଜିନିଷ ବାହାରେ ପଡ଼ିନଥିଲା। କିନ୍ତୁ ଆମ ଏଇଠି ସେମିତି କିଛି ବ୍ୟବସ୍ଥା ନଥିଲା। ଲୋକେ ମନ ଇଚ୍ଛା ସବୁ ଜିନିଷ ଏଣେ ତେଣେ ଫୋଫାଡ଼ୁଥିଲେ ।
ସମୁଦ୍ରର ବଡ଼ ବଡ଼ ଢେଉ ଦେଖି ଭାବନାରେ ମଗ୍ନ ଗୁଲୁ, ନୀଳ ସମୁଦ୍ରର ନୀଳ ସୁନ୍ଦରତାକୁ ଆଖି ପୁରେଇ ଦେଖି ନେବା ପରେ
ଓଟ ଉପରେ ବସି ସମୁଦ୍ର ଓ ଓଟ ଚଢାର ମଜା, ସମୁଦ୍ରରେ ବୁଡି ଗାଧେଇ ତା ଢେଉରେ ନିଜ ପାଦ ଧୋଇ ଖୁସି ହେଉଥିଲା ।
ଫେରିବା ବେଳେ ଗୁଲୁକୁ ପ୍ରବଳ ଶୋଷ।। ଶୋଷ ମେଣ୍ଟାଇବା ପାଇଁ ସେମାନେ ଚାଲିଲେ ଗୋଟେ ପଇଡ଼ ବିକାଳୀ ପାଖକୁ। ସମସ୍ତେ ପଇଡ଼ ପିଇସାରି ଫେରିବା ବେଳେ ହଠାତ୍ ଗୁଗୁ ଓ ଜେଜେବାପା ଉଭୟେ ନିରୁଦ୍ଧିଷ୍ଟ। ଜେଜେ, ନାତି କୁଆଡେ ଗାୟବ ହୋଇଗଲେ ବୋଲି ଖୋଜିଲା ବେଳକୁ ଉଭୟେ ମିଶି ସମୁଦ୍ର ବେଳା ଭୂମିରୁ ବ୍ୟବହୃତ କପ୍, ଜରି,ଖାଲି ବୋତଲ୍, ସୋଲର ଗିନା ପ୍ଲେଟ୍ ଚାମୁଚ, ବ୍ୟବହୃତ ପଇଡ଼ ଓ ପ୍ଲାଷ୍ଟିକ ନଳୀ ସବୁ ଗୋଟାଇ ଡଷ୍ଟବିନରେ ପକାଉଛନ୍ତି।
ସେମାନଙ୍କୁ ଏପରି କରିବା ଦେଖି ଆଉ କିଛି ଲୋକ ମଧ୍ୟ ଏଣେ ତେଣେ ପଡ଼ିଥିବା ଜିନିଷ ସବୁକୁ ଗୋଟାଇ ଡଷ୍ଟବିନରେ ପକାଇଲେ । କ୍ଷଣିକ ଆଗରୁ ଯେଉଁ ବେଳା ଭୂମି ଅପରିଷ୍କାର ଲାଗୁଥିଲା ନିମିଷକ ମଧ୍ୟରେ ସଫା ସୁତୁରା ଦେଖା ଯାଉଥିଲା।
ସେମାନେ ଯେତେବେଳେ ଫେରିଲେ ଜେଜେମା ଟିକେ ବିରକ୍ତ ହେଲେ । ହେଲେ ଜେଜେ ତାଙ୍କୁ ବୁଝେଇ କହିଲେ “ଦେଖିଲ ଆମ ଦୁଇ ଜଣଙ୍କ ଛୋଟିଆ କାମଟିଏ ଅନ୍ୟମାନଙ୍କ ଉଦାହରଣ ପାଲଟିଗଲା।କେତେ ଲୋକ ଆସି ଆମ ସହ ସହଯୋଗର ହାତ ବଢାଇଲେ ଆଉ ସାଙ୍ଗେ ସାଙ୍ଗେ ଏଇ ଜାଗାଟି ସଫା ହୋଇଗଲା ।”
ଏହାଶୁଣି ଜେଜେମା କହିଲେ , ହଁ ସତକଥା ତ । ଆମେ ଯଦି ଆମ ଅଞ୍ଚଳକୁ ସଫା ନରଖିବା ତେବେ ବାହାରୁ ଆସୁଥିବା ପର୍ଯ୍ୟଟଙ୍କ ଆମ ରାଜ୍ୟ ପ୍ରତି ଆକର୍ଷିତ ହେବେ ନାହିଁ । ନିର୍ମଳ ଓ ସ୍ବଛ ପରିବେଶ ହିଁ ସମସ୍ତଙ୍କୁ ଭଲ ଲାଗିଥାଏ । ଏଣୁ ଆମେ ସମସ୍ତେ ସଚେତନ ହୋଇ ଆମ ଆଖ ପାଖ ଅଞ୍ଚଳକୁ ସବୁବେଳେ ପରିଷ୍କାର ରଖିବା ଆବଶ୍ୟକ।
ଗୁଲୁ ଆଉ ଜେଜେଙ୍କର ଛୋଟିଆ ପ୍ରୟାସ ସେଠାରେ ଥିବା ସମସ୍ତଙ୍କୁ ପରିଷ୍କାର ପରିଛନ୍ନତା ପାଇଁ ସଚେତନ କରାଇଲା ।
ବମୋକେଇ
ଗଞ୍ଜାମ
୯୪୩୮୫୭୮୩୨୨
Comments are closed.